୨୦ ଦିନରେ ୨୭ ଦେଶକୁ ବ୍ୟାପିଲା ମଙ୍କିପକ୍ସ : ୭୮୦ ଲୋକ ସଂକ୍ରମିତ, ଭୂତାଣୁ ନେଲାଣି ୧୦ ଜୀବନ

ଜେନେଭା : କରୋନା ମଧ୍ୟରେ ବିଶ୍ବ ପ୍ରତି ନୂଆ ସଙ୍କଟ ସୃଷ୍ଟି ହୋଇଛି। ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସଂକ୍ରମଣ ଗତ ୨୦ ଦିନରେ ୨୭ ଦେଶକୁ ବ୍ୟାପିଲାଣି। ଏ ପର୍ଯ୍ୟନ୍ତ ୭୮୦ ଲୋକ ଏହି ଭୂତାଣୁରେ ସଂକ୍ରମିତ ହେଲେଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହି ସୂଚନା ଦେଇଛି। ତେବେ ଚିନ୍ତାର ବିଷୟ ଏହି କି ଯେ ଭୂତାଣୁ ଲୋକଙ୍କ ଜୀବନ ମଧ୍ୟ ନେଲାଣି। ଚଳିତ ବର୍ଷ କଙ୍ଗୋରେ ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ନାଇଜେରିଆରେ ଭୂତାଣୁ ପ୍ରଥମ ଜୀବନ ନେଇଛି।ଏହି ଭୂତାଣୁ ସଂକ୍ରମଣକୁ ଦେଖି ଭାରତ ସରକାର ଗତ ୩୧ ତାରିଖରେ ମାର୍ଗଦର୍ଶିକା ଜାରି କରିଥିଲେ।

ସୂଚନାଯୋଗ୍ୟ ଯେ ଏ ପର୍ଯ୍ୟନ୍ତ ଭାରତରେ ଏହି ମାମଲା ଚିହ୍ନଟ ହୋଇନାହିଁ। ତେବେ ମହାରାଷ୍ଟ୍ରରେ ୨ ଜଣ ସଂକ୍ରମିତଙ୍କ ମଙ୍କିପକ୍ସ ଭଳି ଲକ୍ଷଣ ରହିଛି। ଏହି ନମୁନା ପରୀକ୍ଷଣ ପାଇଁ ପଠାଯାଇଛି। ଭାରତ ସରକାର ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରି ମଙ୍କିପକ୍ସ ସଂକ୍ରମିତ ବ୍ୟକ୍ତିଙ୍କ ଲାଗି ୨୧ ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ କରିଛନ୍ତି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ମଧ୍ୟ ୨୧ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ମଙ୍କିପକ୍ସ ଭୂତାଣୁ ଅର୍ଥୋପକ୍ସଭାଇରସ ଗୋଷ୍ଠୀର। ଏହି ଗୋଷ୍ଠୀର ଅନ୍ୟ ଭୂତାଣୁ ଯୋଗୁଁ ମିଳିମିଳା ଏବଂ ଫାଟୁଆ ରୋଗ ହୋଇଥାଏ। ‘ହୁ’ ଅନୁଯାୟୀ ମଙ୍କିପକ୍ସ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟଜଣକୁ ବହୁତ କମ୍‌ ମିଳିଥାଏ। ସଂକ୍ରମିତ ବ୍ୟକ୍ତିଙ୍କ କାଶ, ତ୍ବଚାର ଘା’ କିମ୍ବା ନିକଟତର ହେଲେ ସଂକ୍ରମିତ ହେବାର ଆଶଙ୍କା ଅଧିକ ଥାଏ।

Leave a comment