ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୃସିଂହନାଥ ଝରଣା ନିକଟରୁ ବିଲୁପ୍ତ ‘ନୃତ୍ୟରତ ବେଙ୍ଗ’ ଚିହ୍ନଟ

ବରଗଡ଼: ଜୈବ ବିବିଧତାରେ ପରିପୂର୍ଣ୍ଣ ବରଗଡ଼ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନୃସିଂହନାଥର ପାପହାରିଣୀ ନାଳା ନିକଟରୁ ଅଗ୍ରଗାମୀ ବାୟୋଡ଼ାଇଭରସିଟି ସେଲ ବରଗଡ଼ର ସଦସ୍ୟ ପାରେଶ୍ୱର ସାହୁ ବିଲୁପ୍ତପ୍ରାୟ ‘ନୃତ୍ୟରତ ବେଙ୍ଗ’ ‘ମିକ୍ରିଜାଇଲସ ଏଲିଗେନ୍ସ’କୁ ଚିହ୍ନଟ କରିଛନ୍ତି । ଏହି ପ୍ରଜାତିର ବେଙ୍ଗ ପ୍ରାୟ ୭୪ ବର୍ଷ ପୂର୍ବରୁ ଲୋପ ପାଇଯାଇଛନ୍ତି ବୋଲି ଆଶଙ୍କା କରାଯାଉଥିଲା । ଶେଷଥର ପାଇଁ ଏହି ପ୍ରଜାତିର ବେଙ୍ଗ ୧୯୩୭ରେ ଡ଼କ୍ଟର ରାଓ ନାମକ ଜୀବବିଜ୍ଞାନୀ ଏହାକୁ ପଶ୍ଚିମଘାଟ ପର୍ବତମାଳାର ଆନ୍ନାମଲାଇ ଅଞ୍ଚଳରେ ଦେଖିଥିଲେ । ତାହା ପରଠାରୁ ଏହି ପ୍ରଜାତିର ବେଙ୍ଗ ସମ୍ପର୍କରେ କୌଣସି ତଥ୍ୟ ନଥିଲା ।

ମାତ୍ର ୨୦୧୪ରେ ‘ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ, ବାଙ୍ଗାଲୁରୁ ଶାଖା ’ ଏବଂ ‘ଅଶୋକା ଟ୍ରଷ୍ଟ ଫର ରିସାର୍ଚ୍ଚ ଇନ ଇକୋଲୋଜି ଏଣ୍ଡ ଏନଭାୟାରମେଣ୍ଟ’ର ମିଳିତ ଉଦ୍ୟମରେ ଭାରତର ବିଶିଷ୍ଟ ଜୀବବିଜ୍ଞାନୀ ଡ଼କ୍ଟର ବିଜୁଙ୍କ ନେତୃତ୍ୱରେ କର୍ଣ୍ଣାଟକର ‘ସାଇଲେଣ୍ଟ ଭେଲି’ ଅଞ୍ଚଳରୁ ୭୩ ବର୍ଷ ଉପରାନ୍ତେ ‘ମିକ୍ରିଜାଇଲସ ଏଲିଗେନ୍ସ’ ପ୍ରଜାତିର ବେଙ୍ଗକୁ ପୁଣି ଥରେ ଆବିଷ୍କାର କରାଯାଇଥିଲା। ଏହି ଅବସରରେ ଡ଼କ୍ଟର ବିଜୁ ‘ମିକ୍ରିଜାଇଲସ ଏଲିଗେନ୍ସ’ ସମେତ ଅବଲୁପ୍ତ ମନେହେଉଥିବା ୫ଟି ପ୍ରଜାତିର ବେଙ୍ଗକୁ ପୁଣିଥରେ ଆବିଷ୍କାର କରିବା ସାଙ୍ଗକୁ ୧୪ଟି ନୂତନ ପ୍ରଜାତିର ବେଙ୍ଗ ଆବିଷ୍କାର କରିଥିଲେ । ସାଧାରଣତଃ ‘ମିକ୍ରିଜାଇଲସ ଏଲିଗେନ୍ସ’ ପ୍ରଜାତିର ବେଙ୍ଗ ସେମାନଙ୍କ ବ୍ୟବହାର ଯୋଗୁଁ ‘ନୃତ୍ୟରତ ବେଙ୍ଗ’ ବା ହିନ୍ଦୀରେ ‘ନୃତ୍ୟ ମେଢ଼କ’ ରୂପେ ପରିଚିତ । ତେବେ ଏହି ବେଙ୍ଗ ଭାରତର ପଶ୍ଚିମଘାଟ ପର୍ବତମାଳାରେ ଦେଖାଯାଉଥିବାର ରେକର୍ଡ଼ ରହିଛି । ମାତ୍ର ପୂର୍ବଘାଟ ପର୍ବତମାଲାର ଗନ୍ଧମାର୍ଦ୍ଦନ ପର୍ବତର ନୃସିଂହନାଥ ଠାରେ ଏହାର ଅବସ୍ଥିତି ସମ୍ପର୍କରେ ପୂର୍ବ ସୂଚନା ନଥିଲା ବୋଲି ଜୀବବିଜ୍ଞାନୀ ମହେଶ ମିଶ୍ର ସୂଚନା ଦେଇଛନ୍ତି ।

ସାଧାରଣତଃ ଏହି ପ୍ରଜାତିର ପୁରୁଷ ବେଙ୍ଗର ଆକାର ୦.୫୧ ଇଞ୍ଚରୁ ୦.୬୧ ଇଞ୍ଚ ଲମ୍ବ ହୋଇଥିବା ସମୟରେ ସ୍ତ୍ରୀ ବେଙ୍ଗୀ ଆକାର ୦.୭୦ରୁ ୦.୮୩ ଇଞ୍ଚ ହୋଇଥାଏ । ଏହାର ପୃଷ୍ଠ ଭାଗ ଲାଲ ଧୂଷର ରଙ୍ଗ ମିଶ୍ରିତ ହୋଇଥିବା ସମୟରେ ଅବୟବରେ ହଳଦିଆ କଳା ରଙ୍ଗର ଦାଗ ରହିଥାଏ । ପୁରୁଷ ବେଙ୍ଗ ଅନ୍ୟକୁ ସଙ୍କେତ ଦେବା ପାଇଁ ତଥା ମାଇ ବେଙ୍ଗକୁ ଆକର୍ଷିତ କରିବା ପାଇଁ ପଛ ଗୋଡ଼କୁ ସମୟ ସମୟରେ ସମ୍ପୂର୍ଣ୍ଣ ପ୍ରସାରିତ କରିଥାଏ । ଏହି କାରଣରୁ ଏହାକୁ ନୃତ୍ୟରତ ବେଙ୍ଗ କୁହାଯାଇଥାଏ । ନୃସିଂହନାଥର ପାପହାରିଣୀ ନାଳା ନିକଟରୁ ‘ମିକ୍ରିଜାଇଲସ ଏଲିଗେନ୍ସ’ ପ୍ରଜାତିର ବେଙ୍ଗ ମିଳିବା ଅଞ୍ଚଳର ଜୈବ ବିବିଧତା ପାଇଁ ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧୀ ବୋଲି ଅଗ୍ରଗାମୀ ବାୟୋଡ଼ାଇଭରସିଟି ସେଲ ବରଗଡ଼ ପକ୍ଷରୁ କୁହାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ବରଗଡ଼ର ଅଗ୍ରଗାମୀ ବାୟୋଡ଼ାଇଭରସିଟି ସେଲର ସଦସ୍ୟ ମହେଶ ମିଶ୍ର ୧୨୦ ବର୍ଷ ପୂର୍ବରୁ ଲୋପ ପାଇଛି ବୋଲି ମନେ କରାଯାଉଥିବା ସରୀସୃପ ‘ୟୁବ୍ଳିଫାରିସ ହାଡ଼ୱିକି’କୁ ନୃସିଂହନାଥ ଅଞ୍ଚଳରୁ ଚିହ୍ନଟ କରିଥିଲେ । ଏହା ବ୍ୟତିତ ଅଗ୍ରଗାମୀ ବାୟୋ ଡ଼ାଇଭରସିଟି ସେଲ ବରଗଡ଼ର ସଦସ୍ୟ ମାନଙ୍କ ଦ୍ୱାରା ପୂର୍ବରୁ ଅଷ୍ଟବର୍ଗ ପ୍ଳାଣ୍ଟ ରୂପେ ପରିଚିତ ‘ଜୀବକ, ରୁଷଭକ, ରୁଦ୍ଧି ଓ ବୃଦ୍ଧି’ ପରି ଅର୍କିର୍ଡ଼ ଶ୍ରେଣୀର ବିରଳ ଉଦ୍ଭିଦ ମଧ୍ୟ ବରଗଡ଼ ଜିଲାର ଗନ୍ଧମାର୍ଦ୍ଦନ ପର୍ବତମାଳାରୁ ଚିହ୍ନଟ କରାଯାଇଛି । ଏ ଗୁଡ଼ିକର ଅବସ୍ଥିତି ସମ୍ପର୍କରେ ପୂର୍ବରୁ ଓଡ଼ିଶାରେ ରେକର୍ଡ଼ ନଥିଲା । କର୍ଣ୍ଣାଟକର ‘ସାଇଲେଣ୍ଟ ଭେଲି ପରି ଗନ୍ଧମାର୍ଦ୍ଦନ ପର୍ବତ ମଧ୍ୟ ବହୁ ବିରଳ ଗୁଲ୍ମଳତା ଏବଂ ଜୈବ ବିବିଧତାରେ ପରିପୂର୍ଣ୍ଣ ଏକ ‘ଟ୍ରେଜର ହାଉସ’ ବୋଲି ଅଗ୍ରଗାମୀ ବାୟୋଡ଼ାଇଭରସିଟି ସେଲ ବରଗଡ଼ର ଚେୟାରମେନ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ନେତ୍ରଭାନୁ ପ୍ରଧାନ ମନ୍ତବ୍ୟ ଦେଇଛନ୍ତି । ଏଣୁୁ ଏହାର ସର୍ବକାଳିନ ସଂରକ୍ଷଣ ପାଇଁ ଜୈବ ବିବିଧତା ଦୃଷ୍ଟିରୁ ‘ପ୍ରୋଟେକଟେଡ଼ ଏରିଆ’ ରୂପେ ଘୋଷଣା କରିବାର ଆବଶ୍ୟକତା ରହିଛି । ବାସ୍ତବରେ ସମଗ୍ର ଗନ୍ଧମାର୍ଦ୍ଦନ ଅଞ୍ଚଳକୁ ‘ବାୟୋସ୍ପିଅର’ ଘୋଷଣା କରାଯିବା କଥା । ମାତ୍ର ଏହାର ସଂରକ୍ଷିତ ଅଞ୍ଚଳର ପରିସୀମା ବାୟୋସ୍ପିଅରର ନିଧାର୍ଯ୍ୟ ପରିସୀମା ଠାରୁ କମ ରହୁଥିବାରୁ ଅନ୍ତତଃ ପକ୍ଷେ ଏହାକୁ ‘ପ୍ରୋଟେକଟେଡ଼ ଏରିଆ’ ଘୋଷଣା କରାଯିବା ସହ ଗନ୍ଧମାର୍ଦ୍ଦନ ଅଞ୍ଚଳରୁ ଅଗାମୀ ଭବିଷ୍ୟତରେ ମଧ୍ୟ ଖଣିଖନନ ବନ୍ଦ କରାଯିବାକୁ ଦାବି ହେଉଛି ।ଏ ସମ୍ପର୍କରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଠାରେ ଦୀର୍ଘ ବର୍ଷହେଲା ପ୍ରସ୍ତାବ ବିଚାରାଧିନ ରହିଥିଲେ ହେଁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରୁ ନାହିଁ । ଏଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏ ଦିଗରେ ଆନ୍ତରିକତାର ସହ ଉଦ୍ୟମ କରିବା ସାଙ୍ଗକୁ ନୃସିଂହନାଥକୁ ‘ଇକୋ ଟୁରିଜମ’ର ଅନ୍ତର୍ଭୁକ୍ତ କରାଯାଇ ଏଡ଼ଭେନଚର ଟ୍ରାକିଙ୍ଗ, ନେଚର ୱାକିଙ୍ଗ ପ୍ରଭୃତି କାର୍ଯ୍ୟକ୍ରମ ହାତକୁ ନେବାର ଆବଶ୍ୟକତା ରହିଛି ବୋଲି ଅଗ୍ରଗାମୀ ବାୟୋଡାଇଭରସିଟି ସେଲ ପ୍ରକାଶ କରିଛି ।

Leave A Reply

Your email address will not be published.