ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାରେ ଖାଦ୍ୟ ସୁରକ୍ଷା କାର୍ଯ୍ୟାୟନକୁ ନେପାଳ ଷ୍ଟଡ଼ି ମିଶନର ପ୍ରଶଂସା

ଭୁବନେଶ୍ୱର : ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଷୟରେ ବାସ୍ତବ ଅନୁଭୁତି ହାସଲ କରିବା ନିମନ୍ତେ ନେପାଳରୁ ଆସିଥିବା ଉଚ୍ଚସ୍ତରୀୟ ଷ୍ଟଡ଼ି ମିଶନ ଟିମ୍ ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଯୋଜନାର ସଫଳ କାର୍ଯ୍ୟାୟନକୁ ପ୍ରଶଂସା କରିଛନ୍ତି । ରାଜ୍ୟର ନିଜ ଯୋଜନା ସହ କେନ୍ଦ୍ରୀୟ ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ ଓଡ଼ିଶାର ଏକ ବଡ ସଫଳତା ବୋଲି ମିଶନ ଟିମର ସଦସ୍ୟମାନେ ମତ ଦେଇଛନ୍ତି । ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏହି ଉଚ୍ଚସ୍ତରୀୟ ଟିମ ନିମନ୍ତେ ଆଜି ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନା ବିଷୟରେ ପ୍ରାରମ୍ଭିକ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ କୌଣସି ଗରିବ ଲୋକ ଅନାହାରରେ ରହିବ ନାହିଁ-ଏହାହିଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ ଏବଂ ନିର୍ଦ୍ଦେଶ । ଏହି ଲକ୍ଷ୍ୟର ସଠିକ୍ ରୂପାୟନ ପାଇଁ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ, ମହିଳା ଓ ଶିଶୁ ବିକାଶ, କୃଷି ଓ କୃଷକ ସଶକ୍ତିକରଣ, ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ, ଜଳ ସଂପଦ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଗୃହ ଓ ନଗର ଉନ୍ନୟନ ଆଦି ବିଭାଗମାନେ ସମନ୍ୱିତଭାବେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ସହ ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି ।

ଜାତୀୟ ଖାଦ୍ୟ ସୁରକ୍ଷା ସ୍କିମ୍, ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ, ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଅତିରିକ୍ତ ପୁଷ୍ଟି ଯୋଗାଣ, ବୃଦ୍ଧ, ଭିନ୍ନକ୍ଷମ ଓ ଅସହାୟମାନଙ୍କ ନିମନ୍ତେ ଭତ୍ତା ବଣ୍ଟନ, ସାଧାରଣ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ପୁଷ୍ଟିଯୁକ୍ତ ଚାଉଳ ଯୋଗାଣ, ଅଧିକ ପୁଷ୍ଟିଯୁକ୍ତ ମିଲେଟ୍ ଶସ୍ୟ ଯୋଗାଣ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଅଙ୍ଗନବାଡିରେ ରନ୍ଧା ଖାଦ୍ୟ ଯୋଗାଣ, ସହରରେ ଆହାର କେନ୍ଦ୍ର ବ୍ୟବସ୍ଥା ଆଦିକୁ ରାଜ୍ୟ ସରକାର ଓ ପ୍ରଶାସନ ନିଷ୍ଠାର ସହ କାର୍ଯ୍ୟାୟନ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ବର୍ତ୍ତମାନ ଆଧୁନିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କୌଶଳ ପ୍ରୟୋଗ କରି ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ତୃଟି ମୁକ୍ତ ଓ ଅଧିକ ଲକ୍ଷ୍ୟଭେଦୀ କରାଯାଉଛି । ଏହା ଫଳରେ ନକଲି ଓ ଭୁଲ୍ ହିତାଧିକାରୀ ବାଦ ପଡିଛନ୍ତି । ଖାଦ୍ୟ ସାମଗ୍ରୀ ଦେଣନେଣରେ ହେବାକୁଥିବା ସମ୍ଭାବ୍ୟ ଦୁର୍ନିତୀକୁ ବନ୍ଦ କରାଯାଇପାରିଛି । ଫଳରେ ଅଧିକ ସଂଖ୍ୟକ ଲୋକଙ୍କୁ ଖାଦ୍ୟ ଯୋଜନାରେ ସାମିଲ କରାଯାଇ ପାରିଛି ଓ ଯୋଗାଣ ହେଉଥିବା ଖାଦ୍ୟ ସାମଗ୍ରୀର ଗୁଣାତ୍ମକ ମାନ ବୃଦ୍ଧି ଘଟିଛି ।

ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ କହିଥିଲେ ଯେ ଓଡ଼ିଶା ଖାଦ୍ୟ କ୍ଷେତ୍ରରେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତା ସ୍ଥିତିରୁ ବହୁ ଆଗକୁ ଆସି ବର୍ତ୍ତମାନ ଏକ ଖାଦ୍ୟ-ବଳକା ରାଜ୍ୟରେ ପରିଣତ ହୋଇଛି । ୨୦୦୩-୨୦୦୪ ମସିହାରୁ ରାଜ୍ୟ କେନ୍ଦ୍ରୀୟ ଖାଦ୍ୟ ସଂଗ୍ରହ ଯୋଜନାରେ ସାମିଲ ହୋଇ ନିଜ କୃଷକମାନଙ୍କଠାରୁ ଖାଦ୍ୟ-ଶସ୍ୟ ସଂଗ୍ରହ ଆରମ୍ଭ କରିଛି । ବର୍ତ୍ତମାନ ରାଜ୍ୟ ନିଜ କୃଷକମାନଙ୍କ ଠାରୁ ବାର୍ଷିକ ହାରାହାରି ୭୬ ଲକ୍ଷ ନିୟୁତ ଟନ୍ ଧାନ ସଂଗ୍ରହ କରୁଛି ଯେଉଁଥିରୁ ବିଭିନ୍ନ ମିଲ୍ ମାଧ୍ୟମରେ ପ୍ରାୟ ୫୨ ଲକ୍ଷ ନିୟୁତ ଟନ୍ ଚାଉଳ ଉତ୍ପାଦନ କରାଯାଉଛି । ଏହି ସଂଗ୍ରହ ମଧ୍ୟରୁ ରାଜ୍ୟରେ ବିଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ପ୍ରାୟ ୩୦ ଲକ୍ଷ ନିୟୁତ ଟନ୍ ଚାଉଳ ବ୍ୟବହାର ହେଉଛି ଏବଂ ଅବଶିଷ୍ଟ ପ୍ରାୟ ୨୨ ଲକ୍ଷ ନିୟୁତ ଟନ୍ ଚାଉଳ ଦେଶର କେନ୍ଦ୍ରୀୟ ଖାଦ୍ୟ ଭଣ୍ଡାରକୁ ଦିଆଯାଉଛି । କେନ୍ଦ୍ରୀୟ ଭଣ୍ଡାରକୁ ସର୍ବାଧିକ ଚାଉଳ ଦେଉଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ବର୍ତ୍ତମାନ ଚତୁର୍ଥ ।

ଶ୍ରୀ ଯାଦବ ଆହୁରି ମଧ୍ୟ ଜଣାଇଥିଲେ ଯେ ରାଜ୍ୟରେ ୯୫.୭୪ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରଙ୍କୁ ପ୍ରତ୍ୟକ୍ଷ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । ଏହିସବୁ ପରିବାରରେ ପ୍ରାୟ ୩.୩୩ କୋଟିରୁ ଅଧିକ ସଦସ୍ୟ ଅଛନ୍ତି ଯେଉଁମାନେକି ରାଜ୍ୟ ଜନସଂଖ୍ୟାରେ ପ୍ରାୟ ୮୦ ପ୍ରତିଶତ । ବର୍ତ୍ତମାନ ସମୁଦାୟ ୧୨,୧୨୪ ସୁଲଭ ଖୁଚୁରା ଦୋକାନ ମାନଙ୍କ ମାଧ୍ୟମରେ ପ୍ରତି ମାସରେ ହିତାଧିକାରୀମାନଙ୍କୁ ପ୍ରାୟ ୧.୮୭ ଲକ୍ଷ ନିୟୁତ ଟନ୍ ଖାଦ୍ୟ ଶସ୍ୟ ଯୋଗାଣ କରାଯାଉଛି । ଏହି ବ୍ୟବସ୍ଥାରେ ବିଭିନ୍ନ ସ୍ତରର କାରବାରକୁ ଅନ୍‌ଲାଇନ ସ୍ୱୟଂକ୍ରିୟ ବ୍ୟବସ୍ଥା ମାଧ୍ୟମରେ ରିଅଲ୍-ଟାଇମ୍ ଭିତ୍ତିରେ ତନଖି କରାଯାଉଛି ।

୧ ଟଙ୍କାରେ କିଲେ ଚାଉଳ, ଖାଦ୍ୟସାର ଯୁକ୍ତ ଚାଉଳ ଯୋଗାଣ ଏବଂ ଖାଦ୍ୟ ଯୋଗାଣ ବ୍ୟବସ୍ଥାରେ ମୋ-ସରକାର ତତ୍ତ୍ୱର ପ୍ରୟୋଗ ଆଦି ବିଷୟରେ ମଧ୍ୟ ଶ୍ରୀ ଯାଦବ ସବିଶେଷ ଭାବେ ଜଣାଇଥିଲେ । ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ ନିରାପତ୍ତା ଓ ଦିବ୍ୟାଙ୍ଗମାନଙ୍କ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ରାଜ୍ୟରେ ଅତିରିକ୍ତ ପୁଷ୍ଟି ଯୋଗାଣ, ମଧ୍ୟାହ୍ନ ଭୋଜନ, ବିଭିନ୍ନ ପ୍ରକାର ଭତ୍ତା, ସହରାଞ୍ଚଳରେ ଆହାର କାର୍ଯ୍ୟକ୍ରମ ଆଦି ବିଷୟରେ ବିଶେଷ ସୂଚନା ଦେଇଥିଲେ । ଟିମ୍ ସଦସ୍ୟମାନେ ଏହି ସବୁ ଅଭିନବ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ସେସବୁର ଯୋଜନା, କାର୍ଯ୍ୟାୟନ ବ୍ୟବସ୍ଥା ଓ ପରିଚାଳନା ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରି ଜ୍ଞାତ ହୋଇଥିଲେ ।

ନେପାଳ ଜାତୀୟ ଯୋଜନା କମିଶନ ସଦସ୍ୟ ଡ଼ଃ ଦିଲ୍ ବାହାଦୁର ଗୁରୁଙ୍ଗ୍‌ଙ୍କ ନେତୃତ୍ୱରେ ଆସିଥିବା ଏହି ମିଶନ ଟିମ୍‌ରେ ନେପାଳ ସରକାରଙ୍କ ଅର୍ଥ, କୃଷି ଓ ପଶୁପାଳନ, ଯୋଜନା ଆଦି ବିଭାଗର ଅତି ଉଚ୍ଚସ୍ତରୀୟ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏମାନେ ଦୁଇଦିନ ଓଡ଼ିଶାରେ ବିଭିନ୍ନ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର, ଖାଦ୍ୟ ଯୋଗାଣ ଏ.ଟି.ଏମ୍, ଖାଦ୍ୟ ସୁରକ୍ଷା ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ, ଗ୍ରାମ ପଂଚାୟତର କାର୍ଯ୍ୟ ଆଦି ବିଷୟରେ କ୍ଷେତ୍ରସ୍ତରୀୟ ପ୍ରତ୍ୟକ୍ଷ ଅନୁଭୁତି ସଂଗ୍ରହ କରିବେ । ଏହାଛଡା, ଏହି ଟିମ୍ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର ସମ୍ଭାବନା ଅଛି ବୋଲି ଏକ ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.