ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁର୍ନୀତିଖୋରଙ୍କ ନିଦ ହଜାଇଛି ଭିଜିଲାନ୍ସ : ୨୦୨୨ରେ ୭୭ ପ୍ରତିଶତ ମାମଲାରେ ମିଳିଛି ସଜା

ଭୁବନେଶ୍ୱର : ଭିଜିଲାନ୍ସ ବିଭାଗରେ ‘୫ଟି’ ଲାଗୁ ହେବା ପରେ ଦୁର୍ନୀତି ଖୋରଙ୍କ ନିଦ ହଜିଛି। ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ପ୍ରମାଣ ସଂଗ୍ରହ ଓ ଉପସ୍ଥାପନକୁ ଗୁରୁତ୍ୱ ଦିଆଯାଉଥିବାରୁ ୨୦୨୨ରେ ୭୭ ପ୍ରତିଶତ ମାମଲାରେ ସଜା ମିଳିଛି। ଏହା ଗତ ୧୦ ବର୍ଷ ଭିତରେ ସର୍ବାଧିକ। ୨୦୧୩ରେ ୩୮ପ୍ରତିଶତ ରହିଥିବା ବେଳେ ୨୦୧୪ରେ ୪୪, ୨୦୧୫ରେ ୫୦ ପ୍ରତିଶତ ରହିଛି। ସେହିପରି ୨୦୧୬ରେ ୫୦ ପ୍ରତିଶତ ରହିଥିବା ବେଳେ ୨୦୧୭ରେ ୪୬ ପ୍ରତିଶତ ରହିଛି।

୨୦୧୮ରେ ୬୭ ପ୍ରତିଶତ ଥିବା ବେଳେ ୨୦୧୯ରେ ୬୯ ପ୍ରତିଶତ ରହିଛି। ୨୦୨୦ରେ ୬୭ ରହିଥିବା ବେଳେ ୨୦୨୧ରେ ୬୭ ପ୍ରତିଶତ ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଚିହ୍ନଟ ଏବଂ ପଞ୍ଜିକରଣରେ ୨୦୨୧ରେ ଓଡ଼ିଶା ଭିଜିଲାନ୍ସ ଦେଶରେ ଏକ ନମ୍ୱର ଥିଲା। ସେହି ବର୍ଷ ୯୨ଟି ଡିଏ କେସ୍‌‌ରେ ଭିଜିଲାନ୍ସ ପଞ୍ଜୀକରଣ କରିଥିଲା। ଯାହାକି ଏନ୍‌‌ସିଆର୍‌ବି ତଥ୍ୟରେ ପ୍ରକାଶ ପାଇଥିଲା। ଏହିଭଳି ୨୦୨୨ରେ ମଧ୍ୟ ଓଡ଼ିଶା ଭିଜିଲାନ୍ସ ୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ପଞ୍ଜିକୃତ ହୋଇଛି। ୨୦୨୨ ଏପ୍ରିଲ ମାସରେ ୩.୪କୋଟି ଟଙ୍କା ଜବତ ହୋଇଥିଲା। ସମୁଦାୟ ୪ଟି ମାମଲାରେ ୭କୋଟି ୧ଲକ୍ଷ ୪୫ହଜାର ୫୭୦ ଟଙ୍କା ଜବତ ହୋଇଥିଲା।

ବଡ଼ କଥା ହେଲା ୨୦୨୨ରେ ୬୦ ଜଣ କ୍ଲାସ୍‌‌-୧ ଅଧିକାରୀଙ୍କ ବିରୋଧରେ ମାମଲା ହୋଇଥିଲା। ଯାହା ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ଥିଲା। ତ୍ୱରିତ ତଦନ୍ତ ଏବଂ ଚାର୍ଜସିଟ୍‌‌ ଦାଖଲ ଉପରେ ଗୁରୁତ୍ୱ ଦିଆଯାଉଛି। ଗତ ବର୍ଷ ମାମଲା ଡିସ୍‌‌ପୋଜାଲରେ ଭିଜିଲାନ୍ସ ଆଗରେ ରହିଛି। ୨୦୨୨ରେ ୧୨୨ ପ୍ରତିଶତ ମାମଲା ଡିସ୍‌‌ପୋଜାଲ୍‌‌ କରାଯାଇଛି। ଆଗାମୀ ଦିନରେ ତଦନ୍ତକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଏବଂ ଭିଜିଲାନ୍ସ କୋର୍ଟରେ ବିଚାର ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଉପରେ ଓଡ଼ିଶା ଭିଜିଲାନ୍ସ ଗୁରୁତ୍ୱ ଦେଉଛି।

ଶନିବାର ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଆୟୋଜିତ କର୍ମଶାଳାର ଦ୍ୱିତୀୟ ଦିନରେ ଏସବୁ ତଥ୍ୟ ଉପସ୍ଥାପିତ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ ଓ ମୋକଦ୍ଦମାକୁ ସୁଦୃଢ଼ କରିବା ଉପରେ ଆଲୋଚନା କରାଯାଇଥିଲା। ଏହି କର୍ମଶାଳାରେ ତଦନ୍ତକାରୀ ଅଧିକାରୀ, ପ୍ରୋସିକ୍ୟୁଟର, ଟେକ୍ନିକାଲ ଏକ୍ସପର୍ଟ, ବ୍ୟାଙ୍କ୍‌‌ ଅଫିସର, ଚାଟାର୍ଡ ଆକାଉଟାଣ୍ଟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ଉଦଯାପନୀ ଅଧିବେଶନରେ ଲୋକାୟୁକ୍ତ ସଦସ୍ୟ ତଥା ପୂର୍ବତନ ପୁଲିସ ଡିଜି ଡାକ୍ତର ଆର୍‌‌.ପି ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଂଶଗ୍ରହଣକାରୀଙ୍କୁ ଉଦ୍‌‌ବୋଧନ ଦେଇଥିଲେ। ଭିଜିଲାନ୍ସ ନିର୍ଦ୍ଦେଶକ ୱାଇକେ ଜେଠୱା ସ୍ୱାଗତ ଭାଷଣ ଦେଇଥିଲେ। ସବୁବେଳେ ଭିଜିଲାନ୍ସ ମାମଲା ଚିହ୍ନଟ ଉପରେ ଗୁରୁତ୍ୱ ଦେଉଛି। ମାମଲାର ତଦନ୍ତ ଏବଂ ବିଚାର ପକ୍ରିୟା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଯାହାକି ୨୦୨୧ରେ ଓଡ଼ିଶା ଭିଜିଲାନ୍ସ ଡିଏ ମାମଲାରେ ଦେଶରେ ପ୍ରଥମ ହୋଇଛି ବୋଲି ଶ୍ରୀ ଜେଠୱା କହିଥିଲେ।

ଲୋକାୟୁକ୍ତ ସଦସ୍ୟ ଆର.ପି ଶର୍ମା କହିଥିଲେ ଯେ, ଓଡ଼ିଶା ଭିଜିଲାନ୍ସ ନିରପେକ୍ଷ ତଦନ୍ତ କରୁଛି। ଯେଉଁଥି ପାଇଁ ଦକ୍ଷ ଦୁର୍ନୀତି ନିବାରଣକାରୀ ସଂସ୍ଥା ଭାବେ ଦେଶରେ ସ୍ୱତନ୍ତ୍ର ନାମ ଅର୍ଜନ କରିଛି। ଭିଜିଲାନ୍ସର ଅନେକ କାର୍ଯ୍ୟକୁ ଡାକ୍ତର ଶର୍ମା ଭୂୟସୀ ପ୍ରଶଂସା କରିଥିଲେ। ଏହି କର୍ମଶାଳା ଦକ୍ଷତା ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଓ ସମାଜରୁ ଦୁର୍ନୀତି ଦୂର କରିବାରେ ଓଡ଼ିଶା ଭିଜିଲାନ୍ସ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଡାକ୍ତର ଶର୍ମା କହିଥିଲେ।

Leave A Reply

Your email address will not be published.