ଶ୍ରୀଲଙ୍କାରେ ଔଷଧର ଘୋର ଅଭାବ, ଭାରତ ପଠାଇଲା ୩.୩ ଟନ୍ର ଔଷଧ ସାମଗ୍ରୀ

କଲମ୍ବୋ : ଘୋର ଆର୍ଥକି ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାବାସୀଙ୍କ ଏବେ ଘୋର ଦୁର୍ଦ୍ଧିନ ଦେଇ ଗତି କରୁଛନ୍ତି। ତେଲ, ଓ ଖାଦ୍ୟ ପରେ ଦେଶରେ ଏବେ ଔଷଧର ଘୋର ଅଭାବ ଏକ ବଡ଼ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ହଠାତ୍ ଦରକାର ସମୟକୁ ବାଦ୍ ଦେଲେ ଅନେକ ଲୋକେ ଶେଷଥର ପାଇଁ କେବେ ଔଷଧ କିଣିଥିଲେ ତାହା କହିପାରୁନାହିଁ। ଏହାର ଅର୍ଥ ହେଉଛି ବିଗତ କିଛି ମାସ ହେବ ଶ୍ରୀଲଙ୍କାର ଔଷଧ ଶିଳ୍ପରେ ଦେଖାଦେଇଥିବା ଏହି ସ୍ଥିତି ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଛି। ଏଭଳି ପରିସ୍ଥିତିରେ ଭାରତ ପଠାଇଥିବା ୩.୩ ଟନ୍ର ଡାକ୍ତରୀ ଔଷଧପତ୍ର ଓ ସାମଗ୍ରୀ ଦେଶ ପାଇଁ କିଛି ମାତ୍ରାରେ ଆଶାର କିରଣ ଆଣିଛି।
ଭାରତ ପକ୍ଷରୁ ଶୁକ୍ରବାର ଶ୍ରୀଲଙ୍କାରେ ଏକ ମାଗଣା ପ୍ରି-ହସ୍ପିଟାଲ୍ କେୟାର ଆମ୍ବୁଲାନ୍ସ ସେବାକୁ ୩.୩ ଟନ୍ର ଚିକିତ୍ସା ସାମଗ୍ରୀ ହସ୍ତାନ୍ତର କରାଯାଇଛି। ଦୁଇମାସ ମଧ୍ୟରେ ଭାରତରୁ ପ୍ରଦାନ କରାଯିବାକୁ ଥିବା ୩୭୦ ନିୟୁତ ଟନ୍ର ପରିମାଣର ମେଡିକାଲ ଉପକରଣ ଚିକିତ୍ସା ସହାୟତାର ଏହା ଏକ ଅଂଶ। ଗତ ସପ୍ତାହରେ ଶ୍ରୀଲଙ୍କାର ଲୋକଙ୍କ ବ୍ୟବହାର ପାଇଁ ଭାରତ ୨୫ ଟନ୍ରୁ ଅଧିକ ଚିକିତ୍ସା ସାମଗ୍ରୀ ଏବଂ କିରୋସିନ ପ୍ରଦାନ କରିଥିଲା। ଦେଶ ସମ୍ପ୍ରତି ଘୋର ଔଷଧ ଅଭାବର ସମ୍ମୁଖୀନ ହେଉଛି। ଏଭଳି ପରିସ୍ଥତିରେ ଦେଶରେ ମହାମାରୀ ବର୍ତ୍ତମାନ ନିୟନ୍ତ୍ରଣରେ ଥିବାରୁ ଏଥିପାଇଁ ରଖାଯାଇଥିବା ୧.୮ ବିଲିୟନ୍ ଅର୍ଥ ଏବଂ ସାମାଜିକ ସୁରକ୍ଷା ପାଣ୍ଠିକୁ ଅତ୍ୟାବଶ୍ୟକ ଔଷଧ ଆମଦାନି କରିବା କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ କହିଛନ୍ତି।
ରାଷ୍ଟ୍ରପତିଙ୍କ ମିଡିଆ ଡିଭିଜନ୍ କହିଛି ଯେ ଡାକ୍ତରଖାନା ଦ୍ୱାରା ଆବଶ୍ୟକ ୨୩୪ ଟି ଔଷଧ ସ୍ଥାନୀୟ ଭାବରେ ଉତ୍ପାଦିତ ହେଉଛି ଏବଂ ବିଶ୍ବ ବଜାରରେ ଔଷଧର ମୂଲ୍ୟ ବୃଦ୍ଧି ହେତୁ ଏହାକୁ ବିଚାରକୁ ନିଆଯାଉଛି। ସ୍ଥାନୀୟ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ଉତ୍ପାଦନ ପାଇଁ ଆବଶ୍ୟକ ସାମଗ୍ରୀ ଆମଦାନି କରିବା ପାଇଁ ଭାରତୀୟ କ୍ରେଡିଟ ଲାଇନକୁ ବ୍ୟବହାର କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାର ଏହାର ସ୍ବାଧୀନତା ପରଠାରୁ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି।