ଦ୍ୱିତୀୟ ଟି-୨୦ : ୮ ଓଭର ବିଶିଷ୍ଟ ମ୍ୟାଚରେ ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଟିମ୍‌ ଇଣ୍ଡିଆରେ ଦୁଇଟି ପରିବର୍ତ୍ତନ

ନାଗପୁର :  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ଦ୍ୱିତୀୟ ମୁକାବିଲା ଆଜି ମହାରାଷ୍ଟ୍ରର ନାଗପୁରଠାରେ ଖେଳାଯାଉଛି। ତେବେ ୨ୟ ଟି୨୦ରେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରୁଛି। ବିଳମ୍ବରେ ଆରମ୍ଭ ହେବା ଯୋଗୁଁ ମ୍ୟାଚକୁ ୮ ଓଭର ବିଶିଷ୍ଟ କରାଯାଇଛି ।

ନାଗପୁର ବିଦର୍ଭ କ୍ରିକେଟ୍ ସଂଘ ଷ୍ଟାଡିୟମ୍‌ରେ ବର୍ଷା ଓ ଓଦା ପଡ଼ିଆ ଯୋଗୁଁ ଏହି ମ୍ୟାଚ ଧାର୍ଯ୍ୟ ସମୟରେ ଆରମ୍ଭ ହୋଇପାରିନନଥିଲା । ପରେ ଅମ୍ପାୟାର ଓ ମ୍ୟାଚ ରେଫରି ପଡ଼ିଆ ପରିଦର୍ଶନ ପରେ ମ୍ୟାଚ ଅବଧିକୁ କମାଇବାକୁ ଘୋଷଣା କରିଥିଲେ । ଫଳରେ ଏହି ମ୍ୟାଚ ୮ ଓଭର ଲେଖାଏଁ ଖେଳାଯାଉଛି । ଅର୍ଥାତ ଉଭୟ ଦଳ ୮ ଓଭଲ ଲେଖାଏଁ ଖେ​ଳିବେ । ଏହା ମଧ୍ୟରୁ ୨ ଓଭର ପାଓ୍ବାର ପ୍ଲେ ରହିବ । ଜଣେ ବୋଲର ସର୍ବାଧିକ ୨ ଓଭର ବୋଲିଂ କରିପାରିବେ ।  ତେବେ ଭାରତ ପାଇଁ ଶୁଭ ସୂଚନା ହେଉଛି ଦଳର ଷ୍ଟ୍ରାଇକ ବୋଲର ଜସପ୍ରୀତ ବୁମରା ଦଳକୁ ଫେରିଛନ୍ତି । ସେ ଉମେଶ ଯାଦବଙ୍କ ବଦଳରେ ଖେଳୁଛନ୍ତି । ଏଥି ସହିତ ଆଜି ଋଷଭ ପନ୍ତ ମଧ୍ୟ ଖେଳୁଛନ୍ତି।


ଏହା ପୂର୍ବରୁ ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‍କୁ ସହଜରେ ଜିତି ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‍ ରେ ଯେପରି ପେସାଦାର ଖେଳ ପ୍ରଦର୍ଶନ କରିଛି, ସେଥିରେ ଯଦି ଭାରତ ନିଜ ଖେଳରେ, ବିଶେଷ କରି ବୋଲିଂରେ ଉନ୍ନତି ନ ଆଣେ ତେବେ ଏଠାରେ ଅଷ୍ଟ୍ରେଲିଆ ସିରିଜ୍‍ ଜିତିବାକୁ ସମର୍ଥ ହେବ। ବ୍ୟାଟିଂକୁ ସହାୟତା ଦେଉଥିବା ପିଚ୍‍ ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଆଦୌ ଉନ୍ନତ ହେଉ ନାହିଁ।

Leave a comment