ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅବପାତ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ଜାରି, ୮ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି । ଗଭୀର ଅବପାତ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ବାଲେଶ୍ବର, ଭଦ୍ରକ ଉପକୂଳରେ ଘଣ୍ଟାକୁ ୫୫ରୁ ୬୫କିମି ବେଗରେ ପବନ ବହୁଛି । ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ପ୍ରବଳ ବର୍ଷା ପାଇଁ ୮ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଲଘୁଚାପରେ ଅଧିକ ପ୍ରଭାବିତ ହେଉଛି ଉତ୍ତର ଓଡ଼ିଶା । ବାଲେଶ୍ବର ସମେତ ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, ଭଦ୍ରକରେ ମଧ୍ୟ ବର୍ଷାର ପ୍ରଭାବ ରହିଛି । ଏସବୁକୁ ଦୃଷ୍ଟିରେ ରଖି ସଂପୃକ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ କରିଛନ୍ତି ରାଜ୍ୟ ସରକାର । ସ୍ଥିତିକୁ ନଜରରେ ରଖି ବାଲେଶ୍ବରରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଆଜି ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି ।

ସବୁ ସ୍ଥାନରେ ତୟାର ଅଛନ୍ତି ଉଦ୍ଧାରକାରୀ ଦଳ । ଆବଶ୍ୟକ ପଡ଼ିଲେ ଅଧିକ ଓଡ୍ରାଫ, ଏନଡ଼ିଆରଏଫ, ଓ ଅଗ୍ନିଶମ ଟିମ ପଠାଯିବ । ତଳିଆ ଅଞ୍ଚଳରୁ ପ୍ରାୟ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ବରରୁ ପ୍ରାୟ ୩ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତୀବ୍ର ଅବପାତ ଓଡ଼ିଶାରୁ ଅତିକ୍ରମ ନକରିବା ଯାଏ ବଡ ଚ୍ୟାଲେଞ୍ଜ ରହିଛି । ପ୍ରବଳ ବର୍ଷାରେ ସୁରକ୍ଷିତ ରହିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୟଭୀତ ନହୋଇ ପ୍ରଶାସନକୁ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବାରିପଦାଠୁ ବର୍ତ୍ତମାନ ୩୦ କିଲୋମିଟର ଦୂରରେ ଗଭୀର ଅବପାତ କେନ୍ଦ୍ରୀଭୂତ ରହିଛି। ଏଣେ ଛତିଶଗଡ଼ ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

ସେପଟେ ପ୍ରବଳ ବର୍ଷାକୁ ଦେଖି ଆଜି ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ପ୍ରବଳ ବର୍ଷା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ତେବେ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିବେ ବୋଲି କୁହାଯାଇଛି।

Leave A Reply

Your email address will not be published.