କାହିଁକି ମଙ୍ଗଳସୂଚକ କଳସକୁ ଶୁଭଦାୟକ ବିବେଚନା କରାଯାଏ…

ପୂଜାପାଠ, ଶୁଭ ତଥା ମାଙ୍ଗଳିକ କାର୍ଯ୍ୟରେ କଳସ ସ୍ଥାପନ ଭାରତୀୟ ସଂସ୍କୃତିରେ ଶୁଭଦାୟକ ବୋଲି ବିବେଚନା କରାଯାଏ। ଏପରିକି ପ୍ରତିଦିନ ଦୁଆରବନ୍ଧ, ପୂଜାଘରେ ମଧ୍ୟ କଳସ ବସାଯାଏ। ସାଧାରଣତଃ କଳସ ଧାତୁ କିମ୍ବା ମାଟି ପାତ୍ରର ହୋଇଥାଏ।
ବିଶ୍ବାସ ରହିଛି ଯେ, ପୂଜାପାଠ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ଯେତେବେଳେ କଳସ ସ୍ଥାପନା କରାଯାଏ, ସେତେବେଳେ ତ୍ରିଦେବଙ୍କ ଶକ୍ତି ବିରାଜମାନ କରିଥାଏ। ତେବେ, କଳସରେ ଆମ୍ବ ପତ୍ର, ନାସିଲଗା ପଇଡ଼, ସାଲୁକନା ଇତ୍ୟାଦି ନିୟମାନୁଯାୟୀ ରଖିବା ଉଚିତ। କଳସ ସ୍ଥାପନ କରିବା ପୂର୍ବରୁ ଭୂମି ଉପରେ ଅଷ୍ଟଦଳ ଅଙ୍କାଯାଏ। ଏହା ଉପରେ ଅକ୍ଷତ ରଖାଯାଏ। ଜଳ, ଦୂବ, ଚନ୍ଦନ, ପଞ୍ଚାମୃତ, ଗୁଆ, ହଳଦୀ ଆଦି ଶୁଭ ଜିନିଷ ରଖି ଅକ୍ଷତ ଉପରେ ସ୍ଥାପନା କରାଯାଏ ଓ କଳସରେ ସ୍ବସ୍ତିକ ଚିହ୍ନ ଅଙ୍କନ କରାଯାଏ। ଏହାପରେ କଳସ ଉପରେ ପଇଡ଼ କିମ୍ବା ନଡ଼ିଆ ବସାଯାଏ। କେହି କେହି ପଇଡ଼କୁ ଲାଲ୍ ରଙ୍ଗର କପଡ଼ା ବା ସାଲୁକନା ଗୁଡ଼ାଇ ପୂଜା କରିଥା’ନ୍ତି। କଳସରେ ପଇଡ଼ ରଖି ପୂଜା କଲେ, ଏହା ଶୁଭଦାୟକ ହୋଇଥାଏ। ତେବେ, ସର୍ବଦା କଳସ ସ୍ଥାପନା ନିୟମ ଅନୁସାରେ କରିବା ଉଚିତ। କୁହାଯାଏ ଯେ, ତ୍ରେତୟା ଯୁଗରେ ରାଜା ଜନକ ହଳ କରୁଥିବା ସମୟରେ ଦେବୀ ସୀତାଙ୍କୁ ଭୂମିରୁ ପାଇଥିଲେ। ଦେବୀ ସୀତା କଳସ ମଧ୍ୟରେ ଥିଲେ। ସେହିଭଳି ସମୁଦ୍ର ମନ୍ଥନରୁ ମଧ୍ୟ ଅମୃତ କଳସ ପ୍ରାପ୍ତ ହୋଇଥିଲା। ତେଣୁ ଶୁଭ କାର୍ଯ୍ୟରେ କଳସ ବ୍ୟବହାର କରିବା ପୌରାଣିକ ଯୁଗରୁ ରହି ଆସିଛି। ଶାସ୍ତ୍ର ଅନୁସାରେ କଳସ ସ୍ଥାପନ ନିଷ୍ଠାର ସହ କରିବା ଉଚିତ। ଏପରି କରିବା ଦ୍ବାରା ସମସ୍ତ କାର୍ଯ୍ୟ ସହଜରେ ସମ୍ପନ୍ନ ହେବା ସହ ଫଳପ୍ରଦ ହୋଇଥାଏ।