ବିଶାଖାପାଟଣାରେ ‘ଷ୍ଟାର୍କ’ ଝଡ଼ : ୪୯ ରନ୍ରେ ଅଧା ଭାରତ ଆଉଟ୍

ବିଶାଖାପାଟଣା : ସ୍ଥାନୀୟ ୱାଇ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍ରେ ଆଜି ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବଡ଼ ବିପର୍ଯ୍ୟୟରେ ପଡ଼ିଛି ଭାରତ। ପ୍ରଥମ ଦିନିକିଆ ପରି ଆଭିବି ଫେଲ୍ ମାରିଛି ଭାରତୀୟ ବ୍ୟାଟିଂ ଲାଇନ୍। ଗୁରୁବାର ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ଭାରତୀୟ ଦଳ ମାତ୍ର ୧୮୯ ରନ୍ର ଟାର୍ଗେଟ ପାଇଁ ପ୍ରଥମରୁ ୱିକେଟ ହରାଇ ଚାଲିଥିଲା। କେଏଲ ରାହୁଲ ଓ ଜାଡେଜାଙ୍କ ନିର୍ଭରଯୋଗ୍ୟ ବ୍ୟାଟିଂ ପାଇଁ ୫ୱିକେଟରେ ବିଜୟୀ ହୋଇଥିଲା। କିନ୍ତୁ ଆଜି ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଙ୍ଗ୍ କରିବା ଆମନ୍ତ୍ରଣ କରିଥିବା ବେଳେ ଭୁସୁଡିଛି ଭାରତର ଓପନିଂ ଓ ମିଡିଲ୍ ଲାଇନ୍ ବ୍ୟାଟିଂ ଅର୍ଡର।
ଅଷ୍ଟ୍ରେଲିଆର ବାମହାତୀ ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂରେ ଭାରତୀୟ ବ୍ୟାଟର ସଂଘର୍ଷ କରୁଛନ୍ତି। ଦଳୀୟ ସ୍କୋର ୪୯ ଥିବା ବେଳେ ଭାରତ ୫ ଟତ ୱିକେଟ ହରାଇସାରିଛି। ବର୍ତ୍ତମାନ ସୁଦ୍ଧା ୧୩.୩ ଓଭରରେ ଭାରତୀୟ ଦଳ ମାତ୍ର ୬୬ ରନ୍ରେ ୫ ୱିକେଟ ହରାଇ ସାରିଛି। ସେଥି ମଧ୍ୟରୁ ମିଚେଲ ଷ୍ଟାର୍କ ୪ଟି ୱିକେଟ ନେଇଛନ୍ତି। ଆଜି ଓପନର୍ ଯୋଡ଼ି ଭାବେ ଆସିଥିଲେ ରୋହିତ ଶର୍ମା ଓ ଶୁବମନ୍ ଗିଲ୍। କିନ୍ତୁ ଦଳର ସ୍କୋର ୩ ଥିବା ବେଳେ ଗିଲ୍ କୌଣସି ରନ୍ ନକରି ଷ୍ଟାର୍କଙ୍କ ପ୍ରଥମ ଶିକାର ହୋଇଥିଲେ। ଏହାପରେ କୋହଲି ଆସିଥିଲେ। ରୋହିତ -କୋହଲି ଦଳର ସ୍କୋରକୁ ଆଗକୁ ନେଉଥିବା ବେଳେ ଷ୍ଟାର୍କଙ୍କ ଦ୍ବିତୀୟ ଶିକାର ହୋଇଥିଲେ ରୋହିତ। ମାତ୍ର ୧୩ ରନ୍ରେ ରୋହିତ ଆଉଟ ହେବା ପରେ ନଂ-୪ରେ ବ୍ୟାଟିଂ କରିବାକୁ ଆସୁଥିବା ସୂର୍ଯ୍ୟକୁମାର ଯାଦବ ପୁଣି ବିଫଳ ହୋଇ ମାତ୍ର ଗୋଟିଏ ବଲ୍ରେ ଫେରିଥିଲେ। ଏହାପରେ ଆସିଥିବା ଲୋକେଶ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅଧିକ ସମୟ ତିଷ୍ଠି ପାରିନଥିଲେ। ଦୁଇ ଜଣ ପର୍ଯ୍ୟାୟ କ୍ରମରେ ୯ ଏବଂ ୧ ରନ୍ରେ ଆଉଟ ହୋଇଥିଲେ।