ପୁରୁଣା ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବାଧ୍ୟତାମୂଳକ, ନଚେତ୍ ଦେବାକୁ ପଡ଼ିବ ଜରିମାନା

ଭୁବନେଶ୍ବ : ଏଣିକି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ ବିନା କୌଣସି ଗାଡି ରାସ୍ତାରେ ଗଡିପାରିବ ନାହିଁ । ନୂଆ ପୁରୁଣା ସମସ୍ତ ଗୌଡି ଏହି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ । ୨୦୧୯ ମସିହାରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍‌ ବ୍ୟବହାର ହେଉଥିବା ବେଳେ ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକରେ ପୁରୁଣା ନମ୍ବର ପ୍ଲେଟ୍‌ ରହିଛି। କିନ୍ତୁ ଏବେ ଆଉ ପୁରୁଣା ନମ୍ବର ପ୍ଲେଟ୍‌ ଚଳିବ ନାହିଁ। ନୂଆ ନମ୍ବର ପ୍ଲେଟ୍‌ ବ୍ୟବହାରକୁ ରାଜ୍ୟ ପରିବହନ କର୍ତୃପକ୍ଷ ବାଧ୍ୟତାମୂଳକ କରିଛନ୍ତି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଡ଼ିରେ ଏହି ନୂଆ ନମ୍ବର ପ୍ଲେଟ୍‌ ଲଗାଇବାକୁ କଡ଼ା ନି‌ର୍ଦେଶ ରହିଛି।

ତେବେ ଏହି ନମ୍ବର ପ୍ଲେଟ୍‌ ଯୋଗାଇବା ପାଇଁ ସାରା ଦେଶରେ ୪୫ଟି ସ୍ବୀକୃତିପ୍ରାପ୍ତ ସଂସ୍ଥା ଥିବା ବେଳେ ଓଡ଼ିଶା ପାଇଁ ୪ଟି ସଂସ୍ଥା ରହିଛି। ସେହିଭଳି ନମ୍ବର ଆବେଦନ ପାଇଁ ସ୍ବତନ୍ତ୍ର ପୋର୍ଟାଲ୍‌ ଆପ୍‌ ରଖାଯାଇଛି। ଏସ୍‌ଆଇଏଏମ୍‌ ପୋର୍ଟାଲ୍‌ରେ ଆବେଦନ କରିବାକୁ ହେବ। ଆବେଦନ ସମୟରେ ଗାଡ଼ି ଓ ଉକ୍ତ କମ୍ପାନି ବାବଦରେ ଉଲ୍ଲେଖ କରିବା ପରେ ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍‌ କେଉଁ ଭେଣ୍ଡରଙ୍କ ପାଖରେ ହୋଇପାରିବ, ଏହାର କେଉଁଠି କେଉଁଠି ଶାଖା ରହିଛି, ତାହା ପ୍ରଦର୍ଶିତ ହେବ। ଗାଡ଼ିମାଲିକ ସେମାନଙ୍କ ସୁବିଧା ମୁତାବକ ଏଜେନ୍‌ସି ବାଛିବେ। ହେଲେ ଅନ୍ୟ କୌଣସି ରାଜ୍ୟର ଗାଡ଼ିର ଏଚ୍‌ଏସ୍‌ଆର୍‌ପି ପ୍ଲେଟ୍‌ ଓଡ଼ିଶାରେ ମିଳିବ ନାହିଁ। ଯେଉଁମାନେ ଏନ୍‌ଓସି(ନୋ ଅବ୍‌ଜେକ୍ସନ ସାର୍ଟିଫିର୍କେଟ୍‌) ଆଣିଥିବ‌େ, ସେମାନେ ଅନ୍ୟମାନଙ୍କ ଭଳି ଏଠାରେ ଆବେଦନ କରିପାରିବେ। ଆବେଦନର ସପ୍ତାହକ ମଧ୍ୟରେ ଏହି ନମ୍ବର ପ୍ଲେଟ ମିଳିବ।

ସୂଚନାନୁସାରେ, ଚୋରି କି ହଜିଲେ କିମ୍ବା ନମ୍ବର ପ୍ଲେଟ୍‌ ଭାଙ୍ଗିଗଲେ, ମନଇଚ୍ଛା ନମ୍ବର ପ୍ଲେଟ୍‌ ମିଳିପାରିବ ନାହିଁ। ଏଥିପାଇଁ ସମ୍ପୃକ୍ତ ଥାନାରେ ଅର୍ଥାତ ଯେଉଁ ଅଞ୍ଚଳରେ ଘଟଣା ଘଟିଥିବ, ସେହି ଥାନାରେ ଏକ ମାମଲା ରୁଜୁ କରିବାକୁ ହେବ। ଏଫ୍‌ଆଇଆର୍‌ କପି ସହ ଏସ୍‌ଆଇଏଏମ୍‌ ପୋର୍ଟାଲ୍‌ରେ ଆବେଦନ କରିବେ। ଯେଉଁମାନେ ଏହି ନମ୍ବର ପ୍ଲେଟ ବ୍ୟବହାର କରିବେ ନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ଯନୁଷ୍ଠାନ ନିଆଯିବ। ସେମାନଙ୍କୁ ୫ହଜାରରୁ ୧୦ହଜାର ଟଙ୍କା ପର୍ଯ୍ଯନ୍ତ ଜରିମାନା କରାଯିବ।

Leave a comment