ପ୍ରଥମ ଟି-୨୦ : ୱାସିଂଟନ୍ ସୁନ୍ଦରଙ୍କ ଲଢୁଆ ଇଂନିସ ସତ୍ତ୍ବେ ନ୍ୟୁଜିଲାଣ୍ଡ ନିକଟରୁ ୨୧ ରନ୍ରେ ହାରିଲା ଟିମ୍ ଇଣ୍ଡିଆ

ରାଞ୍ଚି: ଆଜିଠୁ ଖେଳାଯାଉଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ପରାଜୟ ସହ ସିରିଜ୍ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯାଉଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ନିକଟରୁ ୨୧ ରନ୍ରେ ହାରିଛି ଭାରତ। ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଅତିଥି ଦଳ ବ୍ୟାଟି କରିଥିଲା। ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୭୬ ରନ୍ କରି ଭାରତକୁ ୧୭୭ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା।
ଦ୍ବିତୀୟରେ ବ୍ୟାଟିଂ କରୁଥିବା ଭାରତ ପ୍ରଥମରୁ ହିଁ ୱିକେଟ ପରେ ୱିକେଟ ହରାଇ ଚାଲିଥିଲା। ଭାରତ ୧୦ ରନ୍ରେ ଇଶାନ କିଶନ ଓ ୧୧ ରନ୍ରେ ରାହୁଲ ତ୍ରିପାଠୀଙ୍କୁ ହରାଇଥିଲା। ସେହିପରି ୧୫ ରନ୍ରେ ଶୁଭମନ୍ ଗିଲ୍ ଆଉଟ୍ ହୋଇଥିଲେ। ଏହି ତିନି ବ୍ୟାଟର ଯଥାକ୍ରମେ ୪, ୦ ଓ ୭ ରନ୍ କରିଥିଲେ।
ନ୍ୟୁଜିଲାଣ୍ଡ ବୋଲରଙ୍କ ସାମ୍ନା କରିନପାରି ଭାରତର ଗୋଟିଏ ପରେ ଗୋଟିଏ ୱିକେଟ ଖସୁଥିବା ବେଳେ ଭାରତ ପାଇଁ ସର୍ବାଧିକ ସ୍କୋର କରିଥିଲେ ୱାସିଂଟନ୍ ସୁନ୍ଦର। ସେ ୨୮ଟି ବଲ୍ ଖେଳି ୫ଟି ଚୌକା ଓ ୩ଟି ଛକା ବଳରେ ଅର୍ଦ୍ଧଶତକ (୫୦ରନ୍) କରିଥିଲେ। ସେହିପରି ସୂର୍ଯ୍ୟ କୁମାର ଯାଦବ ୩୪ଟି ବଲ୍ ଖେଳି ୪୭ ରନ୍ ଯୋଡ଼ିଥିଲେ। ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ନ୍ୟୁଜିଲାଣ୍ଡର ସମସ୍ତ ବୋଲର ଭଲ ବୋଲିଂ କରିଥିଲେ।
ଆଜିର ମ୍ୟାଚରେ ଭାରତ ପକ୍ଷରୁ ବ୍ୟାଟିଂ ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ପାଇଁ ଫିନ୍ ଆଲେନ୍ ଓ ଡେଭ୍ଅନ୍ କନ୍ୱେ ପାଳି ଆରମ୍ଭ କରିଥିଲେ। ଉଭୟ ଆରମ୍ଭରୁ ଭଲ ଖେଳିଥିଲେ। ପ୍ରଥମ ୱିକେଟରେ ୪୩ ରନ୍ ସଂଗ୍ରହ କରିଥିଲେ। ଏଥିରେ ଆଲେନ୍ଙ୍କ ୩୫ ରନ୍ ଥିଲା। ସେ ୨୩ଟି ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ମାରିଥିଲେ। ନ୍ୟୁଜିଲାଣ୍ଡ ପାଇଁ କନ୍ୱେ ୫୨ ରନ୍ ସଂଗ୍ରହ କରିଥିଲେ। ସେ ୩୫ଟି ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେହିପରି ଡାର୍ଲୋ ମିଚେଲ ଅପରାଜିତ ୫୯ ରନ୍ ସଂଗ୍ରହ କରିଥିଲେ। ଏଥିରେ ୩ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ଭାରତ ପକ୍ଷରୁ ୱାସିଂଟନ୍ ସୁନ୍ଦର ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ। ସେହିପରି କୁଳଦୀପ ଯାଦବ ଓ ଶିଭମ ମାଭିଙ୍କୁ ଗୋଟିଏ ଲେଖାଏଁ ୱକେଟ୍ ମିଳିଥିଲା।