ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଢ଼ାବଳଙ୍ଗରୁ ବେଆଇନ ବାଲି ଉତ୍ତୋଳନକୁ ଏନଜିଟି ଛାଟ,୪ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦେଶ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବୁଢାବଳଙ୍ଗ ନଦୀର ଦୁଇଟି ବାଲି ସୈରାତରୁ ୧୦୦କୋଟି ଟଙ୍କାର ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ଜାତୀୟ ସବୁଜ ପ୍ରାଧିକରଣ ବା ନ୍ୟାସନାଲ ଗ୍ରୀନ ଟ୍ୟୁବନାଲ(ଏନଜିଟି) ଇଷ୍ଟର୍ଣ୍ଣ ଜୋନ ବେଞ୍ଚ କଲିକତା ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ମୟୂରଭଞ୍ଜ ଜିଲ୍ଲାପାଳ ସମେତ ୧୬ଜଣଙ୍କୁ ଜବାବ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି। ବଡ଼ସାହି ଥାନା ଛେଳିଆ-ପୁନ୍ଦାଳ ଗ୍ରାମର ରାଧା ମୋହନ ସିଂଙ୍କ ଅଭିଯୋଗ କ୍ରମେ ଜୁଡିସିଆଲ ମେମ୍ବର ଜଷ୍ଟିସ ବି.ସ୍ଥହଲେକାର ଓ ଏକ୍ସପୋର୍ଟ ମେମ୍ବର ସାଇବଲ ଦାସଗୁପ୍ତାଙ୍କ ଉପସ୍ଥିତିରେ ମାମଲା ବିଚାର ପରେ ଏପରି ନିର୍ଦେଶ ଦେଇଛନ୍ତି। ଏକ ଚାରିଜଣିଆ କମିଟି ଗଠନ କରାଯାଇ ୪ସପ୍ତାହ ମଧ୍ୟରେ ତଦନ୍ତ ପୂର୍ବକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିବାଦୀୟ ବାଲି ସୈରାତ ଦୁଇଟି ହେଲା ବଡ଼ସାହି ତହସିଲ ଅଧୀନ ବୁଢାବଳଙ୍ଗ ନଦୀର ଡିଙ୍ଗିରା ଓ ଆରପଟ୍ଟା। ସୈରାତ ଦୁଇଟିକୁ ବୈଶିଙ୍ଗା ଡାହିସାହିର ପ୍ରଦୀପ ବିନ୍ଧାଣୀ ୫ବର୍ଷ ପାଇଁ ରାଜସ୍ୱ ବିଭାଗଠାରୁ ଲିଜ ସୁତ୍ରରେ ନେଇଛନ୍ତି। ଡିଙ୍ଗିରା ସୈରାତରେ ଥିବା ଖାତା ନଂ ୧୮୮, ପ୍ଳଟ ନଂ ୮୪୪,୮୬୨ରୁ ୧୬.୧୨ଏକର ସ୍ଥାନରୁ ପ୍ରତିଦିନ ୯ସିୟୁଏମ ବାଲି ଉତ୍ତୋଳନ ପାଇଁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପରିବେଶ ମଞ୍ଜୁରୀ ମିଳିଥିଲା। ମାତ୍ର ସମୟର ଅବଧି ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ଏକ ବର୍ଷଧରି ବାଲି ଉତ୍ତୋଳନ କରାଯାଉଥିବାରୁ ନିୟମ ବର୍ହିଭୂତ ଅଟେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ୦.୩ ମିଟର ଗଭୀର ହିସାବରେ ବର୍ଷକୁ ୨ହଜାର ଶହ ସିୟୁଏମ ବାଲି ଉତ୍ତୋଳନ କରିବାକୁ ଥିବା ବେଳେ ପ୍ରତିଦିନ ପୋକଲେନ ମେସିନ ମାଧ୍ୟମରେ ନଦୀ ଗର୍ଭରୁ ବେଆଇନ ଭାବେ ୨୨୯୫ସିୟୁଏମ ବାଲି ଉତ୍ତୋଳନ କରାଯାଇଛି। ଏହି କ୍ରମରେ ବର୍ଷକୁ ଅନୁମତି ସୀମାର ୨୪୦ଗୁଣ ଅଧିକ ଅର୍ଥାତ ୪,୮୧୯ଲକ୍ଷ ସିୟୁଏମ ବାଲି ଉତ୍ତୋଳନ ହେଉଥିବାନେଇ ଅଭିଯୋଗରେ ଦର୍ଶାଯାଇଛି। ଏହା ଦ୍ୱାରା ସରକାର ଏହି ଘାଟରୁ ୪୩.୬୮କୋଟି ଟଙ୍କା ରାଜସ୍ୱ ହରାଇଥିବା ଅଭିଯୋଗରେ ଦର୍ଶାଯାଇଛି।

ସେହିପରି ଆରପଟା ମୌଜା ଖାତା ନଂ ୨୬୧, ପ୍ଳଟ ନଂ ୫୫୪/୧ରୁ ୧୩ଏକର କ୍ଷେତ୍ର ବିଶିଷ୍ଟ ଅଞ୍ଚଳରୁ ପ୍ରତିଦିନ ୧୦ସିୟୁଏମ ବାଲି ଉତ୍ତୋଳନ ୨୦୨୧ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ପରିବେଶ ମଞ୍ଜୁରୀ ମିଳଥିଲା। ତେବେ ସେଠାରେ ମଧ୍ୟ ସମୟ ଅବଧି ଶେଷ ହେବା ବର୍ଷେ ପରେ ମଧ୍ୟ ମଞ୍ଜୁରୀକୁ ବିସ୍ତାର କରାନଯାଇ ବାଲି ଖନନ ଜାରି ରହିଛି। ବଡ଼ସାହି ତହସିଲଦାର ସମେତ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଇ ନଥିବାରୁ ରାଜସ୍ୱ ଆଦାୟରେ କ୍ଷତି ପହଞ୍ଚିଛି। ଏକ ମିଟର ଗଭୀରରୁ ବର୍ଷକୁ ୨୨ଶହ ସିୟୁଏମ ବାଲି ଉତ୍ତୋଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପ୍ରତିଦିନ ୨୯୭୦ସିୟୁଏମ ବାଲି ଉତ୍ତୋଳନ କରାଯାଇଛି। ଯାହାର ବର୍ଷକୁ ୬.୨୩ଲକ୍ଷ ସିୟୁଏମ ବାଲି ଖନନ କରାଯାଇଥିବା ବେଳେ ଅନୁମତି ସୀମାର ୨୪୦ଗୁଣ ଅଟେ। ଏହାକୁ ନେଇ ବର୍ଷକୁ ୫୩.୨୬କୋଟି ଟଙ୍କାର ରାଜସ୍ୱ ହରାଇଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି।

ଏଣୁ ଦୁଇଟି ସୈରାତରୁ ବେଆଇନ ଭାବେ ପାଖାପାଖି ୧୦୦କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି। ଉଭୟ ସୈରାତକୁ ନେଇ ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ୩୦/୨୦୨୨ ଓ ୩୧/୨୦୨୨ରେ ମାମଲା ରୁଜୁ ହୋଇଛି। ଏହାକୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ଶାସନ ସଚିବ, ରାଜ୍ୟ ଜଳ ଉତ୍ସ ବିଭାଗ ପ୍ରମୁଖ ଶାସନ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ, ରାଜ୍ୟ ପରିବେଶ ଓ ପ୍ରଭାବ ମୂଲ୍ୟାୟନ କତ୍ତୃର୍ପକ୍ଷଙ୍କ ସଦସ୍ୟ ସଚିବ, ମୟୂରଭଞ୍ଜ ଜିଲ୍ଲପାଳ, ବଡ଼ସାହି ତହସିଲଦାର, ଲଘୁ ଖଣିଜ ଅଧିକାରୀ ବାରିପଦା ସର୍କଲ, ମୟୂରଭଞ୍ଜ ଜଳସେଚନ ଡିଭିଜନର ନିର୍ବାହୀଯନ୍ତ୍ରୀ, ବାରିପଦା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ, ଆଞ୍ଚଳିକ ପରିବହନ ଅଧିକାରୀ ବାରିପଦା, ମୟୂରଭଞ୍ଜ ଏସପି, କେନ୍ଦ୍ରୀୟ ପ୍ରଦଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ, କେନ୍ଦ୍ର ପରିବେଶ ଓ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସଚିବ, ଭୁବନେଶ୍ୱରସ୍ଥିତ ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ବନମନ୍ତ୍ରଣାଳୟର ଆଞ୍ଚଳିକ ଉପ ନିର୍ଦ୍ଦେଶକଙ୍କୁ ପକ୍ଷ କରାଯାଇଛି।

ରାଜ୍ୟ ପରିବେଶ ଓ ପ୍ରଭାବ ମୂଲ୍ୟାୟନ କତ୍ତୃର୍ପକ୍ଷଙ୍କ ଜଣେ ବରିଷ୍ଠ ବୈଜ୍ଞାନିକ, ରାଜ୍ୟ ପ୍ରଦୂଷଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ, ଜିଲ୍ଲାପାଳ କିମ୍ବା ତାଙ୍କର କେହି ପ୍ରତିନିଧି ଓ ଜିଲ୍ଲା ଖଣି ଅଧିକାରୀଙ୍କୁ ନେଇ ଏକ ୪ଜଣିଆ କମିଟି ୨ଟି ବାଲିଘାଟର ତଦନ୍ତ କରି ୪ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଗ୍ରୀନ ଟ୍ୟୁବନାଲ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ତାରିଖରେ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।ପ୍ରକାଶ ଥାଉ କି, ବେଆଇନ ବାଲି ଉତ୍ତୋଳନ ଠାରୁ ଆରମ୍ଭ କରି ଚାଲାଣ ପର୍ଯ୍ୟନ୍ତ ପକ୍ଷଭୁକ୍ତ ହୋଇଥିବା ଉପରୋକ୍ତ ୧୬ଜଣଙ୍କ ମଧ୍ୟରୁ ବଡ଼ସାହି ତହସିଲଦାର ମମତାଜ ମହାରଣା ବର୍ତ୍ତମାନ ସବୁଠାରୁ ବିବାଦୀୟ। ଶ୍ରୀମତୀ ମହାରଣା ବାଲି ମାଫିଆଙ୍କ ପ୍ରତି ଅହେତୁକ ଅନୁକମ୍ପା ପାଇଁ ବର୍ତ୍ତମାନ ପ୍ରମୁଖ ଶାସନ ସଚିବଙ୍କ ଠାରୁ ଜିଲ୍ଲାପାଳ ସମେତ ୧୫ଜଣ ଉତ୍ତରଦାୟୀ ହୋଇଛନ୍ତି।

Leave A Reply

Your email address will not be published.