ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ବରରେ ସେପ୍ଟେମ୍ବର ମାସରେ ୫୨୩୦ ଜଣଙ୍କର କଟିଛି ଇ-ଚାଲାଣ, ୩ଟି ନିୟମ ଭାଙ୍ଗି ଅଧିକ ଜରିମାନା ଗଣୁଛନ୍ତି ରାଜଧାନୀର ଗାଡି ଚାଳକ

ଭୁବନେଶ୍ୱର : ରାଜଧାନୀରେ ଶୃଙ୍ଖଳିତ ଗାଡ଼ି ଚଳାଚଳ କରିବା ଲାଗି କମିସନରେଟ ପୁଲିସ ବଦ୍ଧପରିକର। ସହରର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଓ ବ୍ୟବସ୍ଥିତ କରିବା ସହ ଅମାନିଆଙ୍କୁ ସାବାଡ଼ କରିବାକୁ ନୂଆ ନୂଆ ଯୋଜନା ହାତକୁ ନେଇଛି। କିନ୍ତୁ ରାଜଧାନୀରେ ଟ୍ରାଫିକ ଉଲ୍ଲଂଘନକାରୀ ଗାଡ଼ି ଚାଳକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏଣୁ ସହରରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ଟିକ୍‍ନିଖ ଦୃଶ୍ୟ ଉପରେ ନଜର ରଖିବାକୁ ସହରରେ ସିସିଟିଭି ଛାଉଣି କରାଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‍(ବିଏସ୍‍ସିଏଲ୍‍) ସହରରେ ଲଗାଇଥିବା ସିସିଟିଭିରୁ ଟ୍ରାଫିକ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ସଂଖ୍ୟା ଜଳଜଳ କରି ଦେଖାଯାଉଛି।

ସେପ୍ଟେମ୍ବର ମାସରେ ୫୨୩୦ ଅମାନିଆଙ୍କ ଇ-ଚାଲାଣ କଟାଯାଇଛି। ସହରର ଟ୍ରାଫିକ ନିୟମ ଭାଙ୍ଗୁଥିବା ଅମାନିଆଙ୍କୁ ଧରୁଛି ଟ୍ରାଫିକ ଭାଓଲେସନ୍‍ ଡିଟେକ୍ଟର ସିଷ୍ଟମ୍‍ (ଟିଭିଡିଏସ୍‍)। ଏଥିରେ ବିଶେଷକରି ତିନି ପ୍ରକାର ଟ୍ରାଫିକ ନିୟମ ଭାଙ୍ଗୁଥିବା ଉଲ୍ଲଂଘନକାରୀ ଗାଡ଼ି ଚାଳକ ଫସୁଛନ୍ତି। ଦ୍ରୁତଗତିରେ ଗାଡ଼ି ଚଳାଇବା, ରେଡ୍‍ ଲାଇଟ୍‍ ଡେଇଁବା ଓ ରଙ୍ଗ୍‍ରୁଟ୍‍ ଚାଳନାରେ ଅଧିକ ଚାଳକ ଧରାପଡୁଛନ୍ତି। ନିୟମ ଭାଙ୍ଗିବାର କେଇ ମିନିଟ୍‍ ପରେ ଉଲ୍ଲଂଘନକାରୀଙ୍କ ମୋବାଇଲକୁ ଆସୁଛି ଇ-ଚାଲାଣ। ସେହିପରି ଆଗକୁ ପାର୍ବଣ ଆସୁଥିବାରୁ ଏବେଠାରୁ ସିସିଟିଭି ବ୍ୟବସ୍ଥାକୁ ଆହୁରି ତ୍ୱାରାନିତ କରାଯାଇଛି। ରାଜଧାନୀରେ ଷ୍ଟ୍ରିଟ୍‍ କ୍ରାଇମ ଉପରେ ଅଙ୍କୁଶ ଲଗାଇବା ସହ ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ଧରିବା ଲାଗି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି କମିସନରେଟ ପୁଲିସ।

୫୦ ଟପିଲେ ୭ହଜାର ଜରିମାନା

ସହରରେ ୧୩ ଛକରେ ଏଏନ୍‍ପିଆର୍‍/ଟିଭିଡିଏସ୍‍ କ୍ୟାମେରା ଲାଗିଛି। ୫୦ କିମିରୁ ଅଧିକ ବେଗରେ ଗଲେ ୭ହଜାର ଟଙ୍କା ଜରିମାନା ଗଣୁଛନ୍ତି ଅମାନିଆ ଗାଡ଼ି ଚାଳକ। ପଟିଆ, ପାୱାର ହାଉସ୍‍, କଳିଙ୍ଗ ଷ୍ଟାଡିୟମ, କ୍ୟାପିଟାଲ ହସ୍ପିଟାଲ, ରାଜମହଲ, କିଟ୍‍, ନାକାଗେଟ୍‍, ଶିଶୁଭବନ ଭଳି ଛକରେ ସିସିଟିଭି ଖଞ୍ଜା ଯାଇଛି। ତେବେ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଘରେ ଚାଲାଣ ବି ପହଞ୍ଚିଯାଉଛି। ପ୍ରଥମ ଥର ଉଲ୍ଲଂଘନ କଲେ ଲାଇସେନ୍ସ ବାତିଲା ହେବା ସହ ପରବର୍ତ୍ତୀ ସମୟରେ ଡ୍ରାଇଭିଂ ଲାଇସେନ୍ସ ସବୁଦିନ ଲାଗି ରବ୍ଦ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସ୍ମାର୍ଟସିଟିରେ କାର୍ଯ୍ୟକ୍ଷମ ୭୭୨ ସିସିଟିଭି

ରାଜଧାନୀରେ ଷ୍ଟ୍ରିଟ୍‍ କ୍ରାଇମ ଉପରେ ଲଗାମ ଲଗାଇବା ସହ ଟ୍ରାଫିକ ନିୟମ ଭାଙ୍ଗୁଥିବା ଅମାନଆଙ୍କୁ ଧରିବାକୁ ସହରରେ ସିସିଟିଭି ଖଞ୍ଜାଯାଇଛି। ସ୍ମାର୍ଟସିଟିରେ ଏବେ କାର୍ଯ୍ୟକ୍ଷମ ହେଉଛି ୭୭୨ ସିସିଟିଭି। ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ଧରିବା ଲାଗି ୨୬୦ଟି ଟିଭିଡିଏସ ଓ ଡିଏମ୍‍ଏସ୍‍ ସିସିଟିଭି କାର୍ଯ୍ୟକ୍ଷମ ହେଉଥିବା ବେଳେ ଅପରାଧ ଘଟାଉଥିବା ଅପରାଧୀଙ୍କୁ ଧରିବା ସହ ଦୁର୍ଘଟଣା ବିଷୟରେ ସବୁ ତଥ୍ୟ ଯୋଗାଡ କରିବା ଲାଗି ୫୧୨ଟି ସିସିଟିଭି କାର୍ଯ୍ୟକ୍ଷମ ହେଉଛି। ସେହିପରି ଛକଗୁଡିକରେ ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା ଲଗାଯାଇଛି। କାରଣ ଛକର ସବୁ ଦୃଶ୍ୟ ଏଥିରେ କଏଦ୍‍ ରହୁଛି। ପରବର୍ତ୍ତୀ ସମୟରେ ଆବଶ୍ୟକ ପଡ଼ିଲେ କୌଣସି ବ୍ୟକ୍ତିଙ୍କ ଚିତ୍ର ସ୍ପଷ୍ଟ ଆସୁଛି। ଏଥିସହିତ ଅପରାଥି ଆଉ ଅପରାଧ ଘଟାଇ ଖସିପାରିବେ ନାହିଁ। ଉକ୍ତ ସିସିଟିଭିରେ ସବୁ ରେକର୍ଡ ରହିବା ସହ ପରବର୍ତ୍ତୀ ସମୟରେ ଉକ୍ତ ଫୁଟେଜକୁ ଯାଞ୍ଚ କରି ଅପରାଧୀ ନିକଟରେ ପହଞ୍ଚିବାରେ ସହଜ ହେଉଛି। ଟ୍ରାଫିକର ପୁରୁଣା ସିଷ୍ଟମ ସହ ନୂଆ ସିସିଟିଭି ସଂଯୋଗ କରାଯିବ। ଏଥିରେ କିଭଳି ଚିତ୍ର ଉତ୍ତୋଳନ ହୋଇ ରହିବ ଏବଂ ସ୍ପଷ୍ଟ ଦିଶିବ ତାକୁ ନେଇ ସିଷ୍ଟମ୍‍ ଇନ୍‍ଷ୍ଟଲ୍‍ କରାଯିବ।

୮୯ ସ୍ଥାନରେ ଲାଗିବ ୩୫୦ ନୂଆ କ୍ୟାମରା

ସ୍ମାର୍ଟସିଟିରେ ସିସିଟିଭି ଲାଗିବା ଦ୍ୱାରା ସର୍ଭିଲାନ୍ସ ବ୍ୟବସ୍ଥା ସୁଦୃଢ଼ ହେବା ସହ ଅପରାଧରେ ନିୟନ୍ତ୍ରଣ ଆଣିବାକୁ ସ୍ମାର୍ଟସିଟି ଓ କମିସନରେଟ ପୁଲିସ ପକ୍ଷରୁ ନୂଆ ଯୋଜନା ହୋଇଛି। ରାଜଧାନୀର ୮୯ଟି ସ୍ଥାନରେ ଲାଗିବ ଆଉ ୩୫୦ ସିସିଟିଭି। ପ୍ରତି ଜୋନ୍‍ରେ ୨୦ରୁ ୨୨ଟି ଲେଖାଏଁ ସମ୍ବେଦନଶୀଳ ଛକ ଚିହ୍ନଟ କରାଯାଇଛି। ୬ଟି ଜୋନ୍‍ର ଏସିପି ସେମାନଙ୍କ ଥାନା ଅଞ୍ଚଳରେ ସିସିଟିଭି ଲାଗିନଥିବା ସ୍ଥାନଗୁଡିକର ଏକ ତାଲିକା ଦେଇଛନ୍ତି। କେଉଁ ସ୍ଥାନରେ ସିସିଟିଭି ଲଗାଯିବ ତା’ ଉପରେ ପ୍ରସ୍ତାବ ଦିଆଯାଇଛି। ଯେଉଁ ଅଞ୍ଚଳରେ ବାରମ୍ବାର ଚୋରି, ଲୁଟ୍‍ପାଟ୍‍ ଓ ଅନ୍ୟ ଅପରାଧୀକ କାର୍ଯ୍ୟକଳାପ ହେଉଛି ଉକ୍ତ ଅଞ୍ଚଳକୁ ଚିହ୍ନଟ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଉପକଣ୍ଠରେ ଅପରାଧୀ ଉପରମୁହାଁ। ଏଣୁ ଉପକଣ୍ଠରେ ସିସିଟିଭି ଲଗାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ବାଲିପାଟଣା, ବାଲିଅନ୍ତା, ମଞ୍ଚେଶ୍ୱର, ଚନ୍ଦକା, ଭରତପୁର, ଯାଁଳା, ତମାଣ୍ଡୋ, ଜଟଣୀ, ଖଣ୍ଡଗିରି, ଚନ୍ଦକା ଭଳି ଥାନା ଅଞ୍ଚଳରେ ଥିବା ଗୁରୁତ୍ୱପୂର୍ଣ୍ଣ ଛକଗୁଡିକର ତାଲିକା ଦିଆଯାଇଛି।

Leave A Reply

Your email address will not be published.