ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ରାଜର୍ଷି’ ନବୀନ @ ୭୭ : ଯାତ୍ରା ଅବିଶ୍ରାନ୍ତ, ଆହ୍ୱାନ ଅନେକ

ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜନନାୟକ ତଥା ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟର ସମ୍ରାଟ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ନବୀନ ୭୬ ବର୍ଷ ପୂରଣ କରି ୭୭ ବର୍ଷର ପାଦ ଦେଇଛନ୍ତି। ତେବେ ଏହି ୭୭ ବର୍ଷ ମଧ୍ୟରୁ ଓଡ଼ିଶାବାସୀଙ୍କ ସେବାରେ ୨୫ ବର୍ଷରୁ ଅଧିକ ସମୟ ଦେଇଛନ୍ତି ନବୀନ । ଲୋକମାନଙ୍କ ଭଲପାଇବା ଓ ଆର୍ଶୀବାଦ ରାଜ୍ୟବାସୀଙ୍କ ସେବା କରିବାକୁ ନବୀନଙ୍କୁ ଲଗାତାର ପ୍ରେରଣା ଯୋଗାଇ ଆସୁଛି । ଦୀର୍ଘ ୨୨ ବର୍ଷ ହେବ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି ଓଡ଼ିଶାବାସୀ । ଶାସନ କ୍ଷମତାରେ ଦୀର୍ଘ ୨୨ ବର୍ଷ ହେବ ରହି ଆସୁଥିଲେ ମଧ୍ୟ ନବୀନ ଏବେ ବି ର୍ନିବିବାଦୀୟ ଓ ନିଷ୍କଳଙ୍କ ନେତା ଭାବେ ପରିଚିତ । ରାଜନୀତିରେ ନବୀନଙ୍କ ସଫେଦ କୁର୍ତ୍ତାରେ ଏଯାଏଁ ଲାଗିନି ଦୁର୍ନୀତିର ଦାଗ । ଯାହା ତାଙ୍କୁ ଅପରିଚିତରୁ ଅପ୍ରତିଦ୍ୱନ୍ଦ୍ୱୀ, ଅପରାଜେୟ ଓ ଅଦ୍ୱିତୀୟ ନେତା ଭାବେ ଗଢି ତୋଳିଛି ।

ଗତ ୨୨ ବର୍ଷ ହେବ ଓଡ଼ିଶା ରାଜନୀତିରେ ଲମ୍ବା ରେସର ଘୋଡା ଭାବେ ଉଭା ହୋଇଛନ୍ତି ନବୀନ। ୨୨ ବର୍ଷ ହେବ ନବୀନ ଲଗାତାର ମୁଖ୍ୟମନ୍ତ୍ରୀ ରହିଥିଲେ ମଧ୍ୟ ଏଯାଏଁ ତାଙ୍କର କ୍ରେଜ କମିନାହିଁ । ଭୋଟରଙ୍କ ଭରସାର ଅନ୍ୟ ନାଁ ପାଲଟି ସାରିଛନ୍ତି ନବୀନ । ବିରୋଧୀଙ୍କୁ ମାତ୍ ଦେଇ ନିର୍ବାଚନ ଜିତିବାର ଫର୍ମୁଲା ନବୀନଙ୍କୁ ବେଶ ଭଲ ଭାବେ ଜଣା । ଆଞ୍ଚଳିକ ଦଳର ନେତା ହୋଇଥିଲେ ମଧ୍ୟ ନବୀନଙ୍କ ଆକାଶଛୁଆଁ ଲୋକପ୍ରିୟତା ଆଗରେ ଜାତୀୟ ଦଳର ନେତା ମଧ୍ୟ ହାର୍ ମାନିଥାନ୍ତି । ୨୦୧୪ ଓ ୨୦୧୯ ନିର୍ବାଚନ ଏହାର ସବୁଠୁ ବଡ ଉଦାହରଣ।

ଓଡ଼ିଶା ରାଜନୀତିର ଜଣେ ଅପରିଚିତ ଚେହେରା ଥିବା ନବୀନ ଏହି ୨୨ ବର୍ଷ ଭିତରେ ରାଜ୍ୟର ପ୍ରତିଟି ଘରେ ଜଣେ ପରିଚିତ ନାଁ ପାଲଟି ସାରିଛନ୍ତି ।ଗତ ୨୨ ବର୍ଷ ହେବ ନବୀନ ଲଗାତାର ମୁଖ୍ୟମନ୍ତ୍ରୀ ରହିଥିଲେ ମଧ୍ୟ ଏଯାଏଁ ତାଙ୍କର କ୍ରେଜ କମିନାହିଁ। ଏଯାଏଁ ତାଙ୍କର ଲୋକପ୍ରିୟତା କମିଛି ନା ପରାଜୟ ଛୁଇଁଛି। ତେବେ ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କର କାହିଁକି ଏତେ ବିଶ୍ୱାସ? କାହିଁକି ବାରମ୍ବାର ନବୀନଙ୍କୁ ବିଜୟ ଭେଟି ଦେଉଛନ୍ତି ଓଡ଼ିଶାବାସୀ? ଆଉ ଏଭଳି ପ୍ରଶ୍ନର ଉତ୍ତର ନବୀନଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଓ ଜନକଲ୍ୟାଣକାରୀ ଯୋଜନା ଭିତରେ ଲୁଚି ରହିଛି । ଦୁର୍ନୀତିମୁକ୍ତ ସରକାର, ଜନକଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା, ମହିଳାଙ୍କୁ ଗୁରୁତ୍ୱ, କ୍ରିୟାଶୀଳ ପ୍ରଶାସନ, ସ୍ୱଚ୍ଛ ଶାସନ । ନବୀନଙ୍କ ଲଗାତାର ବିଜୟ ପଛର ସବୁଠୁ ବଡ ପୁଞ୍ଜି । ଦୀର୍ଘ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ନିଜ ପଲିଟିକାଲ କ୍ୟାରିୟର ଆରମ୍ଭରୁ ଏଯାଏଁ ପରାଜୟ କଣ ଜାଣିନାହାନ୍ତି । ଯେଉଁଥିପାଇଁ ସେ ଅପରାଜୟ ଓ ଅପ୍ରତିଦ୍ୱନ୍ଦୀ ନେତାର ଟ୍ୟାଗ୍ ପାଇଛନ୍ତି ।

ରାଜନୀତିରେ କେମିତି ପ୍ରବେଶ କଲେ ନବୀନ?

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ରାଜନୈତିକ ଯାତ୍ରାରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତି କେବେ ଲକ୍ଷ୍ୟ କରାଯାଇନାହିଁ। ମାତ୍ର ବିଜୁ ବାବୁଙ୍କ ତିରୋଧାନ ପରେ ଓଡ଼ିଶା ରାଜନୈତିକ ଆକାଶର ସୂର୍ଯ୍ୟ ଭାବେ ନବୀନଙ୍କ ଆବିର୍ଭାବ ସୃଷ୍ଟି କରିଛି ଏକ ନୂଆ ଯୁଗ। ରାଜନୀତିର କୌଣସି ପୂର୍ବ ଅଭିଜ୍ଞତା ବିନା ନବୀନ ଗତ ଅଢ଼େଇ ଦଶନ୍ଧି ଧରି ଓଡ଼ିଶାର ସବୁ ବର୍ଗର ରାଜନେତାଙ୍କ ଠାରୁ ଢ଼େର ଆଗରେ। ବିଧାନସଭା ହେଉ କି ଲୋକସଭା ନିର୍ବାଚନ, ନିଜେ ବିଜୟୀ ହେବା ସହ ଦଳ ବିଜୟଧାରାରେ ଅବ୍ୟାହତ ସହ ଅପରାଜେୟ ସାବ୍ୟସ୍ତ ହୋଇଛନ୍ତି ନବୀନ ପଟ୍ଟନାୟକ । କ୍ରମାଗତ ୫ଥର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି ।

୧୯୯୭ ଏପ୍ରିଲ ୧୭ ତାରିଖରେ ପରପାରିକୁ ଚାଲିଗଲେ ଆଧୁନିକ ଓଡ଼ିଶାର ନିର୍ମାତା ବିଜୁ ପଟ୍ଟନାୟକ । ସାରା ଓଡ଼ିଶା ହୋଇଯାଇଥିଲା ସ୍ତବ୍ଧ । ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା ଏକ ଅପୂରଣୀୟ ଶୂନ୍ୟସ୍ଥାନ । ହୁଏତ ସେଦିନ କାହାକୁ ଜଣାନଥିଲା, ବିଜୁବାବୁଙ୍କ ମରଶରୀରକୁ କାନ୍ଧ ଦେଉଥିବା ନବୀନ, ଦିନେ ନିଜ କାନ୍ଧରେ ବୋହି ନେବେ ସାରା ଓଡ଼ିଶାର ଭାର । ସ୍ୱାଧୀନତା ପରେ ରାଜ୍ୟ ରାଜନୀତିରେ ସେ ହେଉଛନ୍ତି ଏପରି ଏକ ବ୍ୟକ୍ତିତ୍ୱ, ଯାହାଙ୍କୁ ଏପର୍ଯ୍ୟନ୍ତ କେହି ଚ୍ୟାଲେଞ୍ଜ ଦେଇପାରିନାହାନ୍ତି। ୧୯୯୭ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନାଁ ଶୁଣିଥିଲେ ଓଡ଼ିଶାର ହାତ ଗଣତି ଲୋକ । ସବୁଠୁ ଲୋକପ୍ରିୟ ନେତା ବିଜୁ ପଟ୍ଟନାୟକଙ୍କ ପୁଅ ହୋଇଥିଲେ ବି ରାଜନୀତିଠାରୁ ବେଶ ଦୂରରେ ଥିଲେ ନବୀନ । ତେବେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ପୂରା ବଦଳି ଯାଇଥିଲା ନବୀନଙ୍କ ଜୀବନ।

ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ନବୀନ ୧୯୯୭ ମସିହାରେ ଆସ୍କା ଲୋକସଭାରୁ ଜନତା ଦଳ ପ୍ରାର୍ଥୀ ଭାବେ ଲଢି ବିଜୟୀ ହୋଇଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଯାତ୍ରା। ଏହାର କିଛି ମାସ ପରେ ଜନତା ଦଳ ନେତୃତ୍ୱାଧିନ ସରକାର ଭାଙ୍ଗି ଯାଇଥିଲା। ଜନତା ଦଳରୁ ଅଲଗା ହୋଇ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ଗଢିଥିଲେ। ୧୯୯୮ରେ ବିଜେଡି ପ୍ରଥମଥର ପାଇଁ ନିଜସ୍ୱ ଶଙ୍ଖ ଚିହ୍ନରେ ନିର୍ବାଚନ ଲଢିଥିଲା। ବିଜେପି ସହ ମେଣ୍ଟ କରି ୯ଟି ଆସନରେ ବିଜୟୀ ହୋଇଥିଲା। ଏହାର ପରବର୍ଷ ପୁନର୍ବାର ଲୋକସଭା ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ବିଜେଡି ୧୦ ଲୋକସଭା ଆସନ ଜିତିଥିଲା। ସେହିପରି ଦଳର ଭୋଟ ପ୍ରତିଶତ ମଧ୍ୟ ବେଶ୍ ବୃଦ୍ଧି ପାଇଥିଲା। ଏହାର କିଛି ଦିନ ପରେ ଆସିଥିଲା ବହୁ ପ୍ରତୀକ୍ଷିତ ୨୦୦୦ ମସିହା ବିଧାନସଭା ନିର୍ବାଚନ। ଯାହା ନବୀନଙ୍କ ରାଜନୈତିକ ଜୀବନରେ ଆଣିଥିଲା ନୂଆ ମୋଡ଼ । ସେ ଦିନରୁ ଆରମ୍ଭ ହୋଇଥିବା ସଫଳତାର କ୍ଷୁଦ୍ର ସ୍ରୋତଟି ଏବେ ବିଶାଳ ସ୍ରୋତସ୍ୱିନୀରେ ପରିଣତ ହୋଇଛି ।

ଇତି ମଧ୍ୟରେ ମହାନଦୀରେ ବହିଛି ବହୁତ ପାଣି, ଶେଷ ହୋଇ ଯାଇଛି ଦେଶର ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଜୀବନ । ବଦଳିଛନ୍ତି ଦେଶର ଅନେକ ରାଷ୍ଟ୍ରପତି । ଚାରିଜଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ହେଲେ ନବୀନଙ୍କୁ ପଥଚ୍ୟୁତ ଓ ପଦଚ୍ୟୁତ କରିବାକୁ ବିରୋଧୀଙ୍କ ଉଦ୍ୟମ ସଫଳ ହୋଇନାହିଁ। ୨୦୦୦ ମସିହା ବିଧାନସଭା ନିର୍ବାଚନରେ ବିଜେଡ଼ି ୬୮ଟି ଆସନ ଓ ସହଯୋଗୀ ବିଜେପି ୩୮ଟି ବିଧାନସଭା ଆସନ ଜିତିଥିଲା। ସେହି ବର୍ଷ ମାର୍ଚ୍ଚ ୫ ତାରିଖରେ ନବୀନ ପଟ୍ଟନାୟକ ଓଡ଼ିଶାର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ଇତି ମଧ୍ୟରେ ତାଙ୍କ ଶାସନ କାଳକୁ ୨୨ ବର୍ଷ ଚାଲିଲାଣି। ତାଙ୍କ ଲୋକପ୍ରିୟତାକୁ ଟିକିଏ ବି ଆଞ୍ଚ ଆସିନାହିଁ। ତାଙ୍କ ବିକଳ୍ପ ହେବା ଦୂରର କଥା, କେହି ତାଙ୍କର ସମକକ୍ଷ ହୋଇପାରି ନାହାନ୍ତି ।

ଦୀର୍ଘ ୨୨ ବର୍ଷର ଶାସନ ସତ୍ତେ୍ୱ ସରକାରୀ ବିରୋଧୀ ହାୱା ସୃଷ୍ଟି କରି ସଫଳତା ହାସଲ ପାଇଁ ପ୍ରତିପକ୍ଷ ରାଜନୈତିକ ଦଳ ସଫଳ ହୋଇ ପାରିନାହାନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ନବୀନଙ୍କ ଦଳ ଆଶାତୀତ ସଫଳତା ପାଇଛି। ରାଜ୍ୟର ୩୦ଟି ଜିଲ୍ଲା ପରିଷଦରେ ବିଜେଡି ଏକାକୀ ସଂଖ୍ୟାଗରିଷ୍ଠତା ସହ ପରିଷଦ ଗଠନ କରିଛି। ୯୦ ପ୍ରତିଶତରୁ ଉଦ୍ଧ୍ୱର୍ ପୌରସଂସ୍ଥାରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି। ୨୦୦୯ ପରଠାରୁ ହୋଇଥିବା ସମସ୍ତ ଉପନିର୍ବାଚନରେ ବିଜେଡି ଏକତରଫା ବିଜୟୀ ହୋଇଛି। ୨୦୧୨ର ଆଠଗଡ଼ ନିର୍ବାଚନ, ୨୦୧୪ର କନ୍ଧମାଳ ଲୋକସଭା ନିର୍ବାଚନ, ୨୦୧୮ ଏବଂ ୨୦୧୯ର ବିଜେପୁର ଉପନିର୍ବାଚନ, ୨୦୨୦ରେ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ, ୨୦୨୧ରେ ହୋଇଥିବା ପିପିଲି ଉପନିର୍ବାଚନରେ ବିଜେଡି ବହୁ ଭୋଟରେ ବିଜୟୀ ହୋଇଛି। ସେହିଭଳି ୨୦୨୨ରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନରେ ମଧ୍ୟ ବିଜେଡି ପୂର୍ବାପେକ୍ଷା ଅଧିକ ବ୍ୟବଧାନରେ ବିଜୟୀ ହେବାକୁ ସକ୍ଷମ ହୋଇଛି ।

ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ରାଜ୍ୟରେ ଜନତା ଦଳର ବିଭାଜନ ଘଟିଥିଲା। ଏହା ପରେ ବିଜେଡି ଗଠନ ହୋଇଥିଲା। ନବୀନ ପଟ୍ଟନାୟକ ଏହାର ସଭାପତି ଭାବେ ନିଯୁକ୍ତ ହୋଇଥିଲେ। ମାତ୍ର ସେ ସମୟର ଜନତା ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁୁ ରାଜନୈତିକ ବ୍ୟାପାର କମିଟିର ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଥିଲା। ହେଲେ ଏକ ରାଜ୍ୟସଭା ନିର୍ବାଚନରେ ଶ୍ରୀ ମହାପାତ୍ରଙ୍କ ଭୂମିକା ନବୀନଙ୍କୁ ସତର୍କ କରି ଦେଇଥିଲା। ଏହାକୁ ଅତି ନିରବରେ ସେ ଅନୁଧ୍ୟାନ କରିଥିଲେ। ଚତୁରତାର ସହ କୌଣସି ସୂଚନା ନ ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଆସନରୁ ବିଜୟଙ୍କୁ ବଞ୍ଚିତ କରି ନବାଗତ ଅତନୁ ସବ୍ୟସାଚୀଙ୍କୁ ବିଜେଡି ଟିକେଟ୍ ଦେଇ ସମସ୍ତଙ୍କୁ ଚକିତ୍ କରିଦେଇଥିଲେ। ତାଙ୍କର ପରିପକ୍ୱ ରାଜନୈତିକ ରଣନୀତିକୁ ସେବେ ବୁଝି ପାରି ନ ଥିବା ଅନେକ ରାଜନେତା ଏବେ ବି ପଶ୍ଚାତାପ କରୁଛନ୍ତି । ନବୀନଙ୍କ ଦ୍ୱାରା ପରିତ୍ୟାଗ ହୋଇଥିବା କୌଣସି ରାଜନେତା ଲମ୍ବା ଇନିଂସ ଖେଳି ପାରି ନାହାନ୍ତି । ଏପରିକି ଅନେକ ଆଉ ପରବର୍ତ୍ତୀ ବିଧାନସଭା ମାଡ଼ିବାକୁ ସକ୍ଷମ ହୋଇ ନାହାନ୍ତି ।

୨୦୦୪ରେ ଲୋକସଭା ସହ ସମାନ୍ତରାଳ ଭାବେ ବିଧାନସଭା ନିର୍ବାଚନ ତାଙ୍କ ରାଜନୈତିକ ରଣନୀତିର ଅନ୍ୟତମ ଉଦାହରଣ। ଅବିଭକ୍ତ ଆନ୍ଧ୍ରରେ କଂଗ୍ରେସର ଅଭ୍ୟୁଦୟ, ଉତ୍ତର ଭାରତରେ ଗୁଜରାଟ ଦଙ୍ଗା କାରଣରୁ ବିଜେପିର ଲୋକପ୍ରିୟତା ହ୍ରାସ ସମୟରେ ବିଜେପି ନେତୃତ୍ୱାଧିନ ଏନଡିଏ ବର୍ଷକ ପୂର୍ବରୁ ଆଗୁଆ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲା। ଦେଶ ତଥା ରାଜନୈତିକ ପାଣିପାଗକୁ ବୁଝି ପାରି ନବୀନ ବର୍ଷକ ପୂର୍ବରୁ ସରକାର ଭାଙ୍ଗି ଦେଇଥିଲେ। ସେ ସମୟରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପ୍ରତି ଏହା ଥିଲା ଏକ ବଡ଼ ଝଟକା। ଦୁର୍ନୀତି ବିରୋଧୀ ଆଭିମୁଖ୍ୟ, ନୂଆ ନୂଆ ଯୋଜନା ସହ ରାଜନୀତିର ସେ ସମୟର ଗ୍ରୀନ୍ ହର୍ଣ୍ଣ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଥିଲା। ୨୦୦୪ରେ କେନ୍ଦ୍ରରେ ଏନଡିଏ ସରକାର କ୍ଷମତା ହରାଉଥିବା ବେଳେ ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା ଓ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ତାଙ୍କୁ ପୁନର୍ବାର ବିଜୟୀ କରିଥିଲା। ଯଦି ୨୦୦୪ରେ କେନ୍ଦ୍ରରେ ୟୁପିଏ ସରକାର ଆସିଥାନ୍ତା, ତେବେ ରାଜ୍ୟ କଂଗ୍ରେସ ଆହୁରି ସୁଦୃଢ ହୋଇ ଥାଆନ୍ତା। ବିଜେପିର ଜାତୀୟସ୍ତର ଲୋକପ୍ରିୟତା ହ୍ରାସ ପାଇଥିବାରୁ ଅଧିକ ଆସନ ଜିତିବା ସମ୍ଭାବନା କମି ଥାଆନ୍ତା। ତେଣୁ ନବୀନଙ୍କ ଆଗୁଆ ନିଷ୍ପତ୍ତି ସବୁ ଦିଗରୁ ଦଳକୁ ଫାଇଦା ଦେଇଥିଲା।

୨୦୦୮ରେ ଭୁବନେଶ୍ୱର ମହାନଗର ନିଗମ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ମେଣ୍ଟ ସରକାର ଚାଲୁଥିଲେ ମଧ୍ୟ ଏହି ନିର୍ବାଚନରେ ବିଜେଡି ଏକାକୀ ଲଢ଼ିବ ବୋଲି ନବୀନ ନିଷ୍ପତ୍ତି ନେଇଥିଲେ ଓ ଦଳ ବିପୁଳ ଆସନରେ ବିଜୟୀ ହୋଇଥିଲା। ସେ ସମୟରେ ନବୀନ ପଟ୍ଟନାୟକ ରାଜ୍ୟର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ୨ ଟଙ୍କିଆ ଚାଉଳ ବ୍ୟବସ୍ଥା କରିଥିଲେ। ଏହା ବର୍ତ୍ତମାନ କିଲୋ ପିଛା ଏକ ଟଙ୍କାରେ ମିଳୁଛି। ଏହା ସମୟରେ ଏକ ଗେମ୍ ଚେଞ୍ଜର ହୋଇଥିଲା। କନ୍ଧମାଳ ଦଙ୍ଗା ପାଇଁ ବଦନାମ ହୋଇଥିବା ଭାଜପା ଠାରୁ ନବୀନ ଦୂରତା ରକ୍ଷା କରିଥିଲେ। ସେ କଂଗ୍ରେସ ନେତୃତ୍ୱାଧିନ ୟୁପିଏର ମଧ୍ୟ ହାତ ଧରି ନ ଥିଲେ। ବିଜେପି ଠାରୁ ଅଲଗା ହୋଇ ୨୦୦୯ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଅଭୂତପୂର୍ବ ସଫଳତା ହାସଲ କରିଥିଲା। ବିଜେଡି ଛୋଟ ଦଳ ଏନସିପି, ବାମଦଳଗୁଡିକ ସହ ମେଣ୍ଟ କରି ନିଜସ୍ୱ ୧୦୩ ସିଟ୍ ସହ ୧୦୮ ସିଟ୍ ପାଇବାରେ ସକ୍ଷମ ହୋଇଥିଲା। ଏହା ପର ଅର୍ଥାତ ୨୦୧୪ ଏବଂ ୨୦୧୯ରେ କୌଣସି ଦଳ ସହ ମେଣ୍ଟ ନ କରି ବିଜେଡି ଶତାଧିକ ଆସନ ବଜାୟ ରଖିପାରିଥିଲା।

Leave A Reply

Your email address will not be published.