ପୋଲିସ ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ମୃତ, ବହୁ ମାଓ ସାମଗ୍ରୀ ଜବତ

ମାଲକାନଗିରି : ପୋଲିସ ଗୁଳିରେ ଟଳିଲା ଜଣେ ଦୁର୍ଦାନ୍ତ ମାଓବାଦୀର ମୁଣ୍ଡ । ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ପୁଲିସ ପ୍ରଚୁର ପରିମାଣର ମାଓ ସାମଗ୍ରୀ ଯେପରି ବିସ୍ଫୋରକ, ଗୋଟିଏ ଦେଶୀ ବନ୍ଧୁକ, ୨ଟି ଲ୍ୟାଣ୍ଡମାଇନ, ୫ଟି ଗ୍ରେନେଡ, କିଛି ଜିଲୋଟିନ ଷ୍ଟିକ, ମାଓବାଦୀଙ୍କ କିଟ ବ୍ୟାଗ, ପୋଷାକ ଜବତ ହୋଇଛି ।
ଛତିଶଗଡ କିରାଣ୍ଡୁଲ ଥାନା ଅନ୍ତର୍ଗତ ବେଙ୍ଗପାଲି ଜଙ୍ଗଲ ଭିତରେ ମାଓବାଦୀମାନେ ଏକ ଶିବିର କରି ରହିଥିଲେ । ଏହି ସୂଚନା ଡିଆରଜି ବାହିନୀ ପାଇବା ପରେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ୨ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା ।