ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ବକପ୍‌ କ୍ରସ୍‌ଓଭର : କଳିଙ୍ଗରେ ଆଜି ଦୁଇଟି ହାଇପ୍ରୋଫାଇଲ ମୁକାବିଲା

ଭୁବନେଶ୍ୱର : ଚଳିତ ହକି ବିଶ୍ୱକପ୍‌‌ର ୧୫ତମ ସଂସ୍କରଣରେ ସୋମବାର ତୃତୀୟ ଓ ଚତୁର୍ଥ କ୍ରସ୍‌‌ଓଭର ମ୍ୟାଚ୍‌‌ ଖେଳାଯିବ। ସ୍ଥାନୀୟ ଆଇକନିକ କଳିଙ୍ଗ ଷ୍ଟାଡିୟମରେ ଏହି ଦୁଇଟି ମ୍ୟାଚ୍‌‌ ଖେଳାଯିବା ପରେ ବିଶ୍ୱକପ୍‌‌ର କ୍ୱାର୍ଟର ଫାଇନାଲ ଲାଇନ୍‌‌ଅପ୍‌‌ ସ୍ପଷ୍ଟ ହେବ।

ତୃତୀୟ କ୍ରସ୍‌‌ଓଭର ମ୍ୟାଚ୍‌‌ରେ ଅପରାହ୍ନ ୪.୩୦ରେ ଲାଟିନ ଆମେରିକା ହକି ପାୱାର ହାଉସ୍‌‌ ଆର୍ଜେଣ୍ଟିନା ଓ ଦକ୍ଷିଣ କୋରିଆ ପରସ୍ପରକୁ ଭେଟିବେ। ଏଫ୍‌‌ଆଇଏଚ୍‌‌ ର‍୍ୟାଙ୍କିଙ୍ଗରେ ଆର୍ଜେଣ୍ଟିନା ସପ୍ତମ ସ୍ଥାନରେ ରହିଥିବା ବେଳେ କୋରିଆ ୩ଟି ସ୍ଥାନ ତଳେ ରହି ୧୦ମ ସ୍ଥାନରେ ରହିଛି। ଚଳିତ ବିଶ୍ୱକପ୍‌‌ରେ ଦକ୍ଷିଣ କୋରିଆ ପୁଲ ବି’ରେ ବେଲଜିୟମ, ଜର୍ମାନୀ ଓ ଜାପାନ ସହିତ ସାମିଲ ରହିଥିଲା। ଦକ୍ଷିଣ କୋରିଆ ଏହି ପୁଲ୍‌‌ରେ ୩ଟି ମ୍ୟାଚ୍‌‌ ଖେଳି ଗୋଟିଏ ବିଜୟ, ଦୁଇଟି ପରାଜୟ ସହ ୩ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲା।

ଅନ୍ୟପଟେ ଆର୍ଜେଣ୍ଟିନା ପୁଲ୍‌‌ ଏ’ରେ ଅଷ୍ଟ୍ରେଲିଆ, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ସହ ସ୍ଥାନିତ ହୋଇଥିଲା। ଆର୍ଜେଣ୍ଟିନା ୩ଟି ମ୍ୟାଚ୍‌‌ ଖେଳି ଗୋଟିଏ ବିଜୟ ୨ଟି ଡ୍ର ସହ ୫ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ଆର୍ଜେଣ୍ଟିନା ଦକ୍ଷିଣ କୋରିଆକୁ ୧-୦ ଗୋଲରେ ପରାସ୍ତ କରିଥିଲା। ଏହାପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌‌କୁ ୩-୩ ଓ ଫ୍ରାନ୍ସ ବିପକ୍ଷ ମ୍ୟାଚ୍‌‌କୁ ୫-୫ ଗୋଲରେ ଡ୍ର ରଖିଥିଲା। ଅନ୍ୟପଟେ କୋରିଆ ୦-୫ ଗୋଲରେ ବେଲଜିୟମ, ୨-୭ ଗୋଲରେ ଜର୍ମାନୀଠାରୁ ପରାସ୍ତ ହୋଇଥିବା ବେଳେ ଜାପାନକୁ ୨-୧ ଗୋଲରେ ପରାସ୍ତ କରିଥିଲା। ତେଣୁ ର‍୍ୟାଙ୍କିଙ୍ଗ, ଫର୍ମ, ଦକ୍ଷତା ଓ ପ୍ରତିଭାକୁ ଦୃଷ୍ଟିରେ ରଖିଲେ ଆର୍ଜେଣ୍ଟିନା ଏହି ମ୍ୟାଚ୍‌‌ରେ ଭେବରିଟ୍‌‌ ବିବେଚିତ ହେଉଛି।

ଜର୍ମାନୀ- ଫ୍ରାନ୍ସ ହାଇପ୍ରୋଫାଇଲ ମୁକାବିଲା ଆଜି

ଚତୁର୍ଥ ତଥା ଅନ୍ତିମ କ୍ରସ୍‌‌ଓଭର ମ୍ୟାଚ୍‌‌ରେ ୟୁରୋପର ଦୁଇ ହାଇପ୍ରୋଫାଇଲ ଦଳ ଜର୍ମାନୀ ଓ ଫ୍ରାନ୍ସ ପରସ୍ପରକୁ ଭେଟିବେ। ଜର୍ମାନୀ ଏଫ୍‌‌ଆଇଏଚ୍‌‌ ର‍୍ୟାଙ୍କିଙ୍ଗ୍‌‌ର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଫ୍ରାନ୍ସ ଏକାଦଶ ସ୍ଥାନରେ ରହିଛି। ବେଲଜିୟମ, ଦକ୍ଷିଣ କୋରିଆ, ଜାପାନ ସମେତ ପୁଲ ବି’ରେ ଜର୍ମାନୀ ସ୍ଥାନିତ ହୋଇଥିଲା। ୩ଟି ମ୍ୟାଚ୍‌‌ ଖେଳି ଜର୍ମାନୀ ୨ଟି ବିଜୟ ଓ ଗୋଟିଏ ଡ୍ର ସହ ୭ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଥିଲା। ଜର୍ମାନୀ ୩-୦ରେ ଜାପାନକୁ, ୭-୨ ଗୋଲରେ କୋରିଆକୁ ପରାସ୍ତ କରିଥିବା ବେଳେ ଶକ୍ତିଶାଳୀ ବେଲଜିୟମ ବିପକ୍ଷ ମ୍ୟାଚ୍‌‌କୁ ୨-୨ ଗୋଲରେ ଅମୀମାଂସିତ ରଖିଥିଲା।

ଅନ୍ୟପଟେ ଫ୍ରାନ୍ସ ପୁଲ ଏ’ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ସହ ସ୍ଥାନିତ ହୋଇଥିଲା। ଆଶାନୁରୂପ ପ୍ରଦର୍ଶନ କରି ନପାରି ଫ୍ରାନ୍ସ ୩ଟି ମ୍ୟାଚ୍‌‌ ଖେଳି ଗୋଟିଏ ଲେଖାଏ ବିଜୟ, ଡ୍ର ଓ ପରାଜୟ ସହ ୪ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲା। ଫ୍ରାନ୍ସ ୦-୮ ଗୋଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ସେହିପରି ଫ୍ରାନ୍ସ ୨-୧ ଗୋଲରେ ଦିକ୍ଷିଣ ଆଫ୍ରିକାକୁ ହରାଇଥିଲା। ସେହିପରି ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍‌‌କୁ ଫ୍ରାନ୍ସ ୫-୫ ଗୋଲରେ ଡ୍ର ରଖିଥିଲା। ତେଣୁ ପ୍ରଦର୍ଶନ ଓ ଦକ୍ଷତାକୁ ଦେଖିଲେ ଜର୍ମାନୀ ଫ୍ରାନ୍ସଠାରୁ ଦୁଇପାଦ ଆଗରେ ରହିଛି। କିନ୍ତୁ ଫ୍ରାନ୍ସ ସହଜରେ ବାଟ ଛାଡିବନି। ତେଣୁ ଏହି ମୁକାବିଲାରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.