ଟ୍ୟୁରିଷ୍ଟ ଭିସାରେ ଭାରତ ଆସିପାରିବେନି ଚାଇନିଜ୍, ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସାକୁ ବାତିଲ କଲା ଭାରତ

ନୂଆଦିଲ୍ଲୀ : ଚୀନକୁ ଭାରତର ଶକ୍ତ ଧକ୍କା ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସାକୁ ବାତିଲ କରିଛି ଭାରତ। ଏ ବିଷୟରେ ସୂଚନା ଦେଇଛି ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ) । ଚୀନ ୨୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରିବାକୁ ଅନୁମତି ନଦେବା ପରେ ଭାରତ ଏଭଳି ନିଷ୍ପତ୍ତି ନେଇଛି। ଏବେ ଚୀନ୍ ପର୍ଯ୍ୟଟକମାନେ ପର୍ଯ୍ୟଟନ ଭିସା ନେଇ ଭାରତ ଆସିପାରିବେ ନାହିଁ।
ବିଶ୍ୱ ଗ୍ଲୋବାଲ ଏୟାର ଲାଇନ ବଡି ତରଫରୁ ଭାରତ ଦ୍ୱାରା ଚୀନ ନାଗରିକଙ୍କୁ ଜାରି କରାଯାଇଥିବା ପର୍ୟ୍ୟଟନ ଭିସା ଏବେ ବୈଧ୍ୟ ନୁହେଁ ବୋଲି କହିଛି । ସେପଟେ ଭାରତ ସରକାରଙ୍କର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି କି, ଭାରତ ଦ୍ୱାରା ଏବେ ବି ଚୀନ ନାଗରିକଙ୍କୁ ବାଣିଜ୍ୟ, ରୋଜଗାର, ଓ କୂଟ ନୈତିକ ଅଧିକାରୀଙ୍କୁ ଭିସା ଦିଆଯାଉଛି । ହେଲେ ଚୀନ ନାଗରିକଙ୍କ ପାଇଁ ପର୍ଯ୍ୟଟନ ଭିସା ରଦ୍ଦ କରିବା ନିଷ୍ପତ୍ତି ସେତେବେଳେ ଆସିଛି ଯେତେବେଳେ କି, ଚୀନ ତରଫରୁ ୨୦ ହଜାର ଭାରତୀୟ ଛାତ୍ରଙ୍କୁ ଚୀନ ଫେରିବା ପାଇଁ ଅନୁମତି ଦେଇ ନାହିଁ ।
ସୂଚନାଯୋଗ୍ୟ ଚୀନରେ ରହି ପାଠ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ କରୋନା ମହାମାରୀ ସମୟରେ ଭାରତ ଫେରିଥିଲେ। ଏବେ ସଂକ୍ରମଣ କମ ହୋଇଥିଲେ ବି ଚୀନ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଚୀନ ଯିବାକୁ ଅନୁମତି ଦେଉନାହିଁ। ଏହି କାରଣରୁ ଏବେ ଭାରତ ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସାକୁ ବାତିଲ କରିଛି। ଏପ୍ରିଲ୍ ୨୦ ରେ ଆଇଏଟିଏ ଏକ ସର୍କୁଲାର ଜାରି କରିଥିଲା। ସେଥିରେ କୁହାଯାଇଥିଲା ଯେ, ଚୀନର ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସା ଆଉ ବୈଧ ନୁହେଁ। ୧୦ବର୍ଷର ବୈଧତା ଥିବା ପର୍ଯ୍ୟଟନ ଭିସାକୁ ମଧ୍ୟ ଏବେ ବାତିଲ କରାଯାଇଛି।
ଏହି ମାମଲାରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଗତ ମାସରେ ଭାରତ ଆସିଥିବା ଚୀନ ବୈଦେଶିକ ମନ୍ତ୍ରୀ ବାଙ୍ଗ ୟୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ହେଲେ ବେଜିଂ ତରଫରୁ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ଉତ୍ତର ଦିଆଯାଇ ନାହିଁ । ଯାହା ପରେ ଭାରତ ଚାଇନା ନାଗରିକଙ୍କ ପର୍ଯ୍ୟଟନ ଭିସାକୁ ବାତିଲ କରିଛି।