ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠାରୁ ଆଇସିସି ଟି-୨୦ ବିଶ୍ବକପ୍: ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହେବେ ଓମାନ-ପପୁଆ ନ୍ୟୁ ଗିନି ଏବଂ ବାଂଲାଦେଶ-ସ୍କଟ୍‌ଲାଣ୍ଡ

ଅଲ୍‌ ଅମିରତ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍ ଶେଷ ହେବାର ମାତ୍ର ଦୁଇ ଦିନ ପରେ ୟୁଏଇ ଏବଂ ଓମାନରେ ଆଉ ଏକ ଧମାକାଦାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ବକପ୍ ଅକ୍ଟୋବର ୧୭ ବା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଦୀର୍ଘ ୫ ବର୍ଷ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫେରିଛି । ଏହି ଟୁର୍ଣ୍ଣାମେଣ୍ଟର ଅୟୋଜକ ଭାରତ କରୋନା ସ୍ଥିତି ଯୋଗୁଁ ନିଜ ଦେଶରେ ଆୟୋଜିତ କରିବାରେ ଅସମର୍ଥ ହୋଇଥିଲା। ଯୋଗ୍ୟତା ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଓମାନରେ ଅନୁଷ୍ଠିତ ହେବ । ୟୁଏଇରେ ସୁପର-୧୨, ସେମି ଫାଇନାଲ ଓ ଫାଇନାଲ୍‌ ଖେଳାଯିବ । ନଭେମ୍ବର ୧୪ରେ ଫାଇନାଲ ଅନୁଷ୍ଠିତ ହେବ ।

ICC T20 World Cup 2021

ଉଭୟ ଆଇସିସି ଓ ବିସିସିଆଇର ସହମତିରେ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇ ଓ ଓମାନରେ ମିଳିତଭାବେ ଆୟୋଜନ କରାଯିବାକୁ ସ୍ଥିର ହୋଇଥିଲା। ଫଳରେ ଏହା ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ନଭେମ୍ବର ୧୪ରେ ଶେଷ ହେବ। ଏଥିରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରୁଥିଲାବେଳେ ଟୁର୍ଣ୍ଣାମେଣ୍ଟଟି ୩ଟି ପର୍ଯ୍ୟାୟରେ ଖେଳାଯିବ । ଏଗୁଡିକ ହେଉଛି ଯୋଗ୍ୟତା ପର୍ଯ୍ୟାୟ, ସୁପର ୧୨ ଲିଗ୍ ପର୍ଯ୍ୟାୟ ଏବଂ ନକ୍‌ଆଉଟ। ପ୍ରଥମେ ୮ଟି ଦଳକୁ ନେଇ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏହି ଦଳ ଗୁଡିକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି। ଏହା ମଧ୍ୟରୁ ଗ୍ରୁପ୍-ଏ’ରେ ଶ୍ରୀଲଙ୍କା, ଆୟର୍ଲାଣ୍ଡ, ନାମ୍ବିଆ ଓ ନେଦରଲାଣ୍ଟସ ସ୍ଥାନ ପାଇଛନ୍ତି। ସେହିପରି ଗ୍ରୁପ୍ ବି’ରେ ବାଂଲାଦେଶ, ସ୍କଟଲାଣ୍ଡ, ଓମାନ ଓ ପାପୁଆ ନ୍ୟୁ ଗିନିକୁ ସ୍ଥାନ ମିଳିଛି । ଗ୍ରୁପ୍‌ ପର୍ଯ୍ୟାୟରେ ରାଉଣ୍ଡ ରବିନ୍ ଲିଗ୍ ମୁକାବିଲା ଅନୁଷ୍ଠିତ ହେବ। ପ୍ରତ୍ୟେକ ଗ୍ରୁପ୍‌ର ଦୁଇ ଶ୍ରେଷ୍ଠ ଦଳ ସୁପର-୧୨ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଏହି ପର୍ଯ୍ୟାୟ ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଏଥିରେ ବିଶ୍ବର ଶ୍ରେଷ୍ଠ ଦଳ ଗୁଡିକ କେବଳ ଅଂଶଗ୍ରହଣ କରିବେ । ଏହା ଅକ୍ଟୋବର ୨୩ରୁ ଆରମ୍ଭ ହେବ | ଗ୍ରୁପ୍ ୨ରେ ସ୍ଥାନ ପାଇଥିବା ଭାରତ ତାହାର ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ଖେଳି ୨୪ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମ ରାଉଣ୍ଡର ଗ୍ରୁପ୍‌ ବି’ରେ ଆଜି ଓମାନ ଓ ପପୁଆ ନ୍ୟୁ ଗିନି ପରସ୍ପରକୁ ଭେଟିବେ । ଏହାପରେ ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ ଅନୁଷ୍ଠିତ ହେବ । ଅକ୍ଟୋବର ୨୨ରେ ପ୍ରଥମ ରାଉଣ୍ଡ୍‌ ଶେଷ ହେବ ।

Leave A Reply

Your email address will not be published.