ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇଆଇଏମସିରେ ସ୍ୱାଧୀନତା ଦିବସ ପାଳିତ: ଦେଶର ଗତି କୁଆଡ଼େ- ସମୀକ୍ଷା କରିବାର ସମୟ ଆସିଛି- ଡ. ମୃଣାଳ ଚାଟାର୍ଜୀ

ଢେଙ୍କାନାଳ: ଦେଶ ସ୍ୱାଧୀନ ହେବାକୁ ୭୫ ବର୍ଷ ପୂରିଲା । ଗତ ୭୫ ବର୍ଷ ଧରି ଆମର ଗତି କୁଆଡ଼େ, ଆମେ କେତେ ଉନ୍ନତି କଲେଣି, କେଉଁ କ୍ଷେତ୍ରରେ ଏବେବି ପଛରେ ପଡି଼ଛନ୍ତି- ଏ ସବୁକୁ ନେଇ ଏବେ ସମୀକ୍ଷା କରିବାର ସମୟ ଆସିଛି । ପୁଣି ତାକୁ ନେଇ ଆଗାମୀ ଦିନରେ କାମ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଭାରତୀୟ ଜନ ସଂଚାର ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ।

ସଂସ୍ଥାନରେ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଫେସର ଚାଟାର୍ଜୀ କହିଥିଲେ ଯେ, ଦେଶ ବହୁ କ୍ଷେତ୍ରରେ ଉନ୍ନତି କରିଛି । ମାତ୍ର ଅନେକ କ୍ଷେତ୍ରରେ ବହୁ ପଛକୁ ମଧ୍ୟ ଚାଲି ଯାଇଛି । ଦେଶ ସ୍ୱାଧୀନ ହେଲା ବେଳକୁ ସାକ୍ଷାରତା ହାର ମାତ୍ର ୧୨ ପ୍ରତିଶତ ଥିଲା, ଏବେ ଆମେ ୭୫ ପ୍ରତିଶତ ଉପରେ । ସେହିପରି ଦାରିଦ୍ର‌୍ୟ, ଗମନାଗମନ, ଆର୍ଥିକ ବିକାଶ- ଆଦି ସବୁ କ୍ଷେତ୍ରରେ ଆମେ ଆଗକୁ ଯାଇଛନ୍ତି । ଏଥିପାଇଁ ସମସ୍ତ ଦେଶବାସୀ, ଆଇନ ପ୍ରଣେତା ଧନ୍ୟବାଦର ପାତ୍ର । ସବୁଠୁ ବଡ଼ କଥା ହେଉଛି, ଆମେ ଏବେ ବି ଗଣତନ୍ତ୍ର ଦେଶ ଭାବେ ସୁଦୃଢ଼ ଅଛୁ । ଆମ ଦେଶ ସହ ଅନ୍ୟ ବହୁ ଦେଶ ଏକ ସମୟରେ ସ୍ୱାଧୀନ ହୋଇଥିଲେ । ମାତ୍ର ସେଗୁଡି଼କ ମଧ୍ୟରୁ ବହୁ କମ୍‍ ଦେଶରେ ଏବେ ଗଣତନ୍ତ୍ର ତିଷ୍ଠି ରହିଛି । ସେ ଭିତରୁ ଭାରତ ଅନ୍ୟତମ ଓ ସ୍ୱତନ୍ତ୍ର । ଦ୍ୱିତୀୟରେ ଧର୍ମନିରପକ୍ଷେତା ମଧ୍ୟ ଆମ ଦେଶର ସ୍ୱତନ୍ତ୍ରତା ।

ହେଲେ ସମସ୍ୟା ମଧ୍ୟ କମ୍‍ ନୁହେଁ । ଏବେ ବହୁ ରାଜ୍ୟ-ରାଜ୍ୟ ଭିତରେ ସୀମା ବିବାଦ ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଛି । ଆସାମ-ମିଜୋରାମରେ ଦୁଇ ରାଜ୍ୟର ପୁଲିସ-ପୁଲିସ ମଧ୍ୟରେ ସଂଘର୍ଷ ହେଉଛି । ମୃତାହତ ହେଉଛନ୍ତି । ଏପରି ବହୁ ରାଜ୍ୟରେ ସୀମା ବିବାଦ ଲାଗିରହିଛି । ସେ ଭିତରେ ଓଡି଼ଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ମଧ୍ୟ କୋଟିଆକୁ ନେଇ ଜଟିଳ ପରିସ୍ଥିତି ଲାଗି ରହିଛି । ସେମିତି ପ୍ରାକୃତିକ ସମ୍ବଳକୁ ନେଇ ମଧ୍ୟ ବିବାଦ ଲାଗିଛି । ମହାନଦୀ, କାବେରୀ ଜଳ ପାଇଁ ଦୀର୍ଘ ଦିନ ଧରି ସମସ୍ୟା ସମାଧାନ ହେଇପାରୁନି । ଗତ ୭୫ ବର୍ଷ ଭିତରେ ଆମେ ଏଗୁଡି଼କ ସମାଧାନ କରିବାରେ ବିଫଳ ହେଇଛନ୍ତି।

ପୁଣି ଦେଶରେ ଆଞ୍ଚଳିକତାବାଦ ବଢ଼ିବାରେ ଲାଗିଛି । କିଛି ରାଜ୍ୟରେ ‘ଭୂମିପୁତ୍ର’ ନାରା ଦେଇ କେବଳ ସେହି ରାଜ୍ୟର ଲୋକମାନଙ୍କୁ ଚାକିରି ଦେବାକୁ ଆଇନ ପ୍ରଣୟନ କରାଯାଇଛି । ହରିୟାନା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଏପରି ନିୟମ ଲାଗୁ ହୋଇଛି । ଏହା ଆମ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ । ଏବେ ସମୟର ଆହ୍ୱାନ, କେବଳ କୃତିତ୍ୱକୁ ଜାବୁଡି଼ ଧରି ବସି ରହିଲେ ହେବନାହିଁ । ଯେଉଁ ସବୁ ସମସ୍ୟା ଅଛି, ଆମକୁ ଦୃଢ଼ତାର ସହ ସମାଧାନ କରିବାକୁ ହେବ ବୋଲି କହିଛନ୍ତି ପ୍ରଫେସର ଚାଟାର୍ଜୀ ।

ସେସ୍କନ ଅଫିସର କେଦାରନାଥ ଜେନା ପତାକା ଉତ୍ତୋଳନ କରି ଦେଶର ଉନ୍ନତିରେ ସମସ୍ତଙ୍କର ଭାଗିଦାରୀତା ରହିବା ଆବଶ୍ୟକ ବୋଲି କହିଥିଲେ । ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ବାକ୍‍ ସ୍ୱାଧୀନତା ସଙ୍କୁଚିତ ହେଉଥିବା ନେଇ ଚିନ୍ତାପ୍ରକଟ କରିଥିଲେ । ଏହି ଅବସରରେ ପ୍ରସିଦ୍ଧି ଲେଖକ ମନୋଜ ଦାସଙ୍କ ‘ବ୍ୟକ୍ତିତ୍ୱ ବିକାଶ ମାର୍ଗ: କିଞ୍ଚିତ୍‍ ଦିଗ୍‍ଦର୍ଶନ’ର ଶ୍ରାବ୍ୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ପାଠ୍ୟକ୍ରମ ସଂଯୋଜକ ଜିତେନ୍ଦ୍ର ପତି, ବୈଷୟିକ ସଂଯୋଜକ ବନ୍ଦ୍ରୀନାଥ ଜେନା, ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାସ, ଏକାଡେମିକ ଆସୋସିଏଟ ଅଭିଶେକ ରୟ, ପଦ୍ମଲୋଚନ ପ୍ରଧାନଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ସଭା ପରେ ସଂସ୍ଥାନ ପରିସରରେ ବୃକ୍ଷରୋପଣ କରାଯାଇଥିଲା।

Leave A Reply

Your email address will not be published.