ପୁଣି ମନ୍ଦିରରୁ ମୂର୍ତ୍ତି ଚୋରି : ୪୦ଲକ୍ଷ ଟଙ୍କାର ମୂଲ୍ୟବାନ୍ ଅଷ୍ଟଧାତୁ ମୂର୍ତ୍ତି ଲୁଟିନେଲେ ଦୁର୍ବୃତ

ଭୁବନେଶ୍ବର : କୋଟିଏରୁ ଉର୍ଦ୍ଧ ଟଙ୍କାର ମୂର୍ତ୍ତି ଚୋରୀ କରି ନେଲେ ଲୁଟେରା । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଟଙ୍କପାଣି ମନ୍ଦିରରୁ ଗତ ରାତ୍ରିରେ ଦୁର୍ବୃତ ମାନେ ବହୁ ମୂଲ୍ୟବାନ୍ ଅଷ୍ଟଧାତୁ ମୂର୍ତ୍ତି ଚୋରୀ କରିନେଇଛନ୍ତି । ଆଜି ଭୋରରୁ ମନ୍ଦିର ପୂଜକ ମନ୍ଦିର ରେ ପୂଜାର୍ଚ୍ଚନା କରିବା ପାଇଁ ଆସିବା ବେଳେ ମନ୍ଦିରର ତାଲା ଭଙ୍ଗାଯାଇଥିବା ସହ ଠାକୁର ପ୍ରତିମା ଚୋରୀ ଯାଇଥିବା ଜାଣିବାକୁ ପାଇଥିଲେ । ମନ୍ଦିରରେ ପୂଜା ପାଉଥିବା ଚନ୍ଦ୍ରଶେଖର, ମାଅ ପାର୍ବତୀ, ଦୁର୍ଗା, ନାରାୟଣ, ଲକ୍ଷ୍ମୀ, ଆଣ୍ଠୁଆ ଗୋପାଳ, ରାଧାକୃଷ୍ଣଙ୍କ ଅଷ୍ଟଧାତୁ ମୂର୍ତି ଚୋରୀ ଯାଇଛି । ଚୋରୀ ଯାଇଥିବା ମୂର୍ତ୍ତି ବହୁ ପୁରାତନ ମୂର୍ତି।
ଚୋରୀ ହୋଇଯାଇଥିବା ମୂର୍ତ୍ତି ମଧ୍ୟରୁ ୫ ଗୋଟି ମୂର୍ତିର ଓଜନ ପ୍ରାୟ ଏକ କ୍ୱିଂଟାଲ ହେବ । ଏହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷରୁ ଉର୍ଦ୍ଧ ହେବ । ଏହି ଚୋରୀ ଘଟଣାରେ ଚୋରମାନେ ଚାରିଚକିଆ ଯାନ ବ୍ୟବହାର କରିଥିବା ଅନୁମାନ କରାଯାଉଛି । ବାଲିଅନ୍ତା ଥାନା ଅଂଚଳରୁ ଲଗାତର ଭାବେ ବିଭିନ୍ନ ଗ୍ରାମ ମନ୍ଦିରରୁ ମୂର୍ତ୍ତି ଚୋରୀ ଯାଉଛି । ଏହି ଚୋରୀରେ ଏକ ବଡ ରାକେଟର ସଂପୃକ୍ତି ଥିବା ପୁଲିସ ଅନୁମାନ କରୁଛି । ବାଲିଅନ୍ତା ପୁଲିସ୍ ଘଟଣା ସ୍ଥଳରେ ପହଁଂଚି ଚୋରୀ ଘଟଣାର ତଦନ୍ତ କରୁଛି । କିଛିଦିନ ପୂର୍ବେ ପ୍ରତାପରୁଦ୍ରପୁର ଆଖଣ୍ଡଳେଶ୍ୱର ମନ୍ଦିର , ଭିଙ୍ଗାରପୁର , ବାଳକାଟି ପ୍ରତାପରୁଦ୍ରପୁର , ହିରାପୁର ମନ୍ଦିରରୁ ଅନୁରୂପ ଭାବେ ମୂର୍ତି ଚୋରୀ ହୋଇଥିଲା।