ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତକୁ ଆଇସିସିର ‘ଲଲିପପ୍‌’, ସକାଳେ ଟେଷ୍ଟରେ ଭାରତ ନଂ ୧, ସନ୍ଧ୍ୟାରେ ଅଷ୍ଟ୍ରେଲିଆ ନଂ ୧

ନୂଆଦିଲ୍ଲୀ : ସମସ୍ତ ତିନୋଟି ଫର୍ମାଟରେ ଭାରତକୁ ଏକ ନମ୍ବର କରିବାର କିଛି ଘଣ୍ଟା ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ୟୁ-ଟର୍ନ ନେଇଛି। ବୁଧବାର ଆଇସିସି ଭାରତକୁ ଟେଷ୍ଟରେ ଏକ ନମ୍ବର ବୋଲି ରାଙ୍କିଙ୍ଗରେ ଦର୍ଶାଇଥିଲା। ଏହାପୂର୍ବରୁ ଭାରତ ଉଭୟ ଦିନିକିଆ ଓ ଟି-୨୦ରେ ବିଶ୍ବରେ ଏକ ନମ୍ବର ରହିଥିବା କାରଣରୁ ଟେଷ୍ଟରେ ଏକ ନମ୍ବର ହେବା ପରେ ଇତିହାସ ସୃଷ୍ଟି କରିଥିଲା। କିନ୍ତୁ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ଏହି ଖୁସି ବେଶି ସମୟ ରହିଲାନି। ‘ଲଲିପପ୍‌’ ଖାଇବାର କିଛି ସମୟ ପରେ ଯେପରି ସରିଯାଏ, ସେହିପରି ଭାରତକୁ ଏକ ‘ଲଲିପପ୍‌’ ଦେଇଥିଲା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)। କାରଣ ବୁଧବାର ସକାଳେ ଆଇସିସି ପକ୍ଷରୁ ପ୍ରକାଶିତ ରାଙ୍କିଙ୍ଗରେ ଭାରତ ଟେଷ୍ଟରେ ଏକ ନମ୍ବର ବୋଲି ଦର୍ଶାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ଆଇସିସି ଆଉ ଏକ ରାଙ୍କିଙ୍ଗ ପ୍ରକାଶ କରିଛି। ଯେଉଁଥିରେ ଅଷ୍ଟ୍ରେଲିଆ ଟେଷ୍ଟରେ ଏକ ନମ୍ବର ରହିଛି। ଆଉ ଭାରତକୁ ଭୁଲରେ ଏକ ନମ୍ବର କରିଦିଆଯାଇଛି, ଏହା ଏକ ତ୍ରୁଟି ବୋଲି ଆଇସିସି କହିଛି।

 

ଭାରତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୧୩୨ ରନରେ ହରାଇଥିଲା। ଏହାପରେ ଦଳ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଥିବା ଆଇସିସି ପକ୍ଷରୁ ମଧ୍ୟାହ୍ନରେ ଅପଡେଟ କରାଯାଇଥିଲା। ଏହାପରେ ଏନେଇ ବିଭିନ୍ନ ଗଣମାଧ୍ୟମ ଖବର ମଧ୍ୟ ପ୍ରସାରଣ କରାଯାଇଥିଲା। ପୂର୍ବରୁ ଭାରତ ଟି-୨୦ ଏବଂ ଦିନିକିଆ ଫର୍ମାଟରେ ଏକ ନମ୍ବରରେ ରହିଥିଲା । ଏହାପରେ ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ହୋଇ କିକ୍ରେଟରେ ଭାରତ ଇତିହାସ ରଚିଥିଲା ବୋଲି ଖବର ପ୍ରସାରଣ ହୋଇଥିଲା। ଆଇସିସି ପକ୍ଷରୁ ସକାଳେ ପ୍ରକାଶ ପାଇଥିବା ଟେଷ୍ଟ ରାଙ୍କିଙ୍ଗରେ ଭାରତ ୧୧୫ ପଏଣ୍ଟ ସହ ଏକ ନମ୍ବରରେ ରହିଥିବା ବେଳେ ୧୧୧ ପଏଣ୍ଟ ସହ ଦ୍ୱିତୀୟରେ ଅଷ୍ଟ୍ରେଲିଆ ଏବଂ ୧୦୬ ପଏଣ୍ଟ ସହ ତୃତୀୟରେ ଇଂଲଣ୍ଡ ରହିଥିଲା।

ତେବେ ସନ୍ଧ୍ୟାରେ ତ୍ରୁଟି ସୁଧାରି ଆଇସିସି ନୂଆ ଟେଷ୍ଟ ରାଙ୍କିଙ୍ଗ ପ୍ରକାଶ କରିଛି। ଯେଉଁଥିରେ ଭାରତ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ଏଯାଏ ପହଞ୍ଚିନି। ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ପୂର୍ବଭଳି ୧ନଂ ସ୍ଥାନରେ ରହିଛି। କିନ୍ତୁ ଦିନିକିଆ ଓ ଟି-୨୦ରେ ଭାରତ ୧ନଂ ସ୍ଥାନ ଦଖଲ କରିଛି। ଆଇସିସି ପକ୍ଷରୁ ତ୍ରୁଟି ସୁଧାରି କୁହାଯାଇଛି ଯେ ଅଷ୍ଟ୍ରେଲିଆ ୨୯ଟି ମ୍ୟାଚ୍‌ରୁ ୧୨୬ ପଏଣ୍ଟ ସହ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛି। ଭାରତ ୩୨ ମ୍ୟାଚ୍‌ରୁ ୧୧୫ ପଏଣ୍ଟ ସହ ୨ନଂରେ ଅଛି। ସେହିପରି ଇଂଲଣ୍ଡ ୧୦୭ ପଏଣ୍ଟ ସହ ତୃତୀୟ ଓ ଦକ୍ଷିଣ ଆଫ୍ରିକା ୧୦୨ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି।

Leave A Reply

Your email address will not be published.