କେନ୍ଦୁଝର ଜିଲ୍ଲାରେ ଡ୍ରାଇଭର ସଂଘର ଆନ୍ଦୋଳନ, ଅଶାଳୀନ ବ୍ୟବହାର ସହ ଗାଡିରୁ ଜୋର ଜବରଦସ୍ତ ଯାତ୍ରୀଙ୍କୁ ଓହ୍ଲାଇଲେ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭର ସଙ୍ଘର ଆନ୍ଦୋଳନ କାରଣରୁ ଯାତ୍ରୀବାହୀ ବସ ଚଳାଚଳ ପ୍ରଭାବିତ ହୋଇଛି। କେତେକ ସ୍ଥାନରେ ଆନ୍ଦୋଳନକାରୀ ଡ୍ରାଇଭର ଯାତ୍ରୀବାହୀ ବସ ଏବଂ ଅନ୍ୟାନ୍ୟ ଗାଡି ମୋଟରରୁ ଯାତ୍ରୀ ମାନଙ୍କୁ ଜୋରଜବରଦସ୍ତ ଓହ୍ଲାଇଦେଇଥିବା ଖବର ମିଳିଛି। ଫଳରେ ସାଧାରଣ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଜିଲ୍ଲାର ଭଦ୍ରାସାହି ଛକ, ଚମ୍ପୁଆ ବସ ଷ୍ଟାଣ୍ଡ, ରିମୁଳି ନିକଟ ଟଡୁଆବାହାଳ, ପଳାଶପଙ୍ଗା ସ୍ପଞ୍ଜ ଛକ, କଣ୍ଡରାପଶି, ବାଉଁଶୁଳି, ତୁରୁମୁଙ୍ଗା, ଧ୍ରୁପଦା, ଖଂଟଘର, ତେଲକୋଇ, ଆନନ୍ଦପୁର ସମେତ ଆଉ କେତେକ ସ୍ଥାନରେ ଆନ୍ଦୋଳନକାରୀ ପିକେଟିଂ କରିଥିବା ଜଣାପଡିଛି। କିଛି ସ୍ଥାନରେ ଯାତ୍ରୀବାହୀ ବସ କର୍ମଚାରୀ ମାନଙ୍କୁ ଗାଡ଼ିରୁ ଓହ୍ଲାଇ ସେମାନଙ୍କୁ ଅଶାଳୀନ ବ୍ୟବହାର କରିଥିବା କେନ୍ଦୁଝର ଘରୋଇ ବସ ସଙ୍ଘର ସମ୍ପାଦକ ମନରଞ୍ଜନ ମିଶ୍ର ଅଭିଯୋଗ କରିଛନ୍ତି।

ତାଙ୍କ କହିବା କଥା ଜିଲ୍ଲାରେ ଯାତ୍ରୀ ସେବାକୁ ଅସୁବିଧାରେ ନପକାଇବା ପାଇଁ ବସ ଚଳାଚଳ କରାଯିବାବେଳେ ରାସ୍ତାରେ ଆନ୍ଦୋଳନକାରୀ ଯାତ୍ରୀ ମାନଙ୍କୁ ବାଧ୍ୟତାମୂଳକ ଓଲ୍ହାଇବା ଏବଂ ଆମ କର୍ମଚାରୀଙ୍କୁ ସମସ୍ତଙ୍କ ସମ୍ମୁଖରେ ଅପମାନିତ କଲାଭଳି ବ୍ୟବହାର କରିବା ଦୁଃଖ ଦାୟକ। ପୋଲିସ ପ୍ରଶାସନ କଡା ପଦକ୍ଷେପ ନନେଲେ ପାଶେଞ୍ଜର ବସ ଚଳାଚଳ ମୁସ୍କିଲ। ଆନ୍ଦୋଳନକାରୀ ତାଙ୍କର ଦାବି ପୂରଣପାଇଁ ଆନ୍ଦୋଳନ କରିବାର ଅଧିକାରୀ ଅଛି। କିନ୍ତୁ ଏଭଳି ଯାତ୍ରୀଙ୍କୁ ହଇରାଣ କରିବା ଓ କର୍ମଚାରୀଙ୍କୁ ଅଶାଳୀନ ବ୍ୟବହାର କରିବା ତାଙ୍କର ଅଧିକାର ନାହିଁ ବୋଲି କହିଥିଲେ । ଅନ୍ୟପକ୍ଷରେ ପୋଲିସ ଯଦି ବସ ଚଳାଚଳ ପାଇଁ ସୁରକ୍ଷା ଯୋଗାଇବ ଜିଲ୍ଲାରେ ଯାତ୍ରୀସେବା କୌଣସି ଅସୁବିଧା ହେବ ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ।

Leave a comment