ମହିଳା ଟି-୨୦ ବିଶ୍ବକପ୍ : ଓ୍ବେଷ୍ଟଇଣ୍ଡିଜକୁ ୬ ଓ୍ବିକେଟରେ ହରାଇଲା ଟିମ୍ ଇଣ୍ଡିଆ

କେପ୍ଟାଉନ୍ : ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି ଭାରତ। ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ହରାଇଥିବା ଭାରତ ଆଜି ଦ୍ୱିତୀୟ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ହରାଇଛି ଟିମ୍ ଇଣ୍ଡିଆ। ଆଜିର ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଣ୍ଡିଜ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୧୮ ରନ କରି ଭାରତକୁ ବିଜୟ ପାଇଁ ୧୧୯ ରନ୍ର ଟାର୍ଗେଟ ଦେଇଥିଲା।
ଏହାପରେ ୧୧୯ ରନର ଟାର୍ଗେଟ ନେଇ ହରମନପ୍ରୀତ କୌରଙ୍କ ଭାରତୀୟ ଦଳ ପଡିଆକୁ ଓହ୍ଲାଇଥିଲା। ଭାରତ ୧୮.୧ ତମ ଓଭରରେ ୪ ଓ୍ବିକେଟ ହରାଇ ବିଜୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ରିଚା ଘୋଷ ୪୪ ରନ କରିଥିବାବେଳେ ହରମନପ୍ରିତ କୌର ୩୩ ରନ କରିଥିଲେ । ଶେଫାଳି ବର୍ମା ୨୮ ରନ କରିଥିଲେ ।
କେପ ଟାଉନରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଇଣ୍ଡିଜ ଅଧିନାୟକ ହାଲି ମାଥ୍ୟୁସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୧୮ ରନ କରିଥିଲା । ଦଳ ପକ୍ଷରୁ ଏସ.ଟେଲର ୪୨ରନ ଓ କ୍ୟାମ୍ପବେଲ ୩୦ ରନ କରିଥିଲେ । ଚେଡିଅନ ନେସନ ୨୧ରନ ଓ ସବିକା ଗଞ୍ଜାବି ୧୫ ରନ କରିଥିଲେ । ଭାରତ ପକ୍ଷରୁ ଦିପ୍ତୀ ଶର୍ମା ୩ଟି ଓ୍ବିକେଟ ନେଇଥିବାବେଳେ ରେଣୁକା ସିଂ ଓ ପୂଜା ବସ୍ତ୍ରାକର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।