ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫର୍ମକୁ ଫେରିଲେ କେଏଲ ରାହୁଲ, ଦମ୍‌ଦାର ବ୍ୟାଟିଂ ସହ କଙ୍ଗାରୁ ବିପକ୍ଷରେ ଭାରତକୁ ଦେଲେ ବିଜୟ ଭେଟି

ମୁମ୍ବଇ: ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା। ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ପ୍ରଥମ ଦିନିକିଆରେ ଭାରତ ବିଜୟ ସହ ଏହି ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି। ଭାରତୀୟ ବ୍ୟାଟର କେଏଲ ରାହୁଲ ଫର୍ମକୁ ଫେରିବା ସହ ଏକ ବଡ଼ ଇଂନିସ ଖେଳି ଭାରତକୁ ବିଜୟ ଭେଟି ଦେଇଛନ୍ତି। କଙ୍ଗାରୁ ବୋଲରଙ୍କ ଶାଣିତ ବୋଲିଂ ଆଗରେ ପ୍ରଥମରୁ ଭାରତ ଧରାଶାୟୀ ହୋଇଯାଇଥିବା ବେଳେ କେଏଲ ରାହୁଲ ପାଳି ସମ୍ଭାଳିବା ସହ ବିଜୟରେ ମୁଖ୍ୟ ଭୂମିକା ନେଇଛନ୍ତି।

ଆଜିର ମ୍ୟାଚରେ ଟସ୍‌ ଜିତି ଭାରତ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା।  ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଟ୍ରାଭିସ ହେଡଙ୍କୁ ହରାଇ ଝଟକା ପାଇଥିଲା । ତେବେ ମିଚେଲ ମାର୍ସ ଓ ଷ୍ଟିଭେନ ସ୍ମିଥ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ମାର୍ସ ୮୧ ରନ କରି ରବୀନ୍ଦ୍ର ଜାଦେଜାଙ୍କ ବଲରେ ଆଉଟ ହୋଇଥିଲେ । ସ୍ମିଥ ୨୨ରନ କରିଥିଲେ । କିନ୍ତୁ ଏହା ପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଦଳର ମଧ୍ୟକ୍ରମ ବ୍ୟାଟରମାନେ ସଂପୂର୍ଣ୍ଣ ବିଫଳ ହୋଇଥିଲେ । କେବଳ ଇଙ୍ଗଲିସ୍ ୨୬ ରନ କରିଥିବାବେଳେ ଲାବୁସଚେନ ୧୫ରନ କରିଥିଲେ । ଗ୍ଲେନ ମାକ୍ସଓ୍ବେଲ ମାତ୍ର ୮ ରନ କରି ଆଉଟ ହୋଇଥିଲେ । ଯାହା ଫଳରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୮୮ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ଆଗରେ ୧୮୯ରନର ବିଜୟ ଲକ୍ଷ୍ୟ ରହିଥିଲା। ଭାରତ ପକ୍ଷରୁ ମହମ୍ମଦ ସମ୍ମି ଓ ମହମ୍ମଦ ସିରାଜ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ରବୀନ୍ଦ୍ର ଜାଦେଜା ୨ଟି ଓ୍ବିକେଟ୍ ନେଇଥିବାବେଳେ କୁଳଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହାପରେ ଭାରତ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା। ପ୍ରତିପକ୍ଷ ଅଷ୍ଟ୍ରେଲିଆ ପକ୍ଷରୁ ଦିଆଯାଇଥିବା ଛୋଟ ଟାର୍ଗେଟକୁ ଭାରତ ସହଜରେ ହାସଲ କରିନେବ ବୋଲି ସମସ୍ତେ ଭାବିଥିଲେ। କିନ୍ତୁ ତାହା ହୋଇ ନଥିଲା।ଆରମ୍ଭରୁ ଭାରତ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା। ପ୍ରଥମେ ଓପନର ଇଶାନ କିସାନ ଦଳୀୟ ସ୍କୋର ୫ ରନ୍‌ ଥିବା ବେଳେ ଆଉଟ ହୋଇଥିଲେ। ଏହାପରେ ଆସିଥିବା ବିରାଟ ମଧ୍ୟ ମାତ୍ର ୩ ରନ୍‌ କରି ଦଳୀୟ ସ୍କୋର ୧୬ ଥିବା ବେଳେ ଆଉଟ ହୋଇଥିଲେ। ତେବେ ଏହାପରେ ସବୁଠୁ ବଡ଼ ଝଟକା ଥିବା ସୂର୍ଯ୍ୟକୁମାର ଯାଦବ ଶୂନରେ ଆଉଟ ହେବା । ସୂର୍ଯ୍ୟକୁମାରଙ୍କ ପରେ ପଡିଆକୁ ଆସିଥିବା ଲୋକେଶ ରାହୁଲ ଓପନର ଶୁବମାନ ଗିଲଙ୍କ ସାଥ୍‌ ଦେଇ ଦଳକୁ ଆଗକୁ ନେଉଥିବା ବେଳେ ଦଳୀୟ ସ୍କୋର ୩୯ ଥିବା ସମୟରେ ଶୁବମାନ ଗିଲ ଆଉଟ ହୋଇଯାଇଥିଲେ। ତେିବେ ଏହାପରେ ଦଳ ବଡ଼ ବିପର୍ଯ୍ୟୟରେ ପଡିଯାଇଥିଲା।

ଏହି ସମୟରୁ ଲୋକେଶ ରାହୁଲଙ୍କ ଲଢୁଆ ବ୍ୟାଟିଂ କରି ଦଳକୁ ବିଜୟ ଆଡକୁ ନେଇଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସହ ମିଶି ଦଳକୁ ୮୩ରନ୍‌ ଯାଏଁ ନେବା ପରେ ପାଣ୍ଡ୍ୟା ୨୫ ରନ୍‌ରେ ଆଉଟ ହୋଇଥିଲେ। ଏହାପରେ ଆସିଥିଲେ ରବୀନ୍ଦ୍ର ଜାଡେଜା । ରାହୁଲ-ଜାଡେଜା ଲଢୁଆ ଇଂନିସ ଖେଳି ଦଳକୁ ବିଜୟ ଭେଟି ଦେଇଥିଲେ। ଲୋକେଶ ରାହୁଲଙ୍କ ୭୫ ରନ କରିଥିବା ବେଳେ  ରବୀନ୍ଦ୍ର ଜାଦେଜାଙ୍କ ୪୫ ରନ ବଳରେ ଭାରତ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୩ଟି ୱିକେଟ ନେଇଥିବା ବେଳେ ଷ୍ଟୋଇନିସ ୨ଟି ସଫଳତା ପାଇଛନ୍ତି।

Leave A Reply

Your email address will not be published.