ତ୍ରିରଙ୍ଗାର ଇତିହାସ: ‘ବନ୍ଦେ ମାତରମ’ରୁ ‘ଅଶୋକ ଚକ୍ର’ର ଯାତ୍ରା ସମ୍ପର୍କରେ ଜାଣନ୍ତୁ…

ଜାତୀୟ ପତାକା। ଗୋଟିଏ ଦେଶର, ଗୋଟିଏ ଜାତିର ଗର୍ବ ଓ ଗୌରବର ପ୍ରତୀକ। ତେଣୁ ଜାତୀୟ ପତାକାକୁ ସମସ୍ତେ ସମ୍ମାନ ପ୍ରଦର୍ଶନ କରିଥାନ୍ତି। ଭାରତର ଜାତୀୟ ପତାକା ହେଉଛି ତ୍ରିରଙ୍ଗା। ଏହା ହେଉଛି ଦେଶର ରାଷ୍ଟ୍ରୀୟ ଓ ଏକତାର ପ୍ରତୀକ। ବର୍ତ୍ତମାନର ଜାତୀୟ ପତାକା ଅନେକ ସୋପାନ ଦେଇ ତା’ର ରୂପରେଖ ବଦଳାଇଛି। ଜାତୀୟ ପତାକାର ରଙ୍ଗଠାରୁ ଆରମ୍ଭ କରି ଅଶୋକ ଚକ୍ର ପର୍ଯ୍ୟନ୍ତ ସବୁ କିଛିକୁ ବେଶ୍ ଗୁରୁତ୍ବର ସହ ନିଆଯାଇଛି।   ତ୍ରିରଙ୍ଗାର ବ୍ୟବହାରକୁ ନେଇ କିଛି ବିଶେଷ ଆଇନ ମଧ୍ୟ ରହିଛି। ଭାରତର ଗୌରବର ପ୍ରତୀକ ଜାତୀୟ ପତାକାର ରୂପରେଖକୁ ନେଇ ପ୍ରସ୍ତୁତ ଏହି ରିପୋର୍ଟ।

ପ୍ରଥମ ସଂସ୍କରଣ

୧୯୦୬ ମସିହାରେ ପ୍ରଥମ ଚିତ୍ରିତ ଭାରତର ଜାତୀୟ ପତାକା ସ୍ବାମୀ ବିବେକାନନ୍ଦଙ୍କ ଶିଷ୍ୟା ଭଗିନୀ ନିବେଦିତାଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିଲା।  ଏହା ଲାଲ୍‌, ସବୁଜ ଓ ହଳଦିଆ ରଙ୍ଗରେ ବିଭକ୍ତ ହୋଇଥିଲା। ଉପରେ ଥିବା ସବୁଜ ରଙ୍ଗ ଅଂଶରେ ୮ଟି ଧଳା ରଙ୍ଗର ପଦ୍ମଫୁଲ ଚିହ୍ନ ଅଙ୍କିତ ହୋଇଥିଲା। ମଧ୍ୟଭାଗରେ ଥିବା ହଳଦିଆ ଅଂଶରେ ନୀଳ ରଙ୍ଗରେ ‘ବନ୍ଦେ ମାତରମ୍’ ଲେଖା ରହିଥିଲା। ନିମ୍ନ ଭାଗରେ ଲାଲ୍‌ ଅଂଶର ଗୋଟିଏ ପଟେ ସୂର୍ଯ୍ୟ ଏବଂ ଅନ୍ୟ ପଟରେ ଅର୍ଦ୍ଧଚନ୍ଦ୍ର ଓ ସୂର୍ଯ୍ୟର ଚିତ୍ର ଅଙ୍କିତ ହୋଇଥିଲା। ଏହାକୁ ପ୍ରଥମେ ୧୯୦୬ ମସିହା ଅଗଷ୍ଟ ୭ ତାରିଖରେ କଲିକତାର ‘ପାର୍ସି ବାଗାନ୍‌ ଛକ’ରେ ଉତ୍ତୋଳନ କରାଯାଇଥିଲା।

ଦ୍ବିତୀୟ ସଂସ୍କରଣ

୧୯୦୭ ମସିହାରେ ଜାତୀୟ ପତାକାର ଦ୍ବିତୀୟ ସଂସ୍କରଣରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ଉପରେ ଥିବା ୮ଟି ପଦ୍ମଫୁଲ  ପରିବର୍ତ୍ତେ ୭ଟି ତାରା ରହିଥିଲା, ଯାହାକି ସପ୍ତଋଷିଙ୍କ ପ୍ରତୀକ ଥିଲା। ଜର୍ମାନସ୍ଥିତ ଷ୍ଟଟ୍‌ଗର୍ଟରେ ଅନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀରେ ମ୍ୟାଡମ୍‌ ଭିକାଜି କାମା ଏହାକୁ ଉତ୍ତୋଳନ କରିଥିଲେ। ସେ ହେଉଛନ୍ତି ପ୍ରଥମ ବିଦେଶୀ ମହିଳା, ଯିଏକି ବିଦେଶ ମାଟିରେ ଭାରତର ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ତୃତୀୟ ସଂସ୍କରଣ

୧୯୧୭ ମସିହାରେ ଜାତୀୟ ପତାକାର ତୃତୀୟ ସଂସ୍କରଣ ପ୍ରସ୍ତୁତ ହୋଇଥିଲା। ଡ. ଆନିବେସାନ୍ତ ଓ ବାଲ୍‌ ଗଙ୍ଗାଧର ତିଲକ ଏଥିରେ ଆଉ  କିଛି ପରିବର୍ତ୍ତନ ଆଣିଥିଲେ। । ଏଥିରେ ତିନୋଟି ରଙ୍ଗ ବଦଳରେ ଦୁଇଟି ରଙ୍ଗର ବ୍ୟବହାର କରାଯାଇଥିଲା। ସବୁଜ ଓ ଲାଲ୍‌ ରଙ୍ଗର ବଡ଼ ବଡ଼ ପଟି ସଦୃଶ ପତାକାର ଡିଜାଇନ୍‌ କରାଯାଇଥିଲା। ଏଥିରେ ୫ଟି ଲାଲ୍‌ ଓ ୪ଟି ସବୁଜ ରଙ୍ଗର ସମାନ୍ତରାଳ ପଟି ଥିଲା। ଏହି ପଟି ଉପରେ ସପ୍ତଋଷିଙ୍କ ପ୍ରତୀକ ୭ଟି ତାରା ଚିହ୍ନ ସହିତ  ପତାକାର ଉପର ବାମପଟ କୋଣରେ ୟୁନିୟନ୍‌ ଜାକ୍‌ର ଏକ ଛୋଟ ଛବି ଥିଲା ଏବଂ ଅନ୍ୟ ଏକ କୋଣରେ ଅର୍ଦ୍ଧଚନ୍ଦ୍ର ଓ ତାରାର ଚିତ୍ର ଦେଖିବାକୁ ମିଳିଥିଲା।

ଚତୁର୍ଥ ସଂସ୍କରଣ

୧୯୨୧ ମସିହାରେ ଜାତୀୟ ପତାକାର ଚତୁର୍ଥ ସଂସ୍କରଣ ପ୍ରସ୍ତୁତ ହେଲା। ଏଥିରେ ଦୁଇଟି ଧର୍ମୀୟ ଭାବନାର ପ୍ରତୀକ ଭାବେ ସବୁଜ ଓ ଲାଲ୍‌ ରଙ୍ଗକୁ ସାମିଲ୍‌ କରାଗଲା। ମୁସ୍‌ଲିମ୍‌ ଧର୍ମ ପାଇଁ ସବୁଜ ଏବଂ ହିନ୍ଦୁଙ୍କ ପାଇଁ ଲାଲ୍‌। ବୈଜ୍ ୱାଡ଼ା (ବର୍ତ୍ତମାନର ବିଜୟୱାଡ଼ା)ଠାରେ କଂଗ୍ରେସ୍‌ର ଏକ ସଭାରେ ଆନ୍ଧ୍ରପ୍ରଦେଶର ଜଣେ ଯୁବକ ପିଙ୍ଗଳି ଭେଙ୍କେୟା ପତାକାର ଏହି ଡିଜାଇନ୍‌ ପ୍ରସ୍ତୁତ କରି ଗାନ୍ଧିଜୀଙ୍କୁ ଦେଇଥିଲେ। ଏହାକୁ ଦେଖିବା ପରେ ଗାନ୍ଧିଜୀ ପ୍ରସ୍ତାବ ଦେଇଥିଲେ ଯେ, ହିନ୍ଦୁ ଓ ମୁସ୍‌ଲିମ୍‌ ପରେ ଅନ୍ୟସବୁ ଧର୍ମର ପ୍ରତୀକ ଭାବେ ଏହି ପତାକାରେ ଧଳା ରଙ୍ଗ ରହିବା ଉଚିତ ହେବ। ଏହା ସହିତ ଦେଶର ପ୍ରଗତିକୁ ତ୍ବରାନ୍ବିତ କରିବାର ପ୍ରତୀକ ଭାବେ, ଚାଲୁଥିବା ଏକ ଚରଖାର ଫଟୋ ମଧ୍ୟ ରଖାଗଲେ ଏହା ସମ୍ପୂର୍ଣ୍ଣ ଲାଗିବ। ତେଣୁ ଗାନ୍ଧିଜୀଙ୍କ ପ୍ରସ୍ତାବ ଅନୁଯାୟୀ ପତାକାର ଉପର ଭାଗରେ ଧଳା ଅଂଶ, ମଧ୍ୟ ଭାଗରେ ସବୁଜ ଓ ଶେଷ ଭାଗରେ ଲାଲ୍‌ ରଙ୍ଗ ସହିତ ପତାକାର ମଝିରେ ଏକ ଚଳନ୍ତା ଚରଖାର ଚିତ୍ର ରଖାଗଲା।

ପଞ୍ଚମ ସଂସ୍କରଣ:  ୧୯୩୧ ମସିହାରେ ଭାରତର ତ୍ରିରଙ୍ଗା ପତାକାର ପଞ୍ଚମ ସଂସ୍କରଣ ପ୍ରସ୍ତୁତ କରାଯାଇଥିଲା। ଏଥିରେ ପୂର୍ବ ତ୍ରିରଙ୍ଗାରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ପରାମର୍ଶକ୍ରମେ ଭାରତର ତ୍ରିରଙ୍ଗା ପତାକାକୁ ଅଙ୍ଗୀକାର କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିରେ ପତାକାର ଉପରେ ନାରଙ୍ଗୀ, ମଝିରେ ଧଳା ଓ ତଳକୁ ସବୁଜ ରଙ୍ଗ ରଖାଗଲା।  ଧଳା ରଙ୍ଗର ପଟିର ମଧ୍ୟ ଭାଗରେ ଏକ ଘୂରୁଥିବା ଚରଖା ଚିତ୍ର ରଖାଗଲା।

ଶେଷ ସଂସ୍କରଣ:

୧୯୪୭ ମସିହା ଜୁଲାଇ ୨୨ ତାରିଖରେ ତ୍ରିରଙ୍ଗାକୁ ନୂତନ ତଥା ପୂର୍ଣ୍ଣ ରୂପ ମିଳିଥିଲା। ଚରଖା ପରିବର୍ତ୍ତେ ଅଶୋକ ଚକ୍ରକୁ ସ୍ଥାନିତ କରିବା ପାଇଁ ସାମ୍ବିଧାନିକ ସଭାରେ ସର୍ବସମ୍ମତ ଭାବେ ସ୍ବୀକୃତି ମିଳିଥିଲା। ଏହା ସହିତ ରାଷ୍ଟ୍ରୀୟ ଧ୍ବଜାକୁ ବା ତ୍ରିରଙ୍ଗାକୁ ଭାରତର ଜାତୀୟ ପତାକା ଭାବେ ଗ୍ରହଣ କରିବା ପାଇଁ ‘ଏମ୍ବଲମ୍‌ ଆଣ୍ଡ୍‌ ନେମ୍‌ ପ୍ରିଭେନ୍‌ସନ୍‌ ଆକ୍ଟ ଫର୍‌ ପ୍ରପର୍‌ ୟୁଜ୍‌ ଆକ୍ଟ’ ୧୯୫୦ରେ ପ୍ରସ୍ତୁତ କରାଯାଇଥିଲା। ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ବରେ ଜାତୀୟ ପତାକାର ରୂପରେଖ ସ୍ଥିର କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ମୌଲାନା ଅବୁଲ୍‌ କାଲାମ୍‌ ଆଜାଦ୍‌, ସରୋଜିନୀ ନାଇଡ଼ୁ, ସି. ରାଜ ଗୋପାଲଚାରୀ, କେ.ଏମ୍‌. ମୁନ୍‌ସି ଓ ବି.ଆର. ଆମ୍ବେଦକର୍‌ ଏହି କମଟିର ସଦସ୍ୟ ଥିଲେ।

୧୯୪୭ ମସିହା ଜୁଲାଇ ୧୪ ତାରିଖରେ କମିଟିର ସୁପାରିଶ କ୍ରମେ ଭାରତୀୟ ଜାତୀୟ ପତାକାର ଏକ ସମ୍ପୂର୍ଣ୍ଣ ଓ ଶେଷ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଜାତୀୟ ପତାକାକୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଗ୍ରହଣୀୟ ହେବା ପାଇଁ କେତେକ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ପ୍ରସ୍ତାବକୁ ଅନୁମୋଦନ କରି ଜାତୀୟ ପତାକା ପ୍ରସ୍ତୁତ ହେଲା। ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ଜାତୀୟ ପତାକାର ପୂର୍ଣ୍ଣ ସ୍ବରୂପ ପ୍ରକାଶ ପାଇଥିଲା। ପତାକାର ମଧ୍ୟଭାଗରେ ଥିବା ଚରଖା ପରିବର୍ତ୍ତେ ଅଶୋକ ସ୍ତମ୍ଭରେ ଥିବା ଅଶୋକ ଚକ୍ରକୁ ରଖାଗଲା। ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ମତରେ ଅଶୋକ ଚକ୍ର ଧର୍ମ ଓ ଆଇନର ପ୍ରତୀକ।

ପତାକାର ରଙ୍ଗର ବିଶେଷତ୍ବ :

ଭାରତର ଜାତୀୟ ପତାକାରେ ତିନୋଟି ରଙ୍ଗ ଥିବାରୁ ତାହାକୁ ତ୍ରିରଙ୍ଗା ବୋଲି କୁହାଯାଏ। ଏହି ରଙ୍ଗର ଓ ଅଶୋକ ଚକ୍ରର ବିଶେଷ ମହତ୍ତ୍ବ ଅଛି। କେଶର ବା ବାଦାମୀ ରଙ୍ଗ, ଧଳା ଓ ଗଭୀର ସବୁଜ ରଙ୍ଗକୁ ପତାକାର ସର୍ବୋତ୍କୃଷ୍ଟ ରଙ୍ଗ ଭାବେ ଚୟନ କରାଯାଇଛି। ପତାକାର ଉପର ଅଂଶରେ ଥିବା ବାଦାମୀ ରଙ୍ଗ ହେଉଛି ଦେଶର ଶକ୍ତି ଓ ଶୌର୍ଯ୍ୟର ପ୍ରତୀକ। ମଧ୍ୟଭାଗରେ ଥିବା ଧଳା ରଙ୍ଗ ଶାନ୍ତି ଓ ସତ୍ୟକୁ ପ୍ରତିଫଳିତ କରେ। ନିମ୍ନରେ ଥିବା ଗଭୀର ସବୁଜ ରଙ୍ଗ ଦେଶ ମାଟିର ଉର୍ବରତା ଓ ବିକାଶକୁ ପ୍ରତିନିଧିତ୍ବ କରିଥାଏ। ନୀଳ ରଙ୍ଗକୁ ଆକାଶ, ମହାସାଗର ଓ ସାର୍ବଭୌମ ସତ୍ୟର ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ତେଣୁ ଅଶୋକ ଚକ୍ରକୁ ନେଭି ବ୍ଲୁ ରଙ୍ଗରେ ଚିତ୍ରଣ କରାଯାଇଛି। ସାମାଜିକ ଦୃଷ୍ଟିରୁ ‘ଅଶୋକ ଚକ୍ର’ ଆଇନର ନିରନ୍ତରତାକୁ ସୂଚାଇଥାଏ।

ଅଶୋକ ଚକ୍ରର ୨୪ଟି ଅଖର ମହତ୍ତ୍ବ

ଆଧ୍ୟାତ୍ମିକ ଦୃଷ୍ଟିରୁ  ଅଶୋକ ଚକ୍ରରେ ଥିବା ୨୪ଟି ଅର ଦିନର ୨୪ ଘଣ୍ଟାକୁ ଦର୍ଶାଏ। ସମୟ ଭଳି ଅବିରତ ନିଜ ଦାୟିତ୍ବ ସମ୍ପାଦନ କରିବା ପାଇଁ ଏହା ପ୍ରେରଣା ଦେଇଥାଏ। ଏହି ୨୪ଟି ଅର ମନୁଷ୍ୟର ୨୪ଟି ଗୁଣ ଏବଂ ସତ୍‌ମାର୍ଗରେ ଯିବା ପାଇଁ ୨୪ଟି ମାର୍ଗ ସହିତ ମଧ୍ୟ ତୁଳନା କରାଯାଇଛି।  ଅଶୋକ ଚକ୍ରର ମଧ୍ୟଭାଗରେ ଥÒବା ୨୪ଟି ଅର ହେଉଛି ୨୪ଟି ଧର୍ମମାର୍ଗର ପ୍ରତୀକ।  ସଂଯମତା, ଆରୋଗ୍ୟ, ଶାନ୍ତି, ତ୍ୟାଗ, ଶୀଳ, ସେବା, କ୍ଷମା, ପ୍ରେମ, ମୈତ୍ରୀ, ବନ୍ଧୁତ୍ବ, ସଂଗଠନ,କଲ୍ୟାଣ, ସମୃଦ୍ଧି, ଉଦ୍‌ଯୋଗ, ସୁରକ୍ଷା, ନିମୟ, ସମତା, ଅର୍ଥନିଷ୍ଠ, ନୀତିନିଷ୍ଠ, ନ୍ୟାୟ, ସହଯୋଗ, କର୍ତ୍ତବ୍ୟ, ଅଧିକାର ଓ ବୁଦ୍ଧିମତାର ପ୍ରତୀକ ଭାବେ ଏହି ୨୪ଟି ଅରକୁ ବିବେଚନା କରାଯାଏ।

ଜାତୀୟ ପତାକାର ଡିଜାଇନର୍‌ ପିଙ୍ଗଳି ଭେଙ୍କୟା

ଭାରତର ଜାତୀୟ ପତାକାର ଡିଜାଇନ୍ କରିଥିଲେ  ପିଙ୍ଗଳି ଭେଙ୍କୟା। ଏହାକୁ ପ୍ରସ୍ତୁତ କରିବା ପାଇଁ ସେ ୧୯୧୬ରୁ ୧୯୨୧ ମସିହା ମଧ୍ୟରେ ପ୍ରାୟ ୩୦ଟି ଦେଶର ଜାତୀୟ ପତାକାର ଅଧ୍ୟୟନ କରିଥିଲେ। ଏହାପରେ ସେ ଭାରତର ଜାତୀୟ ପତାକା ପ୍ରସ୍ତୁତ କରିବା ପାଇଁ ଗୋଟିଏ ଡିଜାଇନ୍‌ ପ୍ରସ୍ତୁତ କଲେ। ଆନ୍ଧ୍ରପ୍ରଦେଶର ମଛଲି ପଟନମ୍‌ର ଏକ ଛୋଟ ଗାଁରେ ରହୁଥିବା ପିଙ୍ଗଳି ଭେଙ୍କୟା ୧୯ ବର୍ଷ ବୟସରେ ବ୍ରିଟିଶ୍‌ ସେନାର ଜଣେ ଅଧିକାରୀ ଥିଲେ। ଏହାପରେ ଦକ୍ଷିଣ ଆଫ୍ରିକାରେ ଆଙ୍ଗ୍‌ଲୋବୋଅର୍‌ ଯୁଦ୍ଧ ସମୟରେ ସେ ମହାତ୍ମା ଗାନ୍ଧୀଙ୍କ ସହିତ ପରିଚିତ ହୋଇଥିଲେ। ଏହା ପରେ ପିଙ୍ଗଲିଙ୍କ ବ୍ୟକ୍ତିତ୍ବରେ ପରିବର୍ତ୍ତନ ଆସିଲା ଏବଂ ସେ ସ୍ବାଧୀନତା ଆନ୍ଦୋଳନରେ ଯୋଗେଦଲେ। ସେ ୪୫ ବର୍ଷ ବୟସରେ ଜାତୀୟ ପତାକା ପ୍ରସ୍ତୁତ କରିଥିଲେ। ତେବେ ପୂର୍ଣ୍ଣାଙ୍ଗ ଜାତୀୟ ପତାକାର ରୂପରେଖ ଓ ମାନ୍ୟତା ମିଳିବା ପାଇଁ ପ୍ରାୟ ୪୫ ବର୍ଷ ଲାଗିଯାଇଥିଲା।

Leave a comment