ଭୟ ବଢାଉଛି ଓମିକ୍ରନ : ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍‌, ଟିକାକରଣ ସହ କରିବେ କୋଭିଡ ସ୍ଥିତିର ସମୀକ୍ଷା

ନୂଆଦିଲ୍ଲୀ : ଦେଶରେ ବଢିବାରେ ଲାଗିଛି ଓମ୍ରିକନ ସଂକ୍ରମିତଙ୍କ ସଂଖ୍ୟା। ଏପର୍ଯ୍ୟନ୍ତ ଦେଶର ୧୭ ରାଜ୍ୟରୁ ୪୧୫ ଓମିକ୍ରନ ମାମଲା ଚିହ୍ନଟ ହୋଇଛନ୍ତି।ମହାରାଷ୍ଟ୍ରରୁ ସବୁଠୁ ଅଧିକ ୧୦୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦିଲ୍ଲୀରୁ ୭୯, ଗୁଜରାଟରୁ ୪୩, ତେଲେଙ୍ଗାନାରୁ ୩୮ ଜଣ ଓମିକ୍ରନ୍ ପଜିଟିଭ୍ ବାହାରିଛନ୍ତି । କେରଳରେ ନୂଆ ଭାରିଆଣ୍ଟରେ ୩୭ ଓ ତାମିଲନାଡୁରେ ୩୪, କର୍ଣ୍ଣାଟକ ୩୧ ଓ ରାଜସ୍ଥାନରୁ ୨୨ ଜଣ ସଂକ୍ରମିତ ହୋଇଛନ୍ତି। ଏଥି ସହିତ ହରିଆଣା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରୁ ୪ ଟି ଲେଖାଏଁ ଓମିକ୍ରନ ମାମଲା ଆସିଛି।


ସେହିପରି ପଶ୍ଚିମବଙ୍ଗ, ଜାମ୍ମୁ ଓ କାଶ୍ମୀରରୁ ୩ଜଣ ଏବଂ ଉତ୍ତରପ୍ରଦେଶରୁ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚଣ୍ଡିଗଡ଼, ଲଦାଖ ଓ ଉତ୍ତରାଖଣ୍ଡରୁ ଜଣେ ଲେଖାଏଁ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ମାତ୍ର କିଛି ଦିନ ମଧ୍ୟରେ ଓମିକ୍ରନ ଏପରି କାୟାବିସ୍ତାର କରିବା ପରେ ଆଲର୍ଟରେ କେନ୍ଦ୍ର ସରକାର । ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌ଜନିତ ଭୟ ଏବଂ ହଠାତ୍‌ କୋଭିଡ୍‌-୧୯ ସଂକ୍ରମଣର ଦ୍ରୁତ ବୃଦ୍ଧି ହେତୁ ଅନ୍ୟୂନ ୧୦ଟି ରାଜ୍ୟରେ ‘ମଲ୍‌ଟି-ଡିସିପ୍ଲିନାରି ଟିମ୍‌’ ମୁତୟନ କରିବା ଲାଗି ଆଜି କେନ୍ଦ୍ର ସରକାର କହିଛନ୍ତି।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସ୍ଥିତି ସମୀକ୍ଷା ଲାଗି ୧୦ଟି ରାଜ୍ୟ ଗସ୍ତ କରିବେ କେନ୍ଦ୍ରୀୟ ଟିମ । ଯେଉଁଠାରେ ଓମିକ୍ରନ୍ ଏବଂ କୋଭିଡ-19 ମାମଲାରେ ବୃଦ୍ଧି ଘଟୁଛି କିମ୍ବା ଟିକାକରଣ ଗତି ମନ୍ଥର ରହିଛି । ଏସବୁ ସ୍ଥାନ ପରିଦର୍ଶନ କରିବ ଟିମ୍ ।


ଏ ସଂକ୍ରାନ୍ତରେ ଜାରି ବିବୃତିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ କହିଛି, କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ପଞ୍ଜାବରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି କାରଣ ଉପରେ ଧ୍ୟାନ ଦେବାକୁ ‘‘ମଲ୍‌ଟି-ଡିସିପ୍ଲିନାରି ସେଣ୍ଟ୍ରାଲ୍‌ ଟିମ୍‌’ ମୁତୟନ କରାଯିବ।ଟିମ୍ ପ୍ରତି ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କୋଭିଡ ସ୍ଥିତି ନେଇ ଆଲୋଚନା କରିବ । ଏହାସହ କେନ୍ଦ୍ରୀୟ ଟିମ୍ ପ୍ରତ୍ୟେକ ରାଜ୍ୟରେ କୋଭିଡ ଟୀକାକରଣର ଅଗ୍ରଗତି ଯାଞ୍ଚ କରିବେ । ସେହିଭଳି ସର୍ଭେଲାନ୍ସ, କଣ୍ଟେନମେଣ୍ଟ ଜୋନ ପରିଚାଳନା, ଟେଷ୍ଟିଂ, ଟିକାକରଣ, ଜିନୋମ ସିକ୍ୱେନ୍ସିଂ, ହସ୍ପିଟାଲ ପରିଚାଳନା, ଶଯ୍ୟା ସଂଖ୍ୟା, ଭେଣ୍ଟିଲେଟର, ଆମ୍ବୁଲାନ୍ସ, ଅକ୍ସିଜେନ ପ୍ରସଙ୍ଗରେ ଏହି ଟିମ୍ ସମୀକ୍ଷା କରିବେ।

Leave a comment