ରାଜ୍ୟରେ ସକ୍ରିୟ ଲଘୁଚାପ: ୧୪ ଜିଲ୍ଲାକୁ ଅରେଞ୍ଜ ଏବଂ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୧୫ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଶନିବାର ୧୪ ଜିଲ୍ଲାକୁ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରିକରାଯାଇଥିବା ବେଳେ ଏହିସବୁ ଜିଲ୍ଲାରେ ୭୦ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାଗୁଡିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ନୟାଗଡ,ଗଞ୍ଜାମ, ଗଜପତି । ସେହିଭଳି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି । କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଟ୍ୱିନ ସିଟିରେ ମଧ୍ୟ ଜାରିରହିଛି ବର୍ଷା । ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ସମ୍ଭାବନା ଥିବା ବେଳେ ସତର୍କ କରିଛି ଆଞ୍ଚିଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆହୁରି ୨ ଦିନ ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି । ଓଡିଶା ଉପକୂଳ ଏବଂ ତାର ଆଖପାଖ ଅଞ୍ଚଳରେ ପବନ ସହ ଘଣ୍ଟା ପ୍ରତି ୪୫ରୁ ୫୫ କିମି ସହ ସର୍ବାଧିକ ୬୫ କିମି ଯାଏ ରହିବ । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ୧୫ ତାରିଖ ଯାଏ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

Leave a comment