ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଠୋର ହେଲା ଗଣଶିକ୍ଷା ବିଭାଗ : ଏଣିକି ପିଲା କୌଣସି ବିଷୟରେ ଖରାପ କଲେ ଶିକ୍ଷକଙ୍କ ସହ ବିଇଓ, ଡିଇଓ ବି ରହିବେ ଉତ୍ତରଦାୟୀ

ଭୁବନେଶ୍ୱର : ନିଜ ବିଭାଗରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଖରାପ ହେଲେ ସଂପୃକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉତ୍ତରଦାୟୀ ହେବେ । ଶ୍ରେଣୀଗୃହର ସାମୂହିକ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦିଆଯିବ । ଛାତ୍ରଛାତ୍ରୀମାନେ ସାମୂହିକ ଭାବେ କେଉଁ ବିଷୟ ବସ୍ତୁରେ ଭଲ ପ୍ରଦର୍ଶନ କରୁଛନ୍ତି ଓ କେଉଁ ବିଷୟବସ୍ତୁରେ ଖରାପ ପ୍ରଦର୍ଶନ କରୁଛନ୍ତି ତାହାରି ଉପରେ ନଜର ରଖାଯିବ । ବିଦ୍ୟାଳୟର ଦୁର୍ବଳ ପିଲାଙ୍କର ଏକ ତାଲିକା ହୋଇ ସେମାନଙ୍କ ପାଠପଢ଼ା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ । ଏଥିପାଇଁ ମାସକୁ ୧୨ ଦିନ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ବ୍ଲକ ଅଧିକାରୀମାନେ ରିପୋର୍ଟ ପ୍ରସ୍ତୁତ କରିବେ । ଏହି ରିପୋର୍ଟ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାଖଲ କରିବେ । ଏଭଳି କାର୍ଯ୍ୟକ୍ରମରେ ଖିଲାପ ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସେ କହିଛନ୍ତି ଯେ ଅନେକ ବିଦ୍ୟାଳୟରେ ଲମ୍ବା ସମୟ ଧରି ଶିକ୍ଷକମାନେ ଅନୁପସ୍ଥିତ ରହୁଛନ୍ତି । ଯାହା ଫଳରେ ବିଦ୍ୟାଳୟରେ ଶିକ୍ଷାଦାନ ପ୍ରଭାବିତ ହେଉଛି । ଏଭଳି କ୍ଷେତ୍ରରେ ସଂପୃକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯିବ । ଉତ୍ତର ସନ୍ତୋଷଜନକ ନରହିଲେ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନର ମାନକୁ ବଢ଼ାଇବା ସହ ଛାତ୍ରଛାତ୍ରୀମାନଙ୍କୁ ସରକାରୀ ବିଦ୍ୟାଳୟ ମୁହାଁ କରାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଶିକ୍ଷକଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଉପରେ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ବ୍ଲକ୍‌ ଶିକ୍ଷାଧିକାରୀମାନେ ଏଣିକି ବିଦ୍ୟାଳୟରୁ ବିଦ୍ୟାଳୟ ବୁଲି କରି ରିପୋର୍ଟ ସଂଗ୍ରହ କରିବେ । ଶିକ୍ଷକଙ୍କ ସମେତ ପିଲାମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ । ସାମୂହିକ ସମସ୍ୟାକୁ ଚିହ୍ନଟ କରିବା ସହ ପାଠପଢ଼ାରେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବେ । ପ୍ରଧାନ ଶିକ୍ଷକଙ୍କ ସହ ଏସମ୍ପର୍କରେ ଆଲୋଚନା କରି ପ୍ରସ୍ତୁତ ହୋଇଥିବା ତାଲିକାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ପହଞ୍ଚାଇବେ । ଏଭଳି କରିବା ଦ୍ୱାରା ସାମଗ୍ରିକ ଭାବେ ବିଦ୍ୟାଳୟର ଶିକ୍ଷାଦାନ ଓ ଗ୍ରହଣର ମାନରେ ଉନ୍ନତି ଆସିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଆସ୍ୱସ୍ଥି ଏସ୍. କହିଛନ୍ତି ଯେ, ବିଇଓମାନେ ମାନେ ଗୋଟେ ବଡ଼ ଲିଙ୍କ୍ । ସେମାନେ ବ୍ଲକ ଦାୟିତ୍ୱରେ ଅଛନ୍ତି । ସେମାନେ ସ୍କୁଲ ପରିଦର୍ଶନ କଲେ ଜାଣି ପାରିବେ ଯେ ବୟସ ଅନୁସାରେ କେଉଁ ଛାତ୍ରଛାତ୍ରୀଙ୍କ କଣ ଫଳାଫଳ ରହିଛି । ଏହି ତଥ୍ୟ ବିଇଓଙ୍କ ପାଖରେ ରହିଲେ ମନିଟରିଂ ବି ଭଲ ଭାବେ ହୋଇପାରିବ । ସେ ସବୁର ଟ୍ରେନିଂ ଓ ସମୀକ୍ଷା ହେଉଛି । ଫିଲ୍ଡ କାମ ଉପରେ ସେମାନଙ୍କ ଜ୍ଞାନ ରହିବା ଦରକାର ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ କହିଛନ୍ତି।

Leave A Reply

Your email address will not be published.