ବାୟୁ ବୀରଙ୍କ ସୌର୍ଯ୍ୟ ଓ ସାମର୍ଥ୍ୟ ଦେଖିଲେ ପୁରୀବାସୀ, ୯ଟି ହକ୍‌ ବିମାନ ଦେଖାଇଲେ କଳାକୌଶଳ

ପୁରୀ : ଭୁବନେଶ୍ୱର ପରେ ପୁରୀରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ ଅନୁଷ୍ଠିତ ହୋଇଛି । ବ୍ଲୁ ଫ୍ଲାଗ ବିଚ୍ ବେଳାଭୂମିରେ ବାୟୁସେନା ପକ୍ଷରୁ ହୋଇଛି ଚିତ୍ତାକର୍ଷକ ଏୟାର ସୋ। ବେଳାଭୂମି ଆକାଶରେ ୯ଟି ହକ ବିମାନ ନିଜ ନିଜର ଅଭିନବ କଳା କୌଶଳ ପ୍ରଦର୍ଶନ କରିଛନ୍ତି।

ହକ ବିମାନଗୁଡିକ ଆରୋ, ଡ଼ାଇମଣ୍ଡ, ତେଜସ ଫର୍ମେସନରେ ଚମତ୍କାର କୌଶଳ ପ୍ରଦର୍ଶନ କରିଛନ୍ତି। ଯାହାକୁ ଦେଖିବା ପାଇଁ ବେଳଭୂମିରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଆଜି ସକାଳ ୧୦ଟା ୨୦ରେ ଆରମ୍ଭ ହୋଇ ୧୧ଟା ପର୍ଯ୍ୟନ୍ତ ଚାଲିବା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ସକାଳୁ ପାଗ ଖରାପ ହେବା କାରଣରୁ ଏୟାର ଶୋ କିଛି ଡେରିରେ ଆରମ୍ଭ ହୋଇଥିଲା। ଶନିବାର ପୁରୀ ବ୍ଲୁ ପ୍ଲାଗ୍‌ ବିଚ୍‌ରେ ସୂର୍ଯ୍ୟକିରଣ ଏୟାର ଶୋ ର ଫୁଲ ଡ୍ରେସ ରିହର୍ସଲ ହୋଇଥିଲା। ଏହାପରେ ଆଜି କିଛି ସମୟ ବିଳମ୍ବ ହେଲେ ମଧ୍ୟ ବାୟୁସେନାର ଏରୋବାଟିକ୍ ଡିସପ୍ଲେ ଟିମ୍ ଦ୍ୱାରା ଚିତ୍ତାକର୍ଷକ ଏୟାର ସୋ ପଦର୍ଶନ କରାଯାଇଥିଲା।

ପୁରୀ ବ୍ଲୁ ପ୍ଲାଗ୍‌ ବିଚ୍‌ରେ ହଜାର ହଜାର ଦର୍ଶକ ଉପସ୍ଥିତ ରହି ବାୟୁ ବୀରଙ୍କ ସୌର୍ଯ୍ୟ ଓ ସାମର୍ଥ୍ୟ ଦେଖିଥିଲେ। ଶନିବାର ସୂର୍ଯ୍ୟକିରଣ ଏୟାର ଶୋ ର ଫୁଲ ଡ୍ରେସ ରିହର୍ସଲ ଦେଖିବାକୁ ପ୍ରବଳ ଭିଡ ହୋଇଥିବା ବେଳେ ରବିବାର ପାଗ ଖରାପ ସତ୍ତ୍ବେ ବହୁ ଲୋକ ଭିଡ ଜମାଇଥିଲେ। ପାଗରେ ସୁଧାର ଆସିବା ପରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ ହୋଇଥିଲା।

ସୂଚନାଯୋଗ୍ୟ ଶୁକ୍ରବାର ଭୁବନେଶ୍ୱର କୁଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ସୂର୍ଯ୍ୟକିରଣ ଏୟାର ହୋଇଥିଲା । ସକାଳ ୧୦ଟା ୧୬ ମିନିଟରୁ କୁଆଖାଇ ନଦୀ ପଠାରେ ସୂର୍ଯ୍ୟକିରଣ ଏୟାର ଶୋ କରାଯାଇଥିଲା। ରାଜଧାନୀ ଆକାଶରେ ପ୍ରାୟ ୨୦ ମିନିଟ ଧରି ପରାକ୍ରମ ଦେଖାଇଥିଲା ବାୟୁସେନା। ଏୟାର ସୋରେ ସାମିଲ ହୋଇଥିଲେ ୯ଟି ହକ୍ ବିମାନ। ପ୍ରଥମ ପର୍ଯ୍ୟାୟରେ ୫୦୦ରୁ ୧୦୦୦ଫୁଟ ଉଚ୍ଚତାରେ ସବୁ ବିମାନ ଉଡ଼ାଣ ଭରିଛନ୍ତି। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିକ ପରେ ଗୋଟିଏ ସବୁ ବିମାନ ଆକାଶମାର୍ଗରେ ଚିତାକର୍ଷକ ଶୋ ପ୍ରଦର୍ଶନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ବାୟୁସେନାର ଏରୋବାଟିକ୍ ଡିସପ୍ଲେ ଟିମ୍ ଦ୍ୱାରା ସୂର୍ଯ୍ୟକିରଣ ଏୟାର ଶୋ ପ୍ରଦର୍ଶିତ ହୁଏ। ୧୯୮୨ରେ ବାୟୁସେନାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରଥମ ଏରୋବାଟିକ୍ ଟିମ୍ ଗଠନ କରାଯାଇଥିଲା। ସୂର୍ଯ୍ୟକିରଣ ଟିମ୍ ପକ୍ଷରୁ ୨୦୦୧ରେ ବିଦେଶରେ ପ୍ରଥମଥର ପାଇଁ ଚିତ୍ତାକର୍ଷକ ଶୋ ପ୍ରଦର୍ଶନ କରାଯାଇଥିଲା। ଶ୍ରୀଲଙ୍କାର କଲୋମ୍ବୋରେ ଏହି ଶୋ ହୋଇଥିଲା। ଅତ୍ୟାଧୁନିକ ହକ୍ ଏମକେ ୧୩୨ ଏୟାରକ୍ରାଫ୍ଟ ଦ୍ୱାରା ବାୟୁସେନା ପକ୍ଷରୁ ଏଭଳି ନିଆରା ପ୍ରଦର୍ଶନ କରାଯାଇ ଯୁବପିଢିଙ୍କୁ ପ୍ରେରଣା ଦିଆଯାଉଛି। ସୂର୍ଯ୍ୟକିରଣ ଏହି ସ୍ୱତନ୍ତ୍ର ଶୋ ପାଇଁ ପାଇଲଟଙ୍କୁ ୬ ମାସ ଧରି ଅଭ୍ୟାସ କରିବାକୁ ପଡିଥାଏ।

Leave a comment