ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ବେଖାତିର ପାର୍କିଂ ବଢାଉଛି ଟ୍ରାଫିକ ସମସ୍ୟା, ଅମାନିଆଙ୍କ ଠାରୁ ଆଦାୟ ହେବ ଜରିମାନା

ଭୁବନେଶ୍ବର: ବେନିୟମ ପାର୍କିଂ ଭୁବନେଶ୍ୱର ସହର ପାଇଁ ଚିନ୍ତାର କାରଣ ପାଲଟିଛି। ଏହା ପ୍ରଶାସନ ପାଇଁ ମଧ୍ୟ ବଡ଼ ଚାଲେଞ୍ଜ ହୋଇଛି। ବେନିୟମ ତଥା ବେଖାତିର ପାର୍କିଂ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ମୁଖ୍ୟତଃ ସନ୍ଧ୍ୟା ସମୟରେ ଟ୍ରାଫିକ ସମସ୍ୟା ଅଧିକ ଦେଖାଦେଉଛି। ସହରରେ ସିଆରପି, ନୟାପଲ୍ଲୀ, ପଟିଆ, ଜୟଦେବ ବିହାର ଓ ୟୁନିଟ-୧ ମାର୍କେଟ ଅଞ୍ଚଳରେ ଗୁରୁତର ଟ୍ରାଫିକ ସମସ୍ୟା ପରିଲକ୍ଷିତ ହେଉଛି। ଆଗକୁ ବିଶ୍ୱକପ ହକି ଥିବା ବେଳେ ଏହାକୁ ନଜରରେ ରଖି ବିଡିଏ, ବିଏମସି ଓ କମିଶନରେଟ ପୁଲିସ ପକ୍ଷରୁ ଚଢ଼ାଉକୁ ବ୍ୟାପକ କରାଯିବାକୁ ନିଷ୍ପତ୍ତି ନିଆଯାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ନୋ ପାର୍କିଂ ଯୋନରେ ପାର୍କିଂ ହେଲେ ମୋଟର ଯାନ ଆଇନ ୨୦୧୯ ଅନୁଯାୟୀ, ତୁରନ୍ତ ଟୋଇଂ ଓ ଫାଇନ ଆଦାୟ କରାଯିବ। ଏନେଇ କମିଶନରେଟ ପୁଲିସ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର କ୍ରେନ ନିୟୋଜିତ କରାଯିବା ସହ ଉଭୟ ଚନ୍ଦ୍ରଶେଖରପୁର ଓ ଏଜି ଛକ ସ୍ଥିତ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ନିର୍ଦେଶ ଦିଆଯାଇଛି। ବେନିୟମ ପାର୍କିଂ ପାଇଁ ୫ ଶହ ଟଙ୍କା ଜରିମାନା ସହିତ ଟୋଇଂ ପାଇଁ ଗାଡି ମାଲିକଙ୍କୁ ଅଧିକ ଦେୟ ଦେବାକୁ ହେବ। ଟୋଇଂ ହୋଇଥିବା ଗାଡିର ନମ୍ବରରୁ ବାହାନ ଓ ସାରଥୀ ଆପରୁ ଗାଡି ମାଲିକଙ୍କୁ ଚିହ୍ନଟ କରି ଯୋଗାଯୋଗ କରାଯିବ। ଏବଂ ଗାଡି ମାଲିକ ଜବତ ଗାଡି ପାଇଁ ଫାଇନ ପଇଠ କରି ନିଜ ଗାଡିକୁ ମୁକୁଳାଇ ପାରିବେ। ଏହା ସହିତ ସହରର ଟ୍ରାଫିକ ସମସ୍ୟାର ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ମଧ୍ୟ ଗଠନ କରାଯାଇ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।

Leave A Reply

Your email address will not be published.