ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାରବାଟୀକୁ ମ୍ୟାଚ୍‌ ଦେଖିବାକୁ ଆସୁଥିବା ଦର୍ଶକମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା, ଯାହା ଜାଣିବା ନିହାତି ଆବଶ୍ୟକ….

କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଅଢ଼େଇ ବର୍ଷ ପରେ ଆସିଛି ଅନ୍ତର୍ଜାତୀୟ ମ୍ୟାଚ୍‍। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍। ଚଳିତ ୫ଟିକିଆ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ସେମାନେ ଏଠାରେ ପଡ଼ିଆକୁ ଓହ୍ଲାଇବେ। ଏହି ମ୍ୟାଚ୍‌କୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ଟିକେଟ ବିକ୍ରି ସମୟରେ ଯେଉଁଭଳି ଭିଡ ଦେଖିବାକୁ ମିଳିଥିଲା ତାହା ଦର୍ଶାଉଛି ଯେ ବାରବାଟୀରେ ଖଚାଖଚ ଦର୍ଶକ ରହିବେ । ବହୁ ଦର୍ଶକଙ୍କ ଆଗମନ ହେବାକୁ ଥିବାରୁ କମିଶନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଅପରାହ୍ନ ୩ଟାରୁ ସମସ୍ତ ଗେଟ୍ ଖୋଲାଯିବ। ଦର୍ଶକମାନେ ଯେଭଳି ବିନା ଭିଡ଼ରେ ଷ୍ଟାଡିୟମ ଭିତରେ ପ୍ରବେଶ କରି ପାରିବେ, ସେହି ଉଦ୍ଦେଶ୍ୟରେ ଏଭଳି ବ୍ୟବସ୍ଥା କରାଯାଇଥିବା ଡିସିପି ପିନାକ୍ ମିଶ୍ର ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାରବାଟୀରେ ମ୍ୟାଚ୍ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩ ଡିସିପି ଦାୟିତ୍ବରେ ରହିବେ। ତାଙ୍କ ସହିତ ୭ ଜଣ ଅତିରିକ୍ତ ଏଡିସିପି, ୩୨ ଏସିପି, ୪୫ ଇନ୍‌ସ୍ପେକ୍ଟର, ୨୭୦ ଏସଆଇ, ୧୧୩ ଟ୍ରାଫିକ, ୬୨ ପ୍ଲାଟୁନ୍ ଫୋର୍ସ, ୪୩ ମହିଳା କନଷ୍ଟେବଳ, ୧୭୦ ହୋମଗାର୍ଡ ନିୟୋଜିତ ହେବେ। ଷ୍ଟାଡିୟମ୍ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାରେ ଯେଭଳି କୌଣସି ତ୍ରୁଟି ନରହିବ, ସେ ଦିଗରେ ଦୃଢ ପଦକ୍ଷେପ ନିଆଯିବ ‌ବୋଲି ଡିସିପି ସୂଚନା ଦେଇଛନ୍ତି।

କଟକ ବାହାର ଦର୍ଶକ କେଉଁବାଟେ ଷ୍ଟାଡିୟମକୁ ଆସିବେ?

କଟକକୁ ଭୁବନେଶ୍ବର କିମ୍ବା ଜଗତପୁର ପଟୁ କେହି ଆସୁଥିଲେ ଜାତୀୟ ରାଜପଥରେ ଶିଖରପୁର ଦେଇ ଗୁରୁଦ୍ବାରା-ଯୋବ୍ରା- ମାତାମଠ-ଗଡ଼ଗଡ଼ିଆ ମନ୍ଦିର-ବାମ୍ବୋ ଡିପୋ ଦେଇ ୧୪ ନଂ ଗେଟ୍‌ରେ ଷ୍ଟାଡିୟମକୁ ପ୍ରବେଶ କରିବେ। ସେଠୁ ବାରବାଟୀର ବିଭିନ୍ନ ଗେଟ୍‌ରେ ଷ୍ଟାଡିୟମ୍‌କୁ ଟିକେଟ୍‌ରେ ଉଲ୍ଲେଖ ଥିବା ଗ୍ୟାଲେରି ଅନୁଯାୟୀ ପ୍ରବେଶ କରିବେ। ସେହିଭଳି ପଟିଆ ପଟୁ ଆସିଲେ ପଟିଆ ଛକ-ରଘୁନାଥପୁର-ବାରଙ୍ଗ-ତ୍ରିଶୂଳିଆ-ବେଲଭ୍ୟୁ-ସତୀଚଉରା-ଚହଟା-କ୍ୟାଣ୍ଟନମେଣ୍ଟ-ବାମ୍ବୋ ଡିପୋ ଦେଇ ୧୪ ନଂ ଗେଟ୍‌ରେ ପ୍ରବେଶ କରିବେ।

କେଉଁଠି କିଏ କରିବେ ଗାଡି ପାର୍କିଂ

୧. ତଳ ବାଲିଯାତ୍ରା ପଡ଼ିଆରେ ସର୍ବସାଧାରଣଙ୍କ ପାଇଁ ସିଏମ୍‌ସି ପକ୍ଷରୁ ପାର୍କିଂ ବ୍ୟବସ୍ଥା କରାଯାଇଛି।
୨. ଉପର ବାଲିଯାତ୍ରା ପଡ଼ିଆରେ ଜରୁରିକାଳୀନ ସେବା ଯୋଗାଉଥିବା ସରକାରୀ ସଂସ୍ଥାର ଅଧିକାରୀଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ଯେମିତିକି ଅଗ୍ନିଶମ, ପୁଲିସ, ଆମ୍ବୁଲାନ୍ସ ଭଳି ସେବା ଯୋଗାଉଥିବା ସଂସ୍ଥାର ଅଧିକାରୀ ଗାଡ଼ି ପାର୍କିଂ କରିବେ।
୩. ଗେଟ୍ ନଂ ୧ରେ ପ୍ରବେଶ କଲା ପରେ କ୍ରିକେଟ୍ ଏକାଡେମିରେ ଓସିଏ ସଦସ୍ୟଙ୍କ ପାଇଁ ପାର୍କିଂର ବ୍ୟବସ୍ଥା ରହିଛି।
୪. ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ ପରିସରରେ ପାର୍କିଂ ବ୍ୟବସ୍ଥା ରହିଛି।
୫. ୧୪ ନଂ ଗେଟ୍‌ରେ ପ୍ରବେଶ କରି ସେଣ୍ଟ ଜାଭିଅର ସ୍କୁଲ ପରିସରରେ ବିସିସିଆଇର ଅଧିକାରୀ, ମ୍ୟାଚ୍ ରେଫରି, ଅମ୍ପେୟାର, ଓସିଏ ଅଧିକାରୀ ଓ ଅତିଥିଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ରହିଛି।
୬. ହର୍ସ ଗେଟ୍ ସାମନାରେ ବିଚାରପତି ଏବଂ ଟିଭି କ୍ରିଉଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ରହିଛି।

କେଉଁ ଗାଡି ପାଇଁ କେତେ ପାର୍କିଂ ଫି

ତଳ ବାଲିଯାତ୍ରା ପଡ଼ିଆରେ ଦର୍ଶକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ହୋଇଥିବା ବେଳେ ଯାନ ଅନୁଯାୟୀ ଚାରି ପ୍ରକାର ମୂଲ୍ୟ ସ୍ଥିର ହୋଇଛି। ଚାରି ଚକିଆ ଗାଡ଼ି ପାଇଁ ୫୦ ଟଙ୍କା, ତିନି ଚକିଆ ଗାଡ଼ି ପାଇଁ ୩୦ ଟଙ୍କା, ଦୁଇ ଚକିଆ ଗାଡ଼ି ପାଇଁ ୨୦ ଟଙ୍କା, ବାଇସାଇକେଲ୍ ପାଇଁ ୧୦ ଟଙ୍କା ଧାର୍ଯ୍ୟ ହୋଇଛି। ସକାଳ ୮ଟାରୁ ରାତି ୧୧ଟା ଯାଏ ପାର୍କିଂ ଖୋଲା ରହିବ। ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ଯଦି ପାର୍କିଂ ଦାୟିତ୍ବରେ ଥିବା ବ୍ୟକ୍ତି ନିଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଟ୍ରାଫିକ୍ ପୁଲିସ ଓ ସିଏମ୍‌ସିର ଅଧିକାରୀ ମିଳିତ ଭାବେ କାର୍ଯ୍ୟ କରିବେ।

କେଉଁ ଷ୍ଟାଣ୍ଡକୁ କେଉଁ ବାଟେ ଯିବେ

ଓସିଏ ବକ୍ସ, ନ୍ୟୁ ପ୍ୟାଭିଲିୟନ୍‍, ପୁରୁଣା ପ୍ୟାଭିଲିୟନ୍‍: ଗେଟ୍‍ ନମ୍ବର ୧ ( ୱାଇଏମ୍‍ସିଏ ସାମ୍ନା)
ଗ୍ୟାଲେରୀ ନଂ ୫: ଗେଟ୍‍ ନମ୍ବର ୨ (ଆର୍ମି ରିକ୍ରୁଟିଂ ଅଫିସ)
ଗ୍ୟାଲେରୀ ନଂ ୭ ଓ ସ୍ପେସାଲ୍‍ ଏନ୍‍କ୍ଲୋଜର୍‍ ବ୍ଲକ ଏ: ଗେଟ୍‍ ନମ୍ବର ୩ (ବାରବାଟୀ ପ୍ୟାଲେସ୍‍ ପାର୍ଶ୍ବ)
ଗ୍ୟାଲେରୀ ନଂ ୬: ଗେଟ୍‍ ନମ୍ବର ୪(ଆଦିତ୍ୟ କ୍ୟାଣ୍ଟିନ)
ସ୍ପେଶାଲ୍‍ ଏନ୍‍କ୍ଲୋଜର୍‍ ବ୍ଲକ ବି: ଗେଟ୍‍ ନମ୍ବର ୫( ହର୍ସ ଗେଟ୍‍ ପାର୍ଶ୍ବ)
କର୍ପୋରେଟ୍‍ ବକ୍ସ, ଅଲିମ୍ପିକ୍‍ ବକ୍ସ ଏ: ଗେଟ୍‍ ନମ୍ବର ୬( ହର୍ସ ଗେଟ୍‍ ପାର୍ଶ୍ବ)
ଟିଭି କ୍ରିଉ: ଗେଟ୍‍ ନମ୍ବର ୭( ହର୍ସ ଗେଟ ପାର୍ଶ୍ବ)
କର୍ପୋରେଟ ବକ୍ସ ଓ ଅଲିମ୍ପିକ ବକ୍ସ ବି: ଗେଟ ନଂ ୮
ଗ୍ୟାଲେରୀ ନଂ ୧: ଗେଟ୍‍ ନମ୍ବର ୯
ଗ୍ୟାଲେରୀ ନଂ ୨: ଗେଟ୍‍ ନମ୍ବର ୧୦
ଏସି ବକ୍ସ(ଗ୍ୟାଲେରୀ ୨), କ୍ଲବ୍‍ ହାଉସ୍‍, ଏମ୍‍ଜିଏମ୍‍ ବକ୍ସ: ଗେଟ ନମ୍ବର ୧୧
ଗ୍ୟାଲେରୀ ନଂ ୩: ଗେଟ ନମ୍ବର ୧୨
ଗ୍ୟାଲେରୀ ନଂ ୪: ଗେଟ୍‍ ନମ୍ବର ୧୩

ଷ୍ଟାଡିୟମ୍ ଭିତରକୁ ଯାଉଥିବା ଦର୍ଶକଙ୍କ ଉପରେ କଟକଣା

ଷ୍ଟାଡିୟମ୍‌ରେ ବସି ଖେଳ ଦେଖିବାକୁ ଥିବା କ୍ରୀଡ଼ାପ୍ରେମୀଙ୍କ ଉପରେ ଲାଗିଛି ଅନେକ କଟକଣା।ଷ୍ଟାଡିୟମ ଭିତରେ ପ୍ରବେଶ କରୁଥିବା ଦର୍ଶକଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ମାସ୍କ ନଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ। ସୁରକ୍ଷା ଜନିତ କାରଣରୁ ବ୍ୟାଗ, ବ୍ରିଫକେସ, ପେଜର, ରେଡିଓ, ଡିଜିଟାଲ ଡାଏରି, ଲ୍ୟାପଟପ, ଟେପ ରେକର୍ଡର, ବାଇନା କୁଲର, ରିମୋଟ କଂଟ୍ରୋଲ ଡିଭାଇସ୍, ମ୍ୟୁଜିକାଲ ଇନଷ୍ଟ୍ରୁମେଂଟ, ଭିଡିଓ କ୍ୟାମେରା, ହେଲମେଟ, ଡିଜିଟାଲ କ୍ୟାମେରା, ଫୋଟକା ବାଣ, ଥର୍ମୋଫ୍ଲାକ୍ସ, ଜଗ, ଛତା, ବିଡ଼ି, ସିଗାରେଟ, ଦିଆସିଲି, ଲାଇଟର, ମିରର, ସିଜର, କାଚ ବସ୍ତୁ, ଛୁରି, ମାରଣାସ୍ତ୍ର, ତରଳ ଖାଦ୍ୟ, ଫଳ, ପାଣି ବୋତଲ, ପାଣି ପାଉଚ, ପଲିଥିନ୍ ଆଣିବାକୁ ଓସିଏ ଓ ପୁଲିସ୍ ପକ୍ଷରୁ ମନା କରାଯାଇଛି । ଦର୍ଶକମାନଙ୍କୁ ଗ୍ୟାଲେରିରେ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

ଷ୍ଟାଡିୟମ୍‌ରେ ଦର୍ଶକଙ୍କୁ ଏହିସବୁ ସୁବିଧା ମିଳିବ

ଷ୍ଟାଡିୟମ ଭିତରେ ଓସିଏ ପକ୍ଷରୁ ଦର୍ଶକଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଛି। ଦର୍ଶକ ଟଙ୍କା ଦେଇ ଖାଦ୍ୟ, ପାଣି କିଣି ପାରିବେ। ଷ୍ଟାଡିୟମ ଭିତରେ ଶୌଚାଳୟର ବ୍ୟବସ୍ଥା ବି କରାଯାଇଛି। ଦର୍ଶକ ଖେଳ ସମୟରେ ଷ୍ଟାଡିୟମ ବାହାରକୁ ଆସି ପୁଣି ଭିତରକୁ ଯିବାର ଅନୁମତି ନଥିବାରୁ ଓସିଏ ପକ୍ଷରୁ ଶୌଚାଳୟ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.