ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ, ଏଲଏସି ଆଡକୁ ମାଡ଼ି ଆସୁଥିବା ଚୀନ ସୈନ୍ୟକୁ ଅଟକାଇଥିଲେ ଭାରତୀୟ ଯବାନ

ନୂଆଦିଲ୍ଲୀ : ଭାରତ ଓ ଚୀନରେ ଦୀର୍ଘ ଦିନ ହେବ ଉତ୍ତେଜନା ଜାରି ରହିଛି। ଉତ୍ତରାଖଣ୍ଡର ବରାହୋତୀ ପରେ ଏବେ ଚୀନ ସେନାର ୨୦୦ ସୈନିକ ଅରୁଣାଚଳ ପ୍ରଦେଶରେ ପଟେ ବାସ୍ତବ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି। ଗତ ସପ୍ତାହରେ ପାଟ୍ରୋଲିଂ ବେଳେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ । ୨୦୦ ଚୀନ୍ ସେନା ଏଲ୍ଏସି ଆଡକୁ ମାଡି ଆସୁଥିବା ବେଳେ ଅଟକାଇଥିଲେ ଭାରତୀୟ ଯବାନ । କମାଣ୍ଡରସ୍ତରୀୟ ଆଲୋଚନା ପରେ ଚୀନ୍ ସେନା ପଛକୁ ହଟିଥିଲେ ।

ସୂଚନା ଅନୁସାରେ ଗତ ସପ୍ତାହରେ ତୱାଙ୍ଗ ସେକ୍ଟରରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଚୀନର ପାଖାପାଖି ୨୦୦ ସୈନିକ ଏଲ୍ଏସି ପାର କରି ଭାରତୀୟ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ଦୁଇ ଦେଶର ସୈନ୍ୟବାହିନୀ ମୁହାଁମୁହିଁ ହୋଇଥିଲେ । କିଛି ଘଂଟା ଧରି ଝଗଡା ଲାଗି ରହିଥିଲା ।

ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଏଯାବତ୍ ୧୨ ଥର ଆଲୋଚନା ହୋଇଥିବା ବେଳେ ଆସନ୍ତା ସପ୍ତାହରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ଥିର କରାଯାଇଛି। ଦୁଇ ଦେଶ ମଧ୍ୟରେ ଦେଖା ଦେଇଥିବା ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରାଯାଉଛି। ସେପଟେ କିନ୍ତୁ ଇଷ୍ଟର୍ଣ୍ଣ ଲଦାଖ ଓ ଅନର୍ଥର୍ଣ୍ଣ ଫ୍ରଣ୍ଟରେ ଏଲ୍‌ଏସି ଆରପଟେ ଚୀନର ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ ଓ ଭିତ୍ତିଭୂମି ନିର୍ମାଣକୁ ନେଇ ଭାରତ ଉଦ୍‌ବେଗ ପ୍ରକାଶ କରିଛି।

Leave a comment