ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବି ଭିଜିବ ସାରା ରାଜ୍ୟ; ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟିହୋଇଥିବା ଲଘୁଚାପ ଯୋଗୁଁ ଏବେ ସାରା ରାଜ୍ୟରେ ଲଗାଣ ବର୍ଷା। ଏଥିପାଇଁ ରାଜ୍ୟର ଅଧିକାଂଶ ସହର ଜଳବନ୍ଦୀ ସମସ୍ୟା ଦେଇ ଗତି କରୁଛି। ଶନିବାର ଦିନ ତମାମ୍‍ ରାଜଧାନୀ ସମେତ ରାଜ୍ୟର ସବୁ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଅପରାହ୍ନ ବେଳକୁ ଏହା ସାମାନ୍ୟ କମିଥିଲା। ଏଣେ ପାଣିପାଗ ବିଭାଗ ଆଜି ବି ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଥିବା ସୂଚନା ଦେଇଛି। ତେବେ ଧୀରେ ଧୀରେ ରାଜ୍ୟରେ ବର୍ଷାର ପରିମାଣ କମିବ।

ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ୧୦୩.୦୨ ମିଲିମିଟର ବର୍ଷା ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୪୯.୧ ମିଲିମିଟର ବର୍ଷା ହୋଇଛି। ଜୁଲାଇ ୧ରୁ ଜୁଲାଇ ୧୬ ତାରିଖ ଭିତରେ ରାଜ୍ୟରେ ୩୭୪.୭ ମିଲିମିଟର ବର୍ଷା ହୋଇଛି। ଯାହାକି ସ୍ୱାଭାବିକ ବର୍ଷାଠାରୁ ୧ ପ୍ରତିଶତ ଅଧିକ। ୨୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ୫ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ଓ ୪ଟି ଜିଲ୍ଲାରେ କମ୍‍ ବର୍ଷା ହୋଇଛି। ଆସନ୍ତା ୧୭ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଉତ୍ତର ଉପକୂଳ ସଂଲଗ୍ନ ଜିଲ୍ଲା ଯଥା ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ କମ୍‍ ରହିବ।

ଅପରପକ୍ଷେ ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର ସବୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏ ଦୁଇଟି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍‍ଆର୍‍ ବିଶ୍ୱାସ କହିଛନ୍ତି। ଆଜି ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ଗଞ୍ଚାମ, ଖୋର୍ଦ୍ଧା, ପୁରୀ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ କାଲି ପରଠାରୁ ରାଜ୍ୟରେ ବର୍ଷା କମିବ। ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ୧୭ ତାରିଖ ପର୍ଯ୍ୟନ୍ତ ରହିବ। ଏହାପରେ ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଭାରତ ଆଡକୁ ମୁହାଁଇବ। ଜୁଲାଇ ୧୮ରୁ ୨୦ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ମଧ୍ୟମ ବର୍ଷା ହେବାର ସମ୍ଭବାନା ରହିଛି। ୨୧ରୁ ଆଭ୍ୟନ୍ତରୀଣ ଓଡ଼ିଶା ଓ ୨୩ରୁ ଭୁବନେଶ୍ୱର ସମତେ ଉପକୂଳ ଓଡ଼ିଶାରେ ବର୍ଷା ବଢ଼଼ିବ।

Leave A Reply

Your email address will not be published.