କୋଟିଆରୁ ଜିତିଲେ ଟିକାଇ ଗେମେଲ : ସର୍ବଦଳୀୟ ପ୍ରାର୍ଥୀଙ୍କୁ ଚକ୍ମା ଦେଇ ୩୭୦୦ ଭୋଟରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ

କୋରାପୁଟ : କୋରାପୁଟ ଜିଲ୍ଲାର ଚର୍ଚ୍ଚିତ ଆସନ କୋଟିଆରେ ବିଜୟୀ ହୋଇଛନ୍ତି ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ। ସର୍ବଦଳୀୟ ପ୍ରାର୍ଥୀ ମମତା ଜାନୀଙ୍କୁ ୩୭୦୦ ଭୋଟରେ ହରାଇ ଚମକାଇ ଦେଇଛନ୍ତି ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ।
ଆନ୍ଧ୍ର ଓ ଓଡିଶା ବିବାଦ ଭିତରେ ଆନ୍ଧ୍ର ପ୍ରଦେଶ ବାରମ୍ବାର ଅନୁପ୍ରବେଶ କରି ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଥିବା ବେଳେ ଏହାକୁ ଚେକ୍ ଦେବାକୁ ସବୁଦଳ ମିଶି ମମତା ଜାନିଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ କରିଥିଲେ। ମମତା ହୋଇଥିଲେ କୋଟିଆ ସହିତ ଆଉ ୬ଟି ପଞ୍ଚାୟତକୁ ମିଶାଇ ଗଠନ ହୋଇଥିବା ପଟାଙ୍ଗୀ ଜିଲ୍ଲା ପରିଷଦ ଜୋନ୍-୧ର ସର୍ବଦଳୀୟ ପ୍ରାର୍ଥୀ। ତେବେ ଏହାକୁ ଗ୍ରହଣ କରି ନଥିଲେ ଟିକାଇ ଗେମେଲ। ସେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ ଦେଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଫଳରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ମମିତା ଜାନିଙ୍କୁ ଜିଲ୍ଲା ପରିଷଦ ସଭ୍ୟ କରିବା ନେଇ ସବୁ ଦଳ ଯେଉଁ ଲକ୍ଷ୍ୟ ରଖିଥିଲେ, ତାହା ବିଫଳ ହୋଇଥିଲା।
ବିଜେପି, ବିଜେଡି ଓ କଂଗ୍ରେସ ମମତା ଜାନୀଙ୍କୁ ପ୍ରାର୍ଥୀ କରିଥିବାବେଳେ ତାଙ୍କ ବିରୋଧରେ ଛିଡା ହୋଇଥିବା ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ। ଟିକାଇ ୧୦୩୫୪ ଭୋଟ ପାଇଥିବା ବେଳେ ମମତା ୬୬୫୪ଟି ଭୋଟ ପାଇଥିଲେ। ବିଜୟ ପରେ ଟିକାଇ ଗେମେଲ କହିଛନ୍ତି ଯେ ଏହି ବିଜୟ ମୋର ବିଜୟ ନୁହେଁ ପଟାଙ୍ଗିର ୭ଟି ପଞ୍ଚାୟତବାସୀଙ୍କ ବିଜୟ। ଲୋକଙ୍କ ପାଇଁ ମୁଁ କାମ କରିବି। ପଟାଙ୍ଗି ଜୋନ-୧ରେ ବିକାଶ ପାଇଁ ମୁଁ ସବୁବେଳେ ରହିବି ବୋଲି କହିଛନ୍ତି।