ପାରିବାରିକ କଳହକୁ କେନ୍ଦ୍ରକରି ପତ୍ନୀ ଏବଂ ଅନ୍ୟ ୩ ଜଣଙ୍କ ଉପରକୁ ଏସିଡ୍ ମାଡ଼ କଲା ସ୍ୱାମୀ

ବାଲେଶ୍ବର: ଘରେ ପଶି ସ୍ତ୍ରୀକୁ ଏସିଡ ମାଡ଼ କଲା ସ୍ୱାମୀ। ସ୍ତ୍ରୀଙ୍କ ଭଉଣୀ ଏବଂ ସେମାନଙ୍କ ୨ ଛୋଟ ପିଲାଙ୍କ ଉପରକୁ ମଧ୍ୟ ଏସିଡ୍ ମାଡ଼ ହୋଇଛି । ଗୁରୁତର ୪ ଜଣଙ୍କୁ ରେମୁଣା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ଭୀମାପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୟୀ ଘଟଣା। ଏସିଡ ମାଡ଼ କରିଥିବା ଯୁବକ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ଚନ୍ଦନ ରଣା ବୋଲି ଜଣା ପଡିଛି।
ସୂଚନା ଅନୁସାରେ, ଦେଢମାସ ପୂର୍ବରୁ ସାନଭଉଣୀଙ୍କୁ ବିବାହ କରିଥିଲେ ଏସିଡ଼ ମାଡ଼ କରିଥିବା ସ୍ବାମୀ । ସ୍ବାମୀଙ୍କର ଅନ୍ୟ ସ୍ତ୍ରୀ ଥିବା ଜାଣିବା ପରେ ଶ୍ବଶୁର ଘରକୁ ନ ଯିବାରୁ ସ୍ତ୍ରୀ ସହିତ ଦେଢଶାଶୁ ଓ ଅନ୍ୟ ୨ ଜଣଙ୍କୁ ଏସିଡ଼ ମାଡ଼ କରାଯାଇଥିବା ସୂଚନା ମିଳିଛି ।
ଅଭିଯୋଗ ଅନୁସାରେ ଆଜି ସ୍ୱାମୀ ଚନ୍ଦନ ଶ୍ୱଶୂର ଘରକୁ ଆସିଥିଲେ। ସେଠାରେ ଚନ୍ଦନ ଓ ସ୍ତ୍ରୀ ବନିତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ବନିତାଙ୍କ ଉପରକୁ ଚନ୍ଦନ ଏସିଡ୍ ଫିଙ୍ଗିଥିବା ଅଭିଯୋଗ ହୋଇଛି। ବନିତାଙ୍କ ଚିତ୍କାର ଶୁଣି ତାଙ୍କ ବଡ଼ଭଉଣୀ ବର୍ଷା ଓ ତାଙ୍କ(ବର୍ଷାଙ୍କ) ଦୁଇ ପିଲା ଧାଇଁ ଆସିଥିଲେ। ସେମାନେ ମଧ୍ୟ ଏସିଡ ମାଡ଼ରେ ଗୁରୁତର ଆହତ ହୋଇଛି। ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏସିଡ ମାଡ଼ କରି ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି ।