ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢୁଛି ବାଲି ମାଫିଆଙ୍କ ରାଜୁତି : ବର୍ଷକୁ ଚୋରି ହେଉଛି ୨ ହଜାର କୋଟି ଟଙ୍କାର ବାଲି

ଭୁବନେଶ୍ୱର : ବାଲିକୁ ନେଇ ଗୁଳିକାଣ୍ଡ, ହତ୍ୟାକାଣ୍ଡ ରାଜ୍ୟରେ ଏକ ପୁରୁଣା ଘଟଣା। ବାଲି ଘାଟ ନିଲାମକୁ ନେଇ ଅନେକ ସମୟରେ ମୁଣ୍ଡ ଗଡ଼ୁଥିବା ଘଟଣା ବି ରାଜ୍ୟରେ ଦେଖିବାକୁ ମିଳିଛି। ମାତ୍ର ବାଲି ଉଠାଣ କଟକଣା ବୃଦ୍ଧି ଓ ଏହାକୁ ନିୟନ୍ତ୍ରଣ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିବା ପରଠାରୁ ରକ୍ତମୁଖା ହୋଇଛନ୍ତି ବାଲି ମାଫିଆ। ପ୍ରତିଦ୍ୱନ୍ଦ୍ୱୀ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କୁ ନିଶାଣ କରିବା ସହ ଏବେ ସରକାରୀ ଅଧିକାରୀଙ୍କୁ ବି ଲହୁଲୁହାଣ କରିବା ଆରମ୍ଭ କରିଛନ୍ତି। ଉତ୍ତର ଓଡ଼ିଶାରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଅନ୍ୟ ନଦୀପଠାରେ ବାଲି ଉଠାଣକୁ ନେଇ ଅନେକ ସମୟରେ ସରକାରୀ ଅଧିକାରୀମାନେ ଆକ୍ରମଣର ଶିକାର ହୋଇଛନ୍ତି। ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର ଜିଲ୍ଲାରେ ବାଲିମାଫିଆଙ୍କ ରାଜୁତି ଚାଲିଥିବା ଘଟଣା କାହାରିକୁ ଅଜଣା ନାହିଁ। ନିକଟରେ ଢ଼େଙ୍କାନାଳ ଓ ଅନୁଗୋଳରେ ମାଫିଆ ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ କରିଛନ୍ତି।

ଉପକୂଳ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ବାଲି ଘାଟକୁ ନେଇ ହଣାକଟା ହ୍ରାସ ପାଇଥିଲେ ହେଁ ଚୋରି ରୋକାଯାଇ ପାରିନାହିଁ। ଏବେ ଦକ୍ଷିଣ ଓଡ଼ିଶାରେ ବାଲିମାଫିଆମାନେ ସରକାରୀ ଅଧିକାରୀଙ୍କୁ ନିଶାଣ କରି ନିଜର ପତିଆରା ଦେଖାଇବାକୁ ପଛାଇ ନାହାନ୍ତି।ରାଜ୍ୟରେ ବାଲି ମାଫିଆଙ୍କ ଉତ୍ପାତ ଦିନକୁ ଦିନ ବଢ଼଼଼଼ିବାରେ ଲାଗିଛି। ବିନା ଅନୁମତିରେ ବାଲି ଖନନ କରି ବର୍ଷକୁ ହଜାର ହଜାର କୋଟି ଟଙ୍କା ଲୁଟୁଛନ୍ତି। ମହାନଦୀ, ବ୍ରାହ୍ମଣୀ ବୈତରଣୀ, ଋଷିକୁଲ୍ୟା, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ବିରୂପା ଆଦି ବଡ଼ ଓ ସେମାନଙ୍କ ଶାଖା ନଦୀରୁ ଦୈନିକ ଲକ୍ଷଲକ୍ଷ ଘନମିଟର ବାଲି ଉଠାଯାଉଛି। ଏମିତିକି ରାଜ୍ୟ ବାହାରକୁ ଏଠାରୁ ବାଲି ଚାଲାଣ କରାଯାଉଛି। ବାଲି ଓ ଅନ୍ୟ ଲଘୁ ଖଣିଜ ସମ୍ପଦରୁ ରାଜ୍ୟ ସରକାର ବର୍ଷକୁ ଯେତିକି ରାଜସ୍ୱ ପାଉ ନାହାନ୍ତି ତାହାର ଢ଼େର ଗୁଣ ଅଧିକ ବାଲି ଚୋରି କରି ମାଫିଆ ମାଲାମାଲ ହେଉଛନ୍ତି। ଏହାକୁ ରୋକିବାକୁ ଯାଉଥିବା ଅଧିକାରୀମାନେ ରକ୍ତମୁଖା ମାଫିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଉପଜିଲ୍ଲାପାଳ, ତହସିଲଦାର ଓ ଆର୍‍ଆଇ କେହି ବାଦ ପଡ଼ିନାହାନ୍ତି। ମାଫିଆମାନେ କାହାକୁ ହାଣିଛନ୍ତି ତ ଆଉ କାହା ଉପରେ ଗାଡି ମଡାଇ ଦେବାକୁ ଉଦ୍ୟମ କରିଛନ୍ତି। ଉପାନ୍ତ ଜିଲ୍ଲାରୁ ଉପକୂଳ ଜିଲ୍ଲାଗୁଡିକରେ ଏଭଳି ସମାନ୍‍ ଅବସ୍ଥା ଦେଖିବାକୁ ମିଳୁଛି।

ବାଲିମାଫିଆ ବନ୍ଧୁକ, ଖଣ୍ଡା ଓ ମାରଣାସ୍ତ୍ର ପାଖରେ ରଖି ବେଆଇନ୍‍ ଭାବେ ବାଲି ଉତ୍ତୋଳନ କରୁଛନ୍ତି। ଆଉ ସରକାରୀ ଅଧିକାରୀ ପହଞ୍ଚିଗଲେ ନାଲିଆଖି ଦେଖାଇ ଡରାଇ ଧମକାଉଛନ୍ତି। କିଛି ସ୍ଥାନରେ କର୍ମଚାରୀମାନେ ଭୟରେ ଚୁପ୍‍ ରହୁଛନ୍ତି, କିଛି ସ୍ଥାନରେ ଅଧିକାରୀଙ୍କ ସହ ସଲାସୁତୁରାରେ ବାଲି ଚୋରି ହେଉଛି। ମାତ୍ର ଯେଉଁଠି ପ୍ରଶାସନ ବାଲିଚୋରିରେ ସମ୍ପୃକ୍ତ ମାଫିଆଙ୍କ ଟ୍ରକ, ଟ୍ରାକ୍ଟର ଓ ଜେସିବିକୁ ଜବତ କରୁଛନ୍ତି, ସେଠାରେ ମାଫିଆମାନେ ସଂଘବଦ୍ଧ ହୋଇ ଆକ୍ରମଣ କରୁଛନ୍ତି। ମାଫିଆଙ୍କ ଆକ୍ରମଣରେ ଗୋଟିଏ ବର୍ଷରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ସରକାରୀ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

ଏହିକ୍ରମରେ ଋଷିକୁଲ୍ୟା ନଦୀରୁ ବାଲି ଉଠାଣକୁ ଅଟକାଇବାକୁ ଯାଇଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଅତିରିକ୍ତ ତହସିଲଦାର ଓ ତିନି ଜଣ ଆରଆଇଙ୍କୁ ବାଲି ମାଫିଆ ଆକ୍ରମଣ କରିଛନ୍ତି। ଏଥିରେ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା ଗୁରୁତର ଆହତ ହୋଇଛନ୍ତି। ସେହିପରି କିଛି ଦିନ ତଳେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ତହସିଲଦାର ଅଭିନାଶ ବିଶ୍ୱଜିତ ସେଠୀଙ୍କୁ ବାଲି ମାଫିଆ ହତ୍ୟା କରିବା ଲାଗି ଉଦ୍ୟମ କରିଥିଲେ। ମଙ୍ଗଳପୁର ଥାନା କଶପା ପଞ୍ଚାୟତ ପଲାସାହି ନିକଟ ବୈତରଣୀ ନଦୀର ବାଲିଘାଟରୁ ବେଆଇନ୍‍ ବାଲି ଉଠାଉଥିବା ବେଳେ ତହସିଲଦାର ଗାଡ଼ିକୁ ଅଟକାଇଥିବା ବେଳେ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ ବାଲି ମାଫିଆ। ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଉପ ଜିଲ୍ଲାପାଳ ହରିଶ୍‍ ଚନ୍ଦ୍ର ଜେନା ଓ ତହସିଲଦାର ଅଶେଷ ନାୟକଙ୍କୁ ବାଲି ମାଫିଆ ଆକ୍ରମଣ କରିଛନ୍ତି। ନୀଳଗିରି ପୁନ୍ଦାଳୋରେନଦୀରୁ ବେଆଇନ୍‍ ବାଲି ଉଠାଉଥିବା ବେଳେ ତହସିଲଦାର ଓ ଉପଜିଲ୍ଲାପାଳ ଚଢ଼ଉ କରିବାରୁ ପଥର ମାଡ଼ କରିଥିଲେ ବାଲି ମାଫିଆ। ସେଭଳି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଅତିରିକ୍ତ ତହସିଲଦାର ଶରତ ସ୍ୱାଇଁ ଓ ଆର୍‍ଆଇଙ୍କୁ ମାରଣାସ୍ତ୍ରକ ଆକ୍ରମଣ ହୋଇଥିଲା।

ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରାଯାଇଥିଲା। ସୁବର୍ଣ୍ଣରେଖା ନଈରୁ ବେଆଇନ୍‍ ଭାବେ ବାଲି ଚାଲାଣ ହେଉଥିବା ବେଳେ ଅତିରିକ୍ତ ତହସିଲଦାର ଅଟକାଇଥିଲେ; କିନ୍ତୁ ବାଲି ମାଫିଆ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ। କଟକ ଜିଲ୍ଲା ମାହାଙ୍ଗାର ରାଜସ୍ୱ ନିରୀକ୍ଷକ ଗଣେଶ୍ୱର ହେମ୍ବ୍ରମଙ୍କୁ ଆକ୍ରମଣ ହୋଇଥିଲା। ବିରୂପା ନଦୀରୁ ବାଲି ଉଠାଉଥିବା ବେଳେ ଏହାକୁ ବିରୋଧ କରିଥିଲେ ଆର୍‍ଆଇ। କିନ୍ତୁ ମାଲି ମାଫିଆ ତାଙ୍କୁ ଆକ୍ରମଣ କରିଥିଲେ। ସେପରି ଜଗତସିଂହପୁର ଅଞ୍ଚଳରୁ ବାଲି ଉଠାଇବାକୁ ବିରୋଧ କରିବାରୁ ୨ଜଣ ଆର୍‍ଆଇଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ମଧ୍ୟ ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ବାଲି ମାଫିଆଙ୍କୁ ରୋକିବାକୁ ସରକାରୀ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ଉପରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.