ବରିଷ୍ଠ ନାଗରିକମାନଙ୍କୁ ଅନଲାଇନ୍ ଠକେଇରୁ ରକ୍ଷା କରିବା ପାଇଁ ହେଲ୍ପଏଜ୍ ଇଣ୍ଡିଆ ଆରମ୍ଭ କଲା ‘ପ୍ରୋଜେକ୍ଟ ସୁରକ୍ଷିତ’

ଭୁବନେଶ୍ୱର : ବରିଷ୍ଠ ନାଗରିକମାନଙ୍କୁ ଡିଜିଟାଲ ଭାବେ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ Google.org ସହାୟତାରେ ହେଲ୍ପଏଜ୍ ଇଣ୍ଡିଆ ଏହାର ଦେଶବ୍ୟାପୀ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ସୁରକ୍ଷିତ’ ଆରମ୍ଭ କରିଛି, ଯାହା ଦ୍ୱାରା ସେମାନେ ଅନଲାଇନ୍ ଠକେଇରୁ ନିଜକୁ ରକ୍ଷା କରିପାରିବେ । ଫେବ୍ରୁଆରି ୭ ତାରିଖରେ ‘ସୁରକ୍ଷିତ ଇଣ୍ଟରନେଟ୍ ଦିବସ’ ପାଳନ କରି ହେଲ୍ପଏଜ୍ ଇଣ୍ଡିଆ ୧୬ଟି ରାଜ୍ୟରେ ଡିଜିଟାଲ ସୁରକ୍ଷା କର୍ମଶାଳା ଆରମ୍ଭ କରିଛି, ଯେଉଁଥିରେ ଏକା ସାଙ୍ଗରେ ୧୦ରୁ ଅଧିକ ବରିଷ୍ଠ ନାଗରିକଙ୍କୁ ପ୍ରଶିକ୍ଷଣ ଦିଆଯିବ।
ଦେଶର ପ୍ରଥମ କାର୍ଯ୍ୟକ୍ରମ, ବରିଷ୍ଠ ନାଗରିକ ସଂଘର ସମନ୍ୱୟରେ ଆୟୋଜିତ ଏହି କର୍ମଶାଳାରେ ବରିଷ୍ଠ ନାଗରିକ ମାନଙ୍କୁ ଡିଜିଟାଲ ନିରାପତ୍ତା ଉପରେ ଅତ୍ୟାବଶ୍ୟକ ତାଲିମ ପ୍ରଦାନ କରାଯାଇ ସେମାନଙ୍କୁ ସୁରକ୍ଷିତ ଭାବରେ ଇଣ୍ଟରନେଟ୍ ବ୍ୟବହାର କରିବା ଏବଂ ଅନଲାଇନ୍ ଡିଜିଟାଲ ସୁବିଧାର ଲାଭ ପାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ପ୍ରଦାନ କରାଯାଇଥାଏ । ହେଲ୍ପଏଜ୍ ର ଲକ୍ଷ୍ୟ ହେଉଛି ଏହି ସମ୍ବେଦନଶୀଳ ସମୁଦାୟ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା, ଯାହା ଦ୍ୱାରା ବୟସ୍କମାନେ ସାଧାରଣ ଅନଲାଇନ୍ ଠକେଇଗୁଡ଼ିକୁ ଚିହ୍ନଟ କରିବା ଏବଂ ସମାଧାନ କରିବା ପାଇଁ ସଚେତନ ଏବଂ ପ୍ରସ୍ତୁତ ହୁଅନ୍ତି । ଏହି କର୍ମଶାଳାରେ ୭ଟି ମଡ୍ୟୁଲକୁ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁଥିରେ ବିଭିନ୍ନ ଅନ୍ଲାଇନ୍ ସୁରକ୍ଷା ବିଷୟ ଯଥା: ଏକ ଦୃଢ଼ ପାସୱାର୍ଡ ସୃଷ୍ଟି କରିବା, ଅନଲାଇନ୍ ବ୍ୟାଙ୍କିଂ ସମୟରେ ସୁରକ୍ଷିତ ରହିବା, ଅନଲାଇନରେ ସୁରକ୍ଷିତ ଭାବେ ୟୁଟିଲିଟି ବିଲ୍ ପୈଠ କରିବା, ଆପଣଙ୍କ ଡିଭାଇସ୍ କୁ ସୁରକ୍ଷିତ ରଖିବା, ଅନଲାଇନ୍ ସ୍କାମ୍ ଚିହ୍ନଟ କରିବା, ହ୍ଵାଟ୍ସଆପ୍ ରେ ସୁରକ୍ଷିତ ରହିବା ଏବଂ ସୁରକ୍ଷିତ ଭାବେ ଏକ କ୍ୟାବ୍ ବୁକିଂ କରିବା ଆଦି ବିଷୟରେ ମାର୍ଗଦର୍ଶନ ପ୍ରଦାନ କରାଯାଇଛି।
ଅନଲାଇନ୍ ପେମେଣ୍ଟ୍, ଦୈନନ୍ଦିନ ସାମଗ୍ରୀ ଅର୍ଡର, ବ୍ୟାଙ୍କିଙ୍ଗ୍ ଓ ସପିଂ ଭଳି ଡିଜିଟାଲ୍ ସେବାର ଦ୍ରୁତ ଉନ୍ନତି ସହିତ ବୟସ୍କ ଲୋକଙ୍କ ଦୁର୍ବଳତା ବୃଦ୍ଧି ପାଇଛି। ଡିଜିଟାଲ୍ ଟେକ୍ନୋଲୋଜିକୁ ବିଳମ୍ବରେ ଗ୍ରହଣ କରୁଥିବା ବୟସ୍କମାନେ ଅନଲାଇନ୍ ଠକଙ୍କ ପାଇଁ ସହଜ ଟାର୍ଗେଟ ବୋଲି ବିବେଚନା କରାଯାଏ। “ଏହି ପ୍ରଶିକ୍ଷଣ କର୍ମଶାଳା ଏକ ଆବଶ୍ୟକତା; ଅନଲାଇନ୍ ଠକେଇ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଜିର ଯୁଗରେ ଆମେ ବରିଷ୍ଠମାନଙ୍କୁ ସେମାନଙ୍କ ର ଆବଶ୍ୟକତା ରହିଛି । ବିଶେଷକରି ମୋ ପାଇଁ, ମୋର ସଞ୍ଚୟ ଚାଲିଯିବ ବୋଲି ଭୟ କରି ମୁଁ ମୋ ଫୋନରେ ଥିବା କୌଣସି ଲିଙ୍କ୍ କୁ ଛୁଇଁବାକୁ ବହୁତ ଭୟ କରେ,” ବୋଲି ବରିଷ୍ଠ ନାଗରିକ ସଂଘର ସଦସ୍ୟା ୬୧ ବର୍ଷୀୟା ଶ୍ରୀମତୀ ଅରୁଣା ଗୁପ୍ତା କୁହିଛନ୍ତି ।
‘ପ୍ରୋଜେକ୍ଟ ସୁରକ୍ଷିତ’ ଜରିଆରେ ହେଲ୍ପଏଜ୍ ଇଣ୍ଡିଆ ବୟସ୍କଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ଏବଂ ଡିଜିଟାଲ ବିଭାଜନକୁ ଦୂର କରିବାକୁ ଆଶା ରଖିଛି, ଯାହାଫଳରେ କୌଣସି ବୟସ୍କ ଲୋକ ପଛରେ ପଡ଼ି ନଯାଇ ଅସୁରକ୍ଷିତ ରହିବେ ବୋଲି ହେଲ୍ପଏଜ୍ ଇଣ୍ଡିଆର ରାଜ୍ୟ ଶାଖା ମୁଖ୍ୟ ଭାରତୀ ଚକ୍ର କହିଛନ୍ତି।
“ବରିଷ୍ଠ ନାଗରିକମାନେ ଅନଲାଇନ୍ ବିପଦର ଅଧିକ ଶିକାର ହୁଅନ୍ତି । Google.org ପ୍ରୋଜେକ୍ଟ ସୁରକ୍ଷିତ ରେ ହେଲ୍ପଏଜ୍ ଇଣ୍ଡିଆକୁ ସମର୍ଥନ କରିବା ଏବଂ ସମଗ୍ର ଦେଶରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ସୁରକ୍ଷା ପ୍ରଶିକ୍ଷଣ ଏବଂ ସଚେତନତା ଆଣିବା ପାଇଁ ପ୍ରୟାସ କରି ଗର୍ବ ଅନୁଭବ କରୁଛି । ବରିଷ୍ଠ ନାଗରିକମାନଙ୍କ ପାଇଁ ସାମାଜିକ ଅଂଶଗ୍ରହଣ ଏବଂ ଅନ୍ତର୍ଭୁକ୍ତୀକରଣ ବୃଦ୍ଧି କରିବା ଏବଂ ଅନଲାଇନରେ ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ଡିଜିଟାଲ ସୁରକ୍ଷା କର୍ମଶାଳା ହେଉଛି ଏହି କାର୍ୟ୍ୟକ୍ରମର ପ୍ରଥମ ପଦକ୍ଷେପ,” କହିଛନ୍ତି ଏକ୍ଟକ୍ଟଶକ୍ଷର.କ୍ଟକ୍ସଶର ଆଡଭୋକେସି ଏବଂ ଏସିଆ ପ୍ୟାସିଫିକ ମୁଖ୍ୟ ଆନି ଲେୱିନ ।
‘ସୁରକ୍ଷିତ ଇଣ୍ଟରନେଟ୍ ଦିବସ’ ଶୀର୍ଷକ କର୍ମଶାଳା ଦିଲ୍ଲୀ, ପଞ୍ଜାବ, କେରଳ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପୁଡୁଚେରୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଛତିଶଗଡ଼, ଗୋଆ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ଆୟୋଜିତ ହେଉଛି। ଭୁବନେଶ୍ୱରର କାନନ ବିହାର ଯୋଗରସ ପାର୍କ ଓ ବ୍ରିଟ କଲୋନୀର ପାର୍କ ୪ ରେ ଆଜି ଏହି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି, ଯେଉଁଠାରେ ହେଲ୍ପଏଜ ଇଣ୍ଡିଆ ତରଫରୁ ଦେବଶ୍ରୀ ବ୍ରହ୍ମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।