ଯୁବକଙ୍କ ପେଟରୁ ବାହାରିଲା ମଣିଷାକୃତିର ମସ୍ତିଷ୍କ, ୬ଟି ଦାନ୍ତ ଓ ଚୁଟି ମିଶା ମାଂସପିଣ୍ଡୁଳା
ବାରିପଦା : ସ୍ଥାନୀୟ ଏକ ଘରୋଇ ହସପିଟାଲରେ ଜନୈକ ଯୁବକଙ୍କ ବିରଳ ସଫଳ ଅସ୍ତ୍ରୋପୋଚାର ସମ୍ପନ୍ନ ହୋଇଛି । ଯାହାକି ଚର୍ଚ୍ଚାର କାରଣ ସାଜିଛି । ଯୁବକ ଜଣଙ୍କ ସଦର ବ୍ଲକ ବଡ଼ଯୋଡ଼ ପଞ୍ଚାୟତର ଟସରଡା ଗ୍ରାମର ଅଟନ୍ତି । ଦୀର୍ଘ ୨୩ବର୍ଷ ଧରି ତାଙ୍କ ପେଟରେ ବୃଦ୍ଧି ପାଉଥିବା ଏକ ମାଂସ ପିଣ୍ଡୁଳାକୁ ଡାକ୍ତର ଅସ୍ତ୍ରୋପଚାର କରିଛନ୍ତି । ତେବେ ମାଂସ ପିଣ୍ଡୁଳାଟିରେ ମଣିଷ ଆକୃତିର ୬ଟି ଦାନ୍ତ ଓ ଲମ୍ବ ଚୁଟି ରହିଥିବା ଜଣାପଡ଼ିବାରୁ ତାହା ଚର୍ଚ୍ଚାର କାରଣ ସାଜିଛି । ଅସ୍ତ୍ରୋପଚାର ପରେ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ବେଳେ ଏହା ଏକ ବିରଳ ଅସ୍ତ୍ରୋପଚାର ବୋଲି ହସପିଟାଲ କତ୍ତୃର୍ପକ୍ଷ ପ୍ରକାଶ କରିଛନ୍ତି ।
ଜନ୍ମ ହେବାର ଏକ ବର୍ଷ ପରେ ତାଙ୍କ ପେଟରେ ଏକ ମାଂସ ପିଣ୍ଡୁଳା ବୃଦ୍ଧି ପାଇଥିଲା । ୨୩ବର୍ଷ ଧରି ମାଂସ ପିଣ୍ଡୁଳା ପୃଦ୍ଧି ପାଇବାରୁ ଯୁବକର ପେଟଟି ମଧ୍ୟ ବୃଦ୍ଧି ପାଇଥିଲା । ଏହାକୁ ନେଇ ବାପା-ମା’ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ମାତ୍ର ରୋଗର କାରଣ ଜଣାନପଡିବାରୁ ସେ କଟକ ବଡ ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ । ଯୁବକ ପେଟରେ ବୃଦ୍ଧି ପାଉଥିବା ମାଂସ ପିଣ୍ଡୁଳାରେ କ୍ୟାନସର ହୋଇଥିବା ନେଇ ଡାକ୍ତର ଜଣାଇବା ପରେ ପରିବାର ଲୋକେ କ୍ୟାନସର ଡାକ୍ତରଖାନାକୁ ନେଇ ପରୀକ୍ଷା ନୀରିକ୍ଷା ମଧ୍ୟ କରିଥିଲେ । ଏହାକୁ ନେଇ ବାପା ମା’ଓ ପରିବାର ଲୋକଙ୍କ ମଧ୍ୟରେ ବିଶାଦ ବଢିଯାଇଥିଲା । ଅସ୍ତ୍ରୋପଚାର କରିବା ପରେ ରୋଗୀର ବଞ୍ଚିବାକୁ ନେଇ ଡାକ୍ତରମାନେ କୌଣସି ପଦକ୍ଷେପ ଗ୍ରହଣ କରୁନଥିଲେ ।
ତେବେ ଯୁବକଙ୍କର ପିତା ନିରୁପାୟ ହୋଇ ବାରିପଦାର ସାଇ ହସପିଟାଲର ମାଲିକଙ୍କୁ ପୁଅର ରୋଗ ସମ୍ପର୍କରେ ଜଣାଇଥିଲେ । ପରବର୍ତ୍ତୀ ସମୟରେ ହସପିଟାଲ କତ୍ତୃର୍ପକ୍ଷ ରୋଗର କାରଣ ଅନୁଧ୍ୟାନ କରିବା ପରେ ଅସ୍ତ୍ରପୋଚାର ମାଧ୍ୟମରେ ଯୁବକକୁ ନୂଆ ଜୀବନ ଦେଇହେବ ବୋଲି କହିଥିଲେ । ଏହାକୁ ନେଇ ଏସ୍ସିବି ମେଡିକାଲ କଲେଜର ସିନିଅର ଅସ୍ତ୍ରପୋଚାର ଡା.ଦୀପକ ରଞ୍ଜନ ନାୟକ ଓ ହସପିଟାଲର କର୍ମଚାରୀଙ୍କୁ ନେଇ ଅତ୍ୟାଧୁନିକ ଯନ୍ତ୍ରପାତି ସାହାର୍ଯ୍ୟରେ ଅପରେସନ ଆରମ୍ଭ କରିଥିଲେ । ଦୀର୍ଘ ୪ଘଣ୍ଟା ଧରି ଅସ୍ତ୍ରୋପଚାର କରିବାରୁ ଯୁବକଙ୍କ ପେଟରେ ଥିବା ମାଂସ ପିଣ୍ଡୁଳା ମଧ୍ୟରୁ ମଣିଷାକୃତିର ମସ୍ତିଷ୍କ, ୬ଟି ଦାନ୍ତ ଓ କିଛି ଲମ୍ବା ଲମ୍ବା ଚୁଟି ବାହାର କରିଥିଲେ । ତେବେ ଏହା ଏକ ଟେରାଟୋମା ରୋଗ ବୋଲି ହସପିଟାଲ ମାଲିକ ଲକ୍ଷ୍ମୀକାନ୍ତ ପତି ପ୍ରକାଶ କରିଛନ୍ତି । ମାତୃଗର୍ଭରେ ଯମଜ ସନ୍ତାନର ଭୃଣ ମଧ୍ୟରୁ ଗୋଟିଏ ସନ୍ତାନର ପେଟ ମଧ୍ୟରେ ଅନ୍ୟ ଭୃଣଟି ରହିଯାଇଥିବାରୁ ଏଭଳି ବିରଳ ଘଟଣା ଦେଖିବାକୁ ମିଳିଛି । ତେବେ ଗରିବ ଯୁବକଙ୍କ ପରିବାରକୁ ସରକାରୀ ସହାୟତା ଯୋଗଇ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।