ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖରାଦିନରେ କିପରି ନେବେ ସ୍ବାସ୍ଥ୍ୟର ଯତ୍ନ

ଖରାଦିନରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ବୟସାଧିକ୍ୟ ଲୋକ ଓ ଶିଶୁମାନେ ଏଥିରେ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି। ତେଣୁ ଖରାଦିନରେ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା କ୍ଷେତ୍ରରେ କିଛି ସାବଧାନତା ଅବଲମ୍ବନ କରିବା ଉଚିତ।

ଏଲୋପାଥି
(ଡାକ୍ତର ସନ୍ଦୀପ୍‌ ଦାଶ)
ଖରାଦିନରେ ଶିଶୁମାନଙ୍କୁ ପତଳା ଝାଡ଼ା ଓ ବାନ୍ତି ହେବାର ଆଶଙ୍କା ଅଧିକ ଥାଏ। ତେଣୁ ଔଷଧ ଉପରେ ଅଧିକ ନିର୍ଭର ନ କରି ଅଧିକ ପାଣି ପିଇବା ଉଚିତ। ଓଆର୍‌ଏସ୍‌ ପିଉଥିଲେ ମଧ୍ୟ ପାଣିର ମାତ୍ରା ଅଧିକ ରଖନ୍ତୁ। ଖରାଦିନରେ ପରିସ୍ରା ସଂକ୍ରମଣ ଦୂର କରିବା ପାଇଁ ଅଧିକ ପାଣି ପିଅନ୍ତୁ ଓ ଫଳ ଖାଆନ୍ତୁ। ପାଣି ପିଇବା ଦ୍ବାରା ଅଧିକ ପରିସ୍ରା ଲାଗିବ,ଏ ସମ୍ପର୍କିତ ମାନସିକତାରୁ ଦୂରେଇ ରହନ୍ତୁ। ପାଣି ପିଇବା ଦ୍ବାରା ପରିସ୍ରା ମାଧ୍ୟମରେ ଶରୀରରେ ଥିବା ବିଷାକ୍ତ ତତ୍ତ୍ବ ବାହାରିଯାଏ। ଯାହା ଫଳରେ ପରିସ୍ରା ସଂକ୍ରମଣ ହୁଏ ନାହିଁ। ଯେଉଁମାନେ ଖରାରେ କାମ କରୁଛନ୍ତି, ସେମାନଙ୍କ ଦେହରୁ ବାହାରୁଥିବା ଝାଳରେ ଶରୀରର ଜଳୀୟ ଅଂଶ କମିଯାଏ। ତେଣୁ ସେମାନେ ଲୁଣ ମିଶ୍ରିତ ଲେମ୍ବୁ ପାଣି, ଓଆର୍‌ଏସ୍‌ କିମ୍ବା ଫ୍ରୁଟ୍‌ଜୁସ୍‌ ପିଇବା ଉଚିତ। ଖରାଦିନରେ ପାଣିକୁ ଭଲଭାବେ ଫୁଟାଇ ପିଅନ୍ତୁ ଏବଂ ହାତକୁ ପରିଷ୍କାର କରି ରଖନ୍ତୁ। ନଚେତ୍‌ ତ୍ବଚା ସଂକ୍ରମଣ ହେବାର ଭୟ ଥାଏ।

ଅଧିକ ପଢନ୍ତୁ

ହୋମିଓପାଥି
(ଡାକ୍ତର ସାରଦା ପ୍ରସନ୍ନ ପରିଡ଼ା)
ଋତୁଭିତ୍ତିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବା ଏକ ସାଧାରଣ କଥା। କିନ୍ତୁ ସବୁ ଋତୁ ଅପେକ୍ଷା ଖରାଦିନରେ ନିଜର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। ତେଣୁ ଖାଦ୍ୟପେୟରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାକୁ ହୁଏ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ ଏବଂ ଅଧିକ ପାଣି ପିଅନ୍ତୁ। ଡାକ୍ତରଙ୍କ ପରାମର୍ଶ ପରେ ଘରୁ ବାହାରିବା ସମୟରେ ଗ୍ଲୋନାଇନ୍‌ ୩୦ରୁ ୨-୩ ବୁନ୍ଦା ଲେଖା ପ୍ରତି ୪ ଘଣ୍ଟାରେ ଥରେ ସେବନ କରନ୍ତୁ, ଯାହା ଅଂଶୁଘାତ ଦୂର କରିବ। ବାହାରକୁ ଯାଉଥିଲେ କିମ୍ବା ଘରେ ଥିଲେ ମଧ୍ୟ ଅଧିକ ପାଣି ପିଇବା ସହ ସୂତା କପଡ଼ାରେ ତିଆରି ପୋଷାକ ପିନ୍ଧନ୍ତୁ। ବାହାରକୁ ଯିବା ସମୟରେ ଛତା ବ୍ୟବହାର କରନ୍ତୁ। ବୟସ୍କ ବ୍ୟକ୍ତି, ଛୋଟପିଲା ଓ ଗର୍ଭବତୀଙ୍କୁ ଟାଣଖରାରେ ବାହାରକୁ ଛାଡ଼ନ୍ତୁ ନାହିଁ।

ଆୟୁର୍ବେଦ

ଏଥିସହିତ ପଢ଼ନ୍ତୁ

ଆୟୁର୍ବେଦ ଚିକିତ୍ସାରେ ବାତ, ପିତ୍ତ ଓ କଫରେ ଅସମାନତା ହେଲେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇଥାଏ। ଗରମ ଦିନରେ ପିତ୍ତ ଅଧିକ ହେବା କାରଣରୁ ମୁଣ୍ଡବିନ୍ଧା, ଅଂଶୁଘାତ, ବାନ୍ତି, ତ୍ବଚା ସଂକ୍ରମଣ ଏବଂ ବାତ ଯୋଗୁଁ ଗଣ୍ଠି ସମସ୍ୟା, ଦୁର୍ବଳତା, ଖାଦ୍ୟରେ ଅରୁଚି ହୁଏ। କଫ ଦୋଷ ପାଇଁ ଆଲର୍ଜି, ଥଣ୍ଡାକାଶ ଆଦି ରୋଗ ଦେଖାଯାଏ। ତେବେ ଖରାଦିନରେ ଏ ସବୁ ସମସ୍ୟା ପାଇଁ ଖାଦ୍ୟ, ପାନୀୟ ଓ ପୋଷାକ ଉପରେ ଅଧିକ ଗୁରୁତ୍ବ ଦେବା ଉଚିତ। ତେଣୁ ତୈଳାକ୍ତ, ମସଲାଯୁକ୍ତ ଖାଦ୍ୟ ଓ ଫାଷ୍ଟଫୁଡ୍‌ ବର୍ଜନ କରି ପୋଷକଯୁକ୍ତ ଖାଦ୍ୟ ଖାଆନ୍ତୁ। ଅଧିକ ଫଳ ଓ ବିଭିନ୍ନ ପ୍ରକାର ପ୍ରାକୃତିକ ଥଣ୍ଡା ପାନୀୟ ପିଅନ୍ତୁ। ପୁଦିନା ପାଣି ପିଇପାରିବେ। ଏହା ପିତ୍ତ ଦୋଷ ଦୂର କରେ। କଫ ଦୋଷ ଦୂର କରିବା ପାଇଁ ଖାଦ୍ୟରେ ଅଦା ସାମିଲ କରନ୍ତୁ। ହରିଡ଼ା ଚୂର୍ଣ୍ଣକୁ ମହୁ ସହିତ ସେବନ କରିପାରିବେ। ଶୁଣ୍ଠିକୁ ପାଣିରେ ଫୁଟାଇ ଥଣ୍ଡା କରି ସେହି ପାଣିକୁ ପିଅନ୍ତୁ। ବାହାରକୁ ଯିବା ସମୟରେ ସୁତା ପୋଷାକ ପିନ୍ଧନ୍ତୁ। ଛତା ବ୍ୟବହାର କରନ୍ତୁ। ଅଧିକ ପାଣି ପିଅନ୍ତୁ।

Leave A Reply

Your email address will not be published.