ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଫଳ ହେଉଛି ହେଲ୍‌ମେଟ୍‍ ଧରପଗଡ଼; ୧୫ ଦିନରେ କଟିଲା ୨୪୪୭୪ ଚାଲାଣ, ୬୪ ଲକ୍ଷ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଗତ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜପଥରେ ଆରମ୍ଭ ହୋଇଥିବା ହେଲମେଟ୍‍ ଧରପଗଡ଼ ଅଭିଯାନ ବେଶ୍‍ ସଫଳ ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟ ଓ ଜାତୀୟ ରାଜପଥରେ ଚଢ଼ଉ କରାଯାଇ ବିନା ହେଲମେଟ୍‍ରେ ଗାଡ଼ି ଚାଳନା ପାଇଁ ସମୁଦାୟ ୨୪,୪୭୪ ଚାଲାଣ କଟାଯାଇଛି। ସେହିପରି ବିନା ଲାଇସେନ୍ସରେ ଗାଡ଼ି ଚଳାଇବା ଅଭିଯୋଗରେ ୮୮୮ଟି ଗାଡ଼ି ଜବତ କରାଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‍ଟିଏ)ର ଟ୍ରାଫିକ୍‍ ଏନଫୋର୍ସମେଣ୍ଟ ଟିମ୍‍ ୧୫ ଦିନରେ ୬୩,୯୮,୧୧୬ ଟଙ୍କା ଜୋରିମାନା ଆଦାୟ କରିଛନ୍ତି ଏବଂ ୧୨୫୪୫ଟି ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି।

ରାଜ୍ୟରେ ସଡ଼କ ଦୁର୍ଘଟଣା ହାର ଉଦ୍‍ବେଗଜନକ ଥିବା ବେଳେ ପ୍ରତି ବର୍ଷ ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ତେବେ ଅଧିକାଂଶ ମୃତ୍ୟୁ ବିନା ହେଲମେଟ୍‍ରେ ଗାଡ଼ି ଚଳାଇବା ଅବା ବସିବା ପାଇଁ ହେଉଛି। କ୍ରମାଗତ ଚଢ଼ଉ ଫଳରେ ସହରାଞ୍ଚଳରେ ହେଲମେଟ୍‍ ବ୍ୟବହାର ବଢ଼଼ିଛି, କିନ୍ତୁ ଗ୍ରାମାଞ୍ଚଳରେ ହେଲମେଟ୍‍ ବ୍ୟବହାର ଆଦୌ ନାହିଁ କହିଲେ ଭୁଲ୍‍ ହେବ ନାହିଁ। ତେଣୁ ଏପରି ଗାଡ଼ି ଚାଳକଙ୍କୁ ଧରିବା ପାଇଁ ୧୬ ତାରିଖରୁ ରାଜ୍ୟବ୍ୟାପି ଚଢ଼ଉ ଅଭିଯାନ ଆରମ୍ଭ ହୋଇଥିଲା ବୋଲି ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି। ୨୦୨୧ ମସିହାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ୮୬୮ ଦୁଇ ଚକିଆ ଚାଳକ ଏବଂ ପଛରେ ବସିଥିବା ୪୪୦ ଲୋକଙ୍କୁ ମିଶାଇ ସମୁଦାୟ ୧୩୦୮ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୃତକ ହେଲମେଟ୍‍ ପିନ୍ଧି ନଥିଲେ। ଏହି ସମୟରେ ସମୁଦାୟ ୧୨୮୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ୭୪୭ ଜଣ ସ୍ୱଳ୍ପ ଆହତ ହୋଇଥିଲେ।

ଏହି ଚଢ଼ଉ ଅଭିଯାନ ସଫଳ ରହିବା ପରେ ସେପ୍ଟେମ୍ବର ମାସରୁ ପୁଣି ଥରେ ରାଜ୍ୟ ଓ ଜାତୀୟ ରାଜପଥରେ ଧରପଗଡ଼ ଅଭିଯାନ ଆରମ୍ଭ କରିବା ପାଇଁ ଏସ୍‍ଟିଏ ପକ୍ଷରୁ ନିଷ୍ପତ୍ତି ହୋଇଛି। ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ସମୟରେ ମଦ୍ୟ ପାନ କରି ଗାଡ଼ି ଚଳାଇବା, ହେଲମେଟ୍‍ ଯାଞ୍ଚ, ସ୍କୁଲ ବସ୍‍ ଏବଂ ଯାନ ଗୁଡିକରେ ଓଭରଲୋଡିଂ ସହିତ ଗାଡ଼ିର ଫିଟ୍‍ନେସ୍‍ ଯାଞ୍ଚ କରାଯିବ।

Leave A Reply

Your email address will not be published.