ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି

ଭୁବନେଶ୍ବର: ପୁଣି ଭିଜିବ ଓଡିଶା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ କୋହଲା ପାଗ ଲାଗି ରହିଛି । ପୂର୍ବା ପବନ ପ୍ରଭାବରେ ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ନ ଥିଲେ ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କନ୍ଧମାଳ ଜିଲ୍ଲାରେ ମଧ୍ୟ ଆକାଶ ମେଘୁଆ ରହିଛି । ବାଲିଗୁଡ଼ା ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ଗତକାଲି ଅପରାହ୍ନରୁ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଭୁବନେଶ୍ବର ଓ କଟକରେ ଆଜି ପାଗ ମେଘୁଆ ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି । ଏଥିସହ ହାଲୁକା ବର୍ଷାର ବି ସମ୍ଭାବନା ରହିଛି। ଏବେ ରାଜ୍ୟର ପାଗ ମେଘୁଆ ରହିବ । ଫଳରେ ଶୀତ ବଢ଼ିବାର ସମ୍ଭାବନା ନାହିଁ । କିଛି କିଛି ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ପାଇପାରେ । ୪ ଦିନ ପରେ ଧୀରେଧୀରେ ରାଜ୍ୟର ପାରଦ ଖସିବ ଓ ଶୀତ ଆରମ୍ଭ ହେବ ବୋଲି କେନ୍ଦ୍ର କହିଛି ।

Leave a comment