ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦ୍ୱିତୀୟ ଟି-୨୦ : ନାଗପୁରରେ ଭାରତର ଦମ୍‌ଦାର ବିଜୟ

ନାଗପୁର : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ବର୍ଷା ବାଧକ ଦ୍ୱିତୀୟ ମୁକାବିଲାରେ  ବିଜୟ ସହ ସିରିଜକୁ ୧-୧ରେ ବରାବର କରିଛି ଭାରତ। ଆଜି ମହାରାଷ୍ଟ୍ରର ନାଗପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ରେ ଅଷ୍ଟ୍ରେଲିଆ ପକ୍ଷରୁ ଦିଆଯାଇଥିବା ୯୧ ରନ୍‌ର ଟାର୍ଗଟକୁ ୪ଟି ବଲ୍‌ ବାକି ଥାଇ ଭାରତ ଜିତି ନେଇଛି।

ଆଜି ବର୍ଷା ବାଧକ ମ୍ୟାଚରେ ଓଦା ଆଉଟ ଫିଲ୍ଡ ବାଧକ ସାଜିବାରୁ ଡେରିରେ ଆରମ୍ଭ ହୋଇଥିଲା। ପଡ଼ିଆ ଶୁଖି ନଥିବାରୁ ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ମ୍ୟାଚ୍‌ ହୋଇଥିଲା ଏଥିପାଇଁ ୨୦ ଓଭର ବିଶିଷ୍ଟ ମ୍ୟାଚ୍‌କୁ ୮ ଓଭର ଲେଖାଏ କରି ଦିଆଯାଇଥିଲା। ଏହି ବର୍ଷା ବାଧକ ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ତେବେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୯୦ ରନ୍‌ କରିଥିଲା। ତେବେ ୩ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଥମ ଟି-୨୦ ଅଷ୍ଟ୍ରେଲିଆ ଜିତିନେଇଥିବାରୁ ଆଜିର ମ୍ୟାଚ୍‌ ଜିତିବା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। ଅଷ୍ଟ୍ରେଲିଆର ୯୧ ରନ୍‌ ବିଜୟ ଳକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲେ ଭାରତୀୟ ଅଧିନାୟକ ରୋହିତ ଏବଂ ଉପଅଧିନାୟକ କେଏଲ ରାହୁଲ। ଉଭୟ  ଜବରଦସ୍ତ ଆରମ୍ଭ କରିଥିଲେ।

ଜସ୍ ହେଜେଲଉଜଡଙ୍କ ପ୍ରଥମ ଓଭରରେ ରୋହିତ ଦୁଇଟି ଛକ୍କା ମାରିଥିବା ବେଳେ ରାହୁଲ ଗୋଟିଏ ଛକ୍କା ମାରିଥିଲେ। ଫଳରେ ପ୍ରଥମ ଓଭରରେ ହିଁ ଭାରତ ବିନା କୌଣସି ୱିକେଟ୍ ହରାଇ ୨୦ ରନ୍ କରିଥିଲା।ଦ୍ୱିତୀୟ ଓଭର ବୋଲଂ କରିବାକୁ ଆସିଥିବା ପ୍ୟାଟ୍ କମିନ୍ସ ରନ୍ ଚାପିବାକୁ ଚେଷ୍ଟା କରିଥିଲେ। ପ୍ରଥମ ଦୁଇ ବଲ୍ ଡଟ୍ ହେବା ପରେ ତୃତୀୟ ବଲ୍‌ରେ ଛକ୍କା ମାରିଥିଲେ ରୋହିତ୍। ଦ୍ୱିତୀୟ ଓଭର ମାତ୍ର ୯ ରନ୍ ହୋଇପାରିଥିଲା ମୋଟ ୩୦ ରନ୍ ସଂଗ୍ରହ କରିଥିଲା ଟିମ୍ ଇଣ୍ଡିଆ। ତୃତୀୟ ଓଭର କରିବାକୁ ଆସିଥିବା ଆଡାମ ଜାମ୍ପା ଚତୁରତାର ସହ ବୋଲିଂ ପ୍ରଦର୍ଶନ କରିଥିଲେ। ତେବେ ରୋହିତ ତାଙ୍କୁ ବି ଛକ୍କା ମାରିଥିଲେ।

କିନ୍ତୁ ଜାମ୍ପାଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଥିଲା। ବଡ଼ ଶଟ୍ ମାରିବାକୁ ଯାଇ ଜାମ୍ପାଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ କେଏଲ୍ ରାହୁଲ। ୬ ବଲ୍‌ ଖେଳି ମାତ୍ର ୧୦ ରନ୍ କରି ଆଉଟ ହୋଇଥିଲେ ରାହୁଲ୍। ରାହୁଲଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ବିରାଟ କୋହଲି। ୩ ଓଭର ଖେଳ ଶେଷ ସୁଧା ଟିମ୍ ଇଣ୍ଡିଆ ୧ ୱିକେଟ ହରାଇ ୪୦ ରନ୍ କରିଥିଲା। ଚତୁର୍ଥ ଓଭର ବୋଲିଂ କରିବାକୁ ଆସିଥିବା ଡାନିଏଲ ସାମ୍ସ ମଧ୍ୟ ଜାମ୍ପାଙ୍କ ପରି ରନ୍ ଚାପିବାକୁ ଚେଷ୍ଟା କରିଥିଲେ। ସାମ୍ସଙ୍କ ଓଭରରେ ରୋହିତ ବଡ଼ ଶଟ୍ ମାରିବାରେ ବିଫଳ ହୋଇଥିଲେ। ତେବେ ରୋହିତ ଓ ବିରାଟ ଗୋଟିଏ ଲେଖାଏ ଚୌକା ମାରିଥିଲେ। ଫଳରେ ୪ ଓଭର ଖେଳ ସୁଧା ଭାରତ ୫୧ ରନ୍ କରିଥିଲା।ପଞ୍ଚମ ଓଭରେ ପୁଣି ବୋଲିଂ କରିବାକୁ ଆସିଥିଲେ ଜାମ୍ପା। ତାଙ୍କର ପ୍ରଥମ ବଲକୁ ବିରାଟ ଚୌକା(୧୧) ମାରିବା ପରେ ଦ୍ୱିତୀୟ ବଲ୍‌ରେ ବୋଲ୍ଡ ହୋଇଥିଲେ। ତୃତୀୟ ବଲ୍‌ରେ ସୂର୍ୟ୍ୟ କୁମାର ଯାଦବ ଏଲ୍‌ବିଡବ୍ଲୁ ହୋଇଥିଲେ। ସୂର୍ୟ୍ୟଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ତେବେ ଜାମ୍ପାଙ୍କର ଏହି ଓଭର ଟିମ୍ ଇଣ୍ଡିଆ ପାଇଁ ମହଙ୍ଗା ପଡ଼ିଥିଲା। ୫ ଓଭର ଖେଳ ସୁଧା ଭାରତ ୫୮ ରନ୍ କରି ୩ ୱିକେଟ୍ ହରାଇଥିଲା। ଏହି ସମୟରେ ମ୍ୟାଚ୍ ଜିତିବାକୁ ୧୮ ବଲ୍‌ରେ ୩୩ ରନ୍‌ର ଆବଶ୍ୟକତା ଥିଲା।

ଏପଟେ ରୋହିତ ଶର୍ମା କିନ୍ତୁ ଜବରଦସ୍ତ ବ୍ୟାଟିଂ ଜାରି ରଖିଥିଲେ। ଷଷ୍ଠ ଓଭର ବୋଲିଂ କରିବାକୁ ଆସିଥିବା ସିନ ଆବୋଟଙ୍କୁ ଲଗାତର ଦୁଇଟ ଚୌକା ମାରିଥିଲେ ରୋହିତ। ତେବେ ତାଙ୍କ ଓଭରରେ ମାତ୍ର ୧୦ ରନ୍ ହୋଇପାରିଥିଲା। ୬ ଓଭର ଖେଳ ଶେଷ ସୁଧା ଭାରତ ୩ ୱିକେଟ୍ ବିନିମୟରେ ୬୯ ରନ୍ କରିଥିଲା। ଜିତିବାକୁ ୧୨ ବଲ୍‌ରେ ୨୨ ରନ୍‌ ଆବଶ୍ୟକ ଥିଲା। ଏହାପରେ ସପ୍ତମ ଓଭର ବୋଲିଂ କରିବାକୁ ଆସିଥିଲେ ପ୍ୟାଟ୍ କମିନ୍ସ। ପ୍ରଥମ ବଲ୍ ୱାଇଟ୍ ଦେବା ପରେ ତାଙ୍କୁ ଚୌକା ମାରିଥିଲେ ପାଣ୍ଡ୍ୟା। ହେଲେ ପଞ୍ଚମ ବଲ୍‌ରେ ଭୁଲ୍ ଶଟ୍ ଖେଳି ଅଧିନାୟକ ଫିଞ୍ଚଙ୍କ ହାତରେ କ୍ୟାଚ୍ ଆଉଟ ହୋଇଥିଲେ ପାଣ୍ଡ୍ୟା। ଚତୁର୍ଥ ଓିକେଟ୍ ପାଇଁ ଆସିଥିଲେ ଫିନିଶର ଦିନେଶ କାର୍ତ୍ତିକ। ତେବେ କମିନ୍ସଙ୍କ ଓଭରରେ ୧୨ ରନ୍ ସଂଗ୍ରହ କରିନେଇଥିଲା ଟିମ୍ ଇଣ୍ଡିଆ। ୭ ଓଭରରେ ଭାରତ ୮୨ ରନ୍ କରିଥିବା ବେଳେ ଶେଷ ଓଭରରେ ମ୍ୟାଚ୍ ଜିତିବାକୁ ମାତ୍ର ୯ ରନ୍ ବାକିଥିଲା।ଅଷ୍ଟ୍ରେଲିଆ ପକ୍ଷରୁ ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ସିନ ଆବୋଟ୍ଟ। ଆସୁ ଆସୁ ତାଙ୍କୁ ପ୍ରଥମ ବଲ୍‌ରେ ଛକ୍କା ମାରି ସ୍ୱାଗତ କରିଥିଲେ କାର୍ତ୍ତିକ। ଆଉ ଦ୍ୱିତୀୟ ବଲ୍‌ରେ ଚୌକା ମାରି ମ୍ୟାଚ୍ ଜିତାଇଥିଲେ।

Leave A Reply

Your email address will not be published.