ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାରି ରହିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ, ନିର୍ମାଣ ଉପରେ ରହିତାଦେଶ ଆବେଦନ ଖାରଜ କଲେ ହାଇକୋର୍ଟ

କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ‘ପରିକ୍ରମା ପ୍ରକଳ୍ପ’ କାର୍ଯ ଜାରି ରହିବ। ମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ ଅଙ୍କୁଶ କିମ୍ବା ବନ୍ଦ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟପକ୍ଷରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ସୋମବାର ଦାଖଲ କରିଥିବା ସତ୍ୟପାଠରେ ପ୍ରକଳ୍ପ କାର୍ଯ୍ୟରେ କରାଯାଉଥିବା ଖନନ ଦ୍ବାରା ଐତିହ୍ୟସ୍ଥଳରେ ଥିବା ପ୍ରତ୍ନତାତ୍ତ୍ବିକ କୀର୍ତ୍ତିରାଜି ନଷ୍ଟ ହୋଇପାରେ ବୋଲି ଏଏସ୍‌ଆଇର ଆଶଙ୍କାକୁ ଅବାନ୍ତର ବୋଲି ବର୍ଣ୍ଣନା କରିବା ସହ ନିର୍ମାଣ କାର୍ଯ୍ୟ ଦ୍ବାରା ନିର୍ଦ୍ଦିଷ୍ଟ ଭାବେ କ’ଣ କ୍ଷତି ଘଟିଛି, ସେ ସଂପର୍କରେ ତଥ୍ୟ ରଖିବାକୁ ସୋମବାର ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଏସ. ମୁରଲୀଧର ଓ ବିଚାରପତି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଶୌଚାଳୟ, ଡ୍ରେନ୍‌ ଓ ବିଦ୍ୟୁତ୍‌କରଣ କାର୍ଯ୍ୟ ଆଦି ‘ନିର୍ମାଣ’ର ସଂଜ୍ଞା ଅଧୀନରେ ଆସୁନାହିଁ। ତେଣୁ ନିଷିଦ୍ଧାଞ୍ଚଳ(ପ୍ରୋହିବିଟେଡ୍‌ ଏରିଆରେ ଏହିସବୁ କାର୍ଯ୍ୟ ଚାଲିପାରିବ ଏଏସଆଇ ପକ୍ଷରୁ ଦିଆଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି। ତେବେ ନିଷିଦ୍ଧାଞ୍ଚଳରେ ଅଭ୍ୟର୍ଥନା କକ୍ଷ ନିର୍ମାଣକୁ ଏଏସ୍‌ଆଇ ପକ୍ଷରୁ ବାରଣ କରାଯାଇଥିବାବେଳେ ସଂପ୍ରତି ଏହାକୁ ନିଷିଦ୍ଧାଞ୍ଚଳରୁ ହଟାଯାଇ ନିୟନ୍ତ୍ରିତ ଅଞ୍ଚଳ (ରେଗୁଲେଟେଡ୍‌ ଏରିଆ)ନିର୍ମାଣ କରାଯାଉଛି ବୋଲି ଆଜି ଏ ସଂପର୍କିତ ମାମଲାର ଶୁଣାଣିବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଖଣ୍ଡପୀଠଙ୍କୁ ଅବଗତ କରାଯାଇଛି।

ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ଯୁଗ୍ମ ତଦନ୍ତ ରିପୋର୍ଟ ମଧ୍ୟ ଅଦାଲତରେ ଉପସ୍ଥାପନ ହୋଇଛି। ସତ୍ୟପାଠରେ ଉଲ୍ଲେଖ କରାଯାଇଛି କି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣ କାର୍ଯ୍ୟ ଚାଲୁଥିବା ଅଞ୍ଚଳ ଗତ ୧ ତାରିଖରେ ଯୁଗ୍ମ ଅନୁଧ୍ୟାନ ହୋଇଥିଲା। ଏପରିକି ନିର୍ମାଣ ସ୍ଥଳରେ କାର୍ଯ୍ୟ କରୁଥିବା ଓଡ଼ିଶା ସେତୁ ନିର୍ମାଣ ନିଗମ ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇଛି। ଏହି ପ୍ରକଳ୍ପ ପାଇଁ ଏଏସଆଇ କିମ୍ବା ଏନଏମଏ (ନ୍ୟାସନାଲ ମନୁମେଣ୍ଟ ଅଥରିଟି)ର କୌଣସି ଅନୁମତି ନଥିବା ସତ୍ୟପାଠରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ଯୁକ୍ତି ଦର୍ଶାଇଥିଲେ ଯେ  ନିର୍ମାଣ ପାଇଁ ୨୦୨୧ ସେପଟେମ୍ବର ୪ ତାରିଖରେ ଏନ୍‌ଏମ୍‌ଏ ଠାରୁ ଆପତ୍ତିରହିତ ପ୍ରମାଣପତ୍ର ନିଆଯାଇଛି।

ଏହାମଧ୍ୟ ଏଏସ୍‌ଆଇ ପକ୍ଷରୁ ଆଜି ଦାଖଲ କରାଯାଇଥିବା ଯୁଗ୍ମ ପରିଦର୍ଶନ ରିପୋର୍ଟରେ ସ୍ଥାନିତ େହାଇଛି, ଯାହାକି ଏନ୍‌ଏମ୍‌ଏର ଅନୁମତିକୁ ସ୍ପଷ୍ଟ ଭାବେ ସୂଚିତ କରୁଛି ବୋଲି ଶ୍ରୀ ପରିଜା ଦର୍ଶାଇଥିଲେ। ଏନ୍‌ଏମ୍‌ଏ ଦ୍ବାରା ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ ଏଏସ୍‌ଆଇ ପକ୍ଷରୁ ଯୁଗ୍ମ ପରିଦର୍ଶନ ରିପୋର୍ଟ ଓ ସତ୍ୟପାଠରେ କିଭଳି ଏହାକୁ ଭ୍ରମାତ୍ମକ ଭାବେ ଉପସ୍ଥାପନ କରାଯାଇଛି, ସେ  ସଂପର୍କରେ ସେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଏହାର ଜବାବ ରଖିବାକୁ ନିବେଦନ କରିଥିଲେ। ସେହିପରି ଶ୍ରୀମନ୍ଦିରରେ ସୁବିଧା ସୁଯୋଗ ପ୍ରଦାନ ପ୍ରସଙ୍ଗରେ ମୃଣାଳିନୀ ପାଢ଼ୀ ବନାମ କେନ୍ଦ୍ର ସରକାର ମାମଲାରେ ସୁପ୍ରିମକୋର୍ଟ ଆଦେଶକୁ ହାଇକୋର୍ଟ ଗୁରୁତ୍ବ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁପାଳନ ସହ ଏହି ଆଧାରରେ ଏଏସ୍‌ଆଇର ସହଯୋଗରେ ପ୍ରକଳ୍ପ କାର୍ଯ୍ୟ ଜାରି ରହିବ ବୋଲି ଆଡ୍‌ଭୋକେଟ ଜେନେରାଲ ଶ୍ରୀ ପରିଜା ଦର୍ଶାଇଥିଲେ।

ମାମଲାର ଶୁଣାଣି ପରେ ଏଏସଆଇର ସତ୍ୟପାଠ ଉପରେ ଆସନ୍ତା ଜୁନ୍‌ ୨୦ ସୁଦ୍ଧା ରାଜ୍ୟ ସରକାର ଜବାବ ଦାଖଲ କରିବାକୁ ଖଣ୍ଡପୀଠ କହିଛନ୍ତି। ଏଥିସହ ଏଏସ୍‌ଆଇର ସହଯୋଗରେ ନିର୍ମାଣ କାର୍ଯ୍ୟ ଚାଲୁ ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତ। ଅନ୍ୟପକ୍ଷରେ ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ପାଇଁ ଦିଲ୍ଲୀପ ବରାଳଙ୍କ ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍‌ ୨୨କୁ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.