‘ସ୍ୱାଭିମାନ’ର ପରିଚୟ ଗୁରୁପ୍ରିୟା; ମାଓବାଦୀଙ୍କ ପ୍ରଭାବ ହ୍ରାସ ସହ ଓଡ଼ିଶା ପାଇଛି ନୂଆ ପରିଚୟ

ଦିନ ଥିଲା ମାଓ ଅଞ୍ଚଳରେ ଲୋକମାନେ ଘରୁ ଗୋଡ଼ କାଢୁନଥିଲେ। ବାହାରକୁ ବାହାରିଲେ ମାଓବାଦୀ ହତ୍ୟା କରିବାର ଭୟ ରହିଥିଲା। କିନ୍ତୁ ନବୀନ ପଟ୍ଟନାୟକ ରାଜ୍ୟ ଶାସନ ଭାର ସମ୍ଭାଳିବା ପରେ ରାଜ୍ୟରେ ମାଓବାଦୀଙ୍କ ପ୍ରଭାବ ହ୍ରାସ ସହ ଓଡ଼ିଶା ପାଇଛି ଏ କ୍ଷେତ୍ରରେ ନୂଆ ପରିଚୟ। ଗୁରୁପ୍ରିୟା ସେତୁ ଏବେ ବିଚ୍ଛିନ୍ନାଞ୍ଚଳର ବିକାଶର ନୂଆ ପରିଚୟ ପାଲଟିଛି। ୨୦୧୮ ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁର ଉଦ୍ଘାଟନ କରିଥିଲେ। ଦୀର୍ଘ ପାଞ୍ଚ ଦଶକର ଜଳବନ୍ଦୀ ଜୀବନରୁ ମୁକ୍ତି ପାଇଛନ୍ତି ବିଚ୍ଛିନ୍ନାଞ୍ଚଳବାସୀ। ଏହି ଗୁରୁପ୍ରିୟା ସେତୁ ପାଇଁ ୧୦୦ କୋଟି ଖର୍ଚ୍ଚ ହୋଇଥିଲା। ଡାକ୍ତରଖାନା, ବିଦ୍ୟାଳୟ,ରାସ୍ତାଘାଟ ଏବଂ ଜୀବନଜୀବିକାର ଅନେକ ସ୍ୱପ୍ନକୁ ସାକାର କରିଛି ଏହି ଗୁରୁପ୍ରିୟା ସେତୁ। ୧୯୭୦ରେ ସ୍ଥାପନ ହୋଇଥିଲା ବାଲିମେଳା ଗାଁ। ଅନ୍ୟ ଅଞ୍ଚଳକୁ ଆଲୋକିତ କରିବାକୁ ଯାଇ ୧୫୧ଟି ଗାଁ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଥିଲା। ୩୦ ହଜାର ଲୋକ ଜଳବନ୍ଦୀ ହୋଇଯାଇଥିଲେ। ଏହି ଅନ୍ଧାରୀ ମୁଲକ ପାଲଟିଥିଲା ମାଓବାଦୀଙ୍କ ଗଡ଼଼। ଏଥିପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଥିଲେ ତାହା ଏବେ ୧୫୧ ଗାଁକୁ ଦେଖାଇଛି ଆଲୋକର ରାସ୍ତା।
ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ
ଏକଦା ଓଡ଼ିଶା ମାଓବାଦୀଙ୍କ ଚରାଭୂଇଁ ପାଲଟିଥିଲା। ମାତ୍ର ରାଜ୍ୟ ସରକାରଙ୍କ ପଦକ୍ଷେପ ପରେ ମାଓବାଦୀମାନେ ସରକାରଙ୍କ ଉପରେ ବିଶ୍ୱାସ ସ୍ଥାପନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୫୦୦ରୁ ଊର୍ଦ୍ଧ୍ବ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୨୦୧୬ ମସିହାରେ ମାଓବାଦୀଙ୍କଠାରୁ ସର୍ବାଧିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ପୁଲିସ ମାଓବାଦୀଙ୍କ ମଧ୍ୟରେ ୬୮ ଥର ମୁହାଁମୁହିଁ ହୋଇଥିବା ବେଳେ ୨୩ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ବର୍ଷ ୩ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଏହି ବର୍ଷ ୩୫ ମାଓବାଦୀ ଗିରଫ ହୋଇଥିବା ବେଳେ ୩୧ଜଣ ଆତ୍ମସମର୍ପଣ କରିଥିଲେ। ୨୦୧୭ରେ ୫୨ଥର ପୁଲିସ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୧୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୯ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା। ଏହି ବର୍ଷ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୨୬ଜଣ ଆତ୍ମସମର୍ପଣ କରିଛନ୍ତି। ଏହି ବର୍ଷ ମାଓବାଦୀଙ୍କଠାରୁ ୧୬ଟି ଅତ୍ୟାଧୁନିକ ବନ୍ଧୁକ, ୨୩ଟି ଏଲ୍ଇଡି ଜବତ କରାଯାଇଥିଲା। ୨୦୧୮ରେ ୫୪ ଥର ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୧୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ୧୯ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୯ଜଣ ମାଓବାଦୀ ଗିରଫ ହୋଇଛନ୍ତି। ପୁଲିସ ନିକଟରେ ୨୭ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ମାଓବାଦୀଙ୍କଠାରୁ ୪୦ଟି ଅତ୍ୟାଧୁନିକ ବନ୍ଧୁକ,୨୪ଟି ଏଲ୍ଇଡି ଜବତ କରାଯାଇଛି। ୨୦୧୯ରେ ୪୪ଥର ମାଓବାଦୀ ଏବଂ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୧୦ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା। ଏହାସହ ୯ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଗିରଫ ହୋଇଛନ୍ତି। ପୁଲିସ ନିକଟରେ ୧୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କ ନିକଟରୁ ୨୧ଟି ଅତ୍ୟାଧୁନିକ ବନ୍ଧୁକ, ୩୦ଟି ଏଲ୍ଇଡି ଜବତ କରାଯାଇଛି। ୨୦୨୦ ଡିସେମ୍ବର ଶେଷ ପର୍ଯ୍ୟନ୍ତ ୪୦ଥର ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ସେହିପରି ମାଲକାନଗିରି ଏବଂ କଳାହାଣ୍ଡି ଜିଲ୍ଲାରେ ୧୭ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏହି ବର୍ଷ ୩୪ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୨୧ଜଣ ଆତ୍ମସମର୍ପଣ କରିଛନ୍ତି। ସେହିପରି ୨୦୨୧ରେ ୨୧ଜଣ ଏବଂ ୨୦୨୨ ମାର୍ଚ୍ଚ ସୁଦ୍ଧା ୨ ଜଣ ଆତ୍ମସମର୍ପଣ କରିଛନ୍ତି।
ମାଓ ଥଇଥାନରେ ଆଗୁଆ
ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ବିଶେଷ କରି ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପାଇଁ ସରକାର ଥଇଥାନ ଯୋଜନା କରିଛନ୍ତି। ସେମାନଙ୍କୁ ରହିବା ପାଇଁ ଘର, ଚାକିରି ଏବଂ ଅନ୍ୟାନ୍ୟ ସୁବିଧା ଦିଆଯାଉଛି। ସେମାନେ ଆତ୍ମସମର୍ପଣ କରି ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ଏପରିକି ନିଜ ଅଞ୍ଚଳର କେହି ଯେମିତି ମାଓ ସଂଗଠରେ ସାମିଲ ନହେଲେ ସେଥିପ୍ରତି ମଧ୍ୟ ଲୋକଙ୍କୁ ସଚେତନ କରୁଛନ୍ତି। ନିକଟରେ କୋରାପୁଟ ପୁଲିସ ପ୍ରେମୀ ଯୁଗଳ ମାଓବାଦୀଙ୍କୁ ବିବାହ କରାଇ ଚର୍ଚ୍ଚାକୁ ଆସିଥିଲେ। ସରକାରଙ୍କ ଥଇଥାନ ଯୋଜନା ଯୋଗୁଁ ୨୦୦୩ରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ୪ହଜାର ୭୯୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବିଶେଷ କରି ୨୦୧୬ରେ ୧୮୭୧ ଜଣ ଆତ୍ମସମର୍ପଣ କରିଥିଲେ।
ନୂଆ ଥାନା ଏବଂ ବିଏସ୍ଏଫ୍ କ୍ୟାମ୍ପ୍
କୋରାପୁଟ ଏବଂ ମାଲକାନଗିରିର ଅନେକ ଅଞ୍ଚଳରେ ସୁରକ୍ଷାକର୍ମୀ ପଶି ପାରୁନଥିଲେ। ସେଠାରେ ଯୋଗାଯୋଗର ସୁବିଧା ନ ଥିଲା। ଯାହାଫଳରେ ମାଓବାଦୀମାନେ ଗ୍ରାମ ଭିତରକୁ ପଶି ଲୋକଙ୍କୁ ହଇରାଣ କରିବା ସହ ମାଓ ସଂଗଠନରେ ସାମିଲ ହେବାକୁ ବାଧ୍ୟ କରୁଥିଲେ। ଯଦି କେହି ବିରୋଧ କରନ୍ତି, ତେବେ ତାଙ୍କୁ ହତ୍ୟା କରୁଥିଲେ। ଏବେ କିନ୍ତୁ ସରକାରୀ ନୂଆ ରାସ୍ତା ନିର୍ମାଣ କରିବାରୁ ଯୋଗାଯୋଗ ସମ୍ଭବ ହୋଇପାରଛି। ଯେଉଁ ସ୍ଥାନରେ ମାଓବାଦୀ ସକ୍ରିୟ ଥିଲେ, ସେଠାରେ ପୁଲିସ ଥାନା ଏବଂ ବିଏସ୍ଏଫ କ୍ୟାମ୍ପ୍ ପ୍ରତିଷ୍ଠା ହୋଇଛି। ବର୍ତ୍ତମାନ ସୁଦ୍ଧା ମାଲକାନାଗିର ଅଞ୍ଚଳରେ ୬ଟି ବିଏସ୍ଏଫ୍ କ୍ୟାମ୍ପ୍ ପ୍ରତିଷ୍ଠା ହେବା ପରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି।
ବିକାଶକୁ ସ୍ଥାନୀୟ ଲୋକଙ୍କ ସମର୍ଥନ
ମାଓବାଦୀଙ୍କ ଧମକ କିମ୍ବା ପ୍ରଲୋଭନରେ ସ୍ଥାନୀୟ ଲୋକେ ଡରିଯାଉନାହାନ୍ତି। ସେମାନେ ସରକାରଙ୍କ ବିକାଶକୁ ସମର୍ଥନ କରୁଛନ୍ତି। ଯଦି ଏହାକୁ ଭଣ୍ଡୁର କରିବା ପାଇଁ ମାଓବାଦୀମାନେ ଆସୁଛନ୍ତି, ତେବେ ଗ୍ରାମ ଲୋକେ ମାଓବାଦୀଙ୍କୁ ଉଚିତ ଜବାବ ଦେଉଛନ୍ତି। ଗତ କିଛି ବର୍ଷ ହେବ ମାଓବାଦୀ ଗ୍ରାମ ଭିତରକୁ ପଶିଲେ ସେମାନଙ୍କୁ ଗୋଡ଼ାଇ ପିଟୁଛନ୍ତି ସ୍ଥାନୀୟ ଗ୍ରାମବାସୀ। ଆବଶ୍ୟକ ପଡ଼ିଲେ, ସେମାନେ ଧନୁ ତୀର ଧରି ଗାଁ ମୁଣ୍ଡରେ ଜଗି ରହୁଛନ୍ତି। ତେଣୁ ମାଓ ଅଞ୍ଚଳରେ ଏବେ ପିଇବା ପାଣି ଠାରୁ ଆରମ୍ଭ କରି ରାସ୍ତା ଘାଟ,ବଜାର, ମେଡିକାଲ, ବାତ୍ୟା ଆଶ୍ରୟସ୍ଥଳୀ ଏବଂ ସ୍କୁଲ ନିର୍ମାଣ କରାଯାଉଛି।