ସରସ୍ୱତୀ ଉପାସନାର ଦୀପ୍ତି ଓ ବ୍ୟାପ୍ତି

ଭାରତୀୟ ପରମ୍ପରା ଓ ସଂସ୍କୃତିରେ ଭାଷାଠାରୁ ଭାସ୍କର୍ଯ୍ୟ, ଶାସ୍ତ୍ରଠାରୁ ସାହିତ୍ୟ, କଳାଠାରୁ କଳ୍ପନା; ଏପରିକି ସ୍ଥାନଠାରୁ ସ୍ଥାପତ୍ୟ ପ୍ରତ୍ୟେକ କ୍ଷେତ୍ରରେ ସରସ୍ୱତୀଙ୍କ ପ୍ରଭାବ ଚିର ଅକ୍ଷୁଣ୍ଣ ଓ ଅନବଦ୍ୟ। ବେଦରେ ସରସ୍ୱତୀ ଉଭୟ ‘ନଦୀ’ ଓ ‘ବାକ୍‌‌’ ଭାବରେ ସ୍ୱୀକୃତ। ‘ସରସ୍‌‌’ ଶବ୍ଦରୁ ‘ସରସ୍ୱାନ୍‌‌’ ଓ ସ୍ତ୍ରୀଲିଙ୍ଗରେ ‘ସରସ୍ୱତୀ’ ଶବ୍ଦର ଉତ୍ପତ୍ତି। ‘ସରସ୍‌‌’ ଶବ୍ଦର ଆଭିଧାନିକ ଅର୍ଥ ଜଳ ଓ ରସ ବା ବାଣୀରସ। ତେଣୁ ‘ଜଳ’-ଅର୍ଥରୁ ନଦୀ ଏବଂ ‘ରସ’-ଅର୍ଥରୁ ବାଣୀଭାବରେ ସରସ୍ୱତୀ ସୁବିଦିତା। ‘ଅମରକୋଷ’ରେ ସରସ୍ୱତୀଙ୍କ ନାମମାନ ରହିଛନ୍ତି- ‘ବ୍ରାହ୍ମୀ ତୁ ଭାରତୀ ଭାଷା ଗୀର୍ବାକ୍‌‌ ବାଣୀ ସରସ୍ୱତୀ।’ ଅର୍ଥାତ୍‌‌ ବ୍ରାହ୍ମୀ, ଭାରତୀ, ଭାଷା, ଗୀର, ବାକ୍‌‌, ବାଣୀ ଓ ସରସ୍ୱତୀ। ସରସ୍ୱତୀଙ୍କ ନାମସମୂହକୁ ଅଧିକ ସରସ-ସୁନ୍ଦର ଭାବରେ ଓଡ଼ିଆ ଭାଷାରେ କବିସମ୍ରାଟ୍‌‌ ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ(୮/୨୪)ରେ ଗୋଟିଏ ପଦରେ ସ୍ଥାନ ଦେଇଛନ୍ତି- ‘ବନ୍ଦାଇ ମିତ ଶାରଦା ନତ ହୋଇ ବଚନ ତୁଲେ, ବାଣୀ ଭାରତୀ ସେ ସରସ୍ୱତୀ ଦୁହିଁଙ୍କି ଲୋକେ ବୋଲେ।’ ଏଠାରେ ଶାରଦା-ବଚନ ବା ବାକ୍‌‌-ବାଣୀ-ଭାରତୀ-ସରସ୍ୱତୀ; ଏହିପରି ପାଞ୍ଚଟି ନାମ ବର୍ଣ୍ଣିତ। ‘ଋଗ୍‌‌ବେଦ’ରେ ସରସ୍ୱତୀ ଶବ୍ଦର ବ୍ୟାପକ ପ୍ରୟୋଗ ହୋଇଛି। ସେଥିରୁ ପ୍ରାୟ ଅର୍ଦ୍ଧାଦିକସ୍ଥଳରେ ‘ନଦୀ’ ଅର୍ଥରେ ସରସ୍ୱତୀ ପ୍ରତିଫଳିତ।

ଯଥା- ‘ଆ ଯତ୍ସାକଂ ଯଶସୋ ବାବଶାନାଃ ସରସ୍ୱତୀ ସପ୍ତଥୀ ସିନ୍ଧୁମାତା। ଯାଃ ସୁଷ୍ୱୟନ୍ତ ସୁଦୁଘାଃ ସୁଧାରା ଅଭି ସ୍ୱେନ ପୟସା ପୀପ୍ୟାନାଃ’।(ଋଗ୍‌‌ବେଦ-୭/୩୬/୬)। ଅର୍ଥାତ୍‌‌ ଯେଉଁ ନଦୀମାନଙ୍କ ମଧ୍ୟରେ ମାତୃତୁଲ୍ୟା ସିନ୍ଧୁ ଓ ସରସ୍ୱତୀ ସପ୍ତମସ୍ଥାନୀୟା ନଦୀ; ନିଜର ଜଳବିଭବରେ ସମୁଜ୍ଜ୍ୱଳା, ସୁଦୁଘା ବା ଦୋହନଯୋଗ୍ୟା ବା ଅଭିଳାଷ ପୂରଣକାରିଣୀ, ସୁଧାରାମୟୀ, ଅନ୍ନ-ପ୍ରଦାନଶୀଳା ସେହି ଜଳପୂର୍ଣ୍ଣାମାନେ ଏକାଠି ଆସନ୍ତୁ। କାଳକ୍ରମେ ସରସ୍ୱତୀଙ୍କର ସପ୍ତଧା-ସ୍ୱରୂପ(ସିନ୍ଧୁ, ଦୃଷଦ୍‌‌ବତୀ, ବିତସ୍ତା ବା ଝେଲମ, ଅସିକ୍ନୀ ବା ଚେନାବ, ଶତଦ୍ରୁ ବା ସତଲେଜ୍‌‌, ପରୁଷ୍ଣୀ ବା ରାବୀ, ସୁବାସ୍ତୁ ବା ବିପାଶା) ସୃଷ୍ଟି ହେବା ସଙ୍ଗେ ସଙ୍ଗେ ତତ୍‌‌ ପରବର୍ତ୍ତୀ ସମୟରେ ସପ୍ତଛନ୍ଦ, ସପ୍ତରାଗ, ସପ୍ତଧାତୁ, ସପ୍ତବର୍ଣ୍ଣାଦିର ଅଭ୍ୟୁଦୟ ଘଟିଲା। ସେହିପରି ଅଖଣ୍ଡ ଭାରତବର୍ଷର ପରିକଳ୍ପନାକୁ ରୂପ ଦେବାକୁ ଯାଇ ପୂର୍ବସୂରିମାନେ ସରସ୍ୱତୀକୁ ମିଶାଇ ସାତଟି ନଦୀକୁ ଗୁରୁତ୍ୱ ଦେଇ ମନ୍ତ୍ର ନିର୍ମାଣ କଲେ- ‘ଗଙ୍ଗେ ଚ ଯମୁନେ ଚୈବ ଗୋଦାବରି ସରସ୍ୱତି। ନର୍ମଦେ ସିନ୍ଧୋକାବେରି ଜଳେଽସ୍ମିନ୍‌‌ ସନ୍ନିଧିଂ କୁରୁ।’ ଓଡ଼ିଶାରେ ପୌରାଣିକ-ପ୍ରମାଣାନୁସାରେ (ପଦ୍ମପୁରାଣାନ୍ତର୍ଗତ-ପ୍ରାଚୀମାହାତ୍ମ୍ୟମ୍‌‌) ପ୍ରାଚୀନଦୀକୁ ‘ପ୍ରାଚୀ-ସରସ୍ୱତୀ’ ବୋଲି କୁହାଯାଇଥାଏ।

ପୁନଶ୍ଚ ସେହି ଋଗ୍‌‌ବେଦୀୟ ଦେବୀସୂକ୍ତ ଓ ସରସ୍ୱତୀସୂକ୍ତର ଅନୁଶୀଳନରୁ ବୈଦିକଯୁଗୀୟ-ସରସ୍ୱତୀ-ଉପାସନାର ପରିଚୟ ମିଳେ। ଦେବୀସୂକ୍ତରେ ମହର୍ଷି ଅମ୍ଭୃଣଙ୍କ କନ୍ୟା ‘ବାକ୍‌‌’ଙ୍କୁ ଦେବୀଭାବରେ ଗ୍ରହଣ କରାଯାଇଛି ଓ ସେହି ଦେବୀ ନିଜେ ଘୋଷଣା କରିଛନ୍ତି- ‘ଅହଂ ରାଷ୍ଟ୍ରୀ ସଂଗମନୀ ବସୂନାଂ ଚିକିତୁଷୀ ପ୍ରଥମା ଯଜ୍ଞୀୟାନାମ୍‌‌। ତାଂ ମା ଦେବା ବ୍ୟଦଧୁଃ ପୁରୁତ୍ରା ଭୂରିସ୍ଥାତ୍ରାଂ ଭୂର୍ଯ୍ୟାବେଶୟନ୍ତୀମ୍‌‌’।।(୧୦/୮/୧୨୫) ଅର୍ଥାତ୍‌‌ ମୁଁ (ବାଗ୍‌‌ଦେବୀ) ହେଉଛି ସାରା ଜଗତର ଅଧୀଶ୍ୱରୀ, ନିଜ ଉପାସକମାନଙ୍କ ଧନପ୍ରାପ୍ତିକାରିଣୀ, ଜ୍ଞାନସମ୍ପନ୍ନା ତଥା ଯଜ୍ଞୋପାସ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠା। ମୋତେ ଦେବଗଣ ନାନାସ୍ଥାନରେ ସନ୍ନିବେଶିତ କରିଛନ୍ତି। ମୋର ନିବାସସ୍ଥଳ ଅତି ବିସ୍ତୃତ ଏବଂ ମୁଁ ସର୍ବଜୀବରେ ବିରାଜିତା।

ସେହିପରି ତତ୍ରସ୍ଥ ସରସ୍ୱତୀସୂକ୍ତରେ ଦେବୀ ସରସ୍ୱତୀଙ୍କୁ ଅନ୍ନଦାତ୍ରୀଭାବରେ ମଧ୍ୟ ସ୍ତୁତି କରାଯାଇଛି। ଯଥା- ‘ପାବକା ନଃ ସରସ୍ୱତୀ ବାଜେଭିର୍ବାଜିନୀବତୀ। ଯଜ୍ଞଂ ବଷ୍ଟୁ ଧିୟାବସୁ’।।(୧/୩/୧୦) ଅର୍ଥାତ୍‌‌ ହେ ପବିତ୍ରେ ଅନ୍ନମୟି ସରସ୍ୱତି! ହବି ପ୍ରଦାନ ଦ୍ୱାରା ଆମମାନଙ୍କ ଯଜ୍ଞକୁ ସଫଳ କରନ୍ତୁ। ଧୀଶକ୍ତିକୁ ସମୃଦ୍ଧ କରନ୍ତୁ। ସରସ୍ୱତୀଙ୍କ ବୀଜମନ୍ତ୍ର- ‘ଐଂ’ ବୋଲି ସରସ୍ୱତୀସୂକ୍ତରେ ଉଲ୍ଲେଖ ରହିଛି। ଏହି ‘ଐଂ’ର ଚାରିଟି ପାଦ ଯଥା- ପରା, ପଶ୍ୟନ୍ତୀ, ମଧ୍ୟମା ଓ ବୈଖରୀ- ରହିଛନ୍ତି। ସେଥିରୁ ପର-ପଶ୍ୟନ୍ତୀ-ମଧ୍ୟମା ସୂକ୍ଷ୍ମ ରୂପରେ ଜୀବର ହୃଦୟଗୁହାରେ ଅବସ୍ଥାନ କରୁଥିବା ବେଳେ କେବଳମାତ୍ର ମୁଖରୁ ବୈଖରୀ-ନାମ୍ନୀ ଚତୁର୍ଥ-ବାଣୀ ପ୍ରକାଶିତ ହୋଇଥା’ନ୍ତି।

ଶତପଥବ୍ରାହ୍ମଣ (୩/୯/୧-୭)ରେ ବାକ୍‌‌ ଓ ସରସ୍ୱତୀ ଅଭିନ୍ନ ଏବଂ ସେ ସାକ୍ଷାତ୍‌‌ ବ୍ରହ୍ମରୂପା ବୋଲି କୁହାଯାଇଛି- ‘ବାଗ୍‌‌ ବୈ ସରସ୍ୱତୀ। ବାଗ୍‌‌ ବୈ ବ୍ରହ୍ମ। ବାକ୍‌‌ ତୁ ସରସ୍ୱତୀ’। ପୁରାଣରେ ମଧ୍ୟ ସରସ୍ୱତୀ ଉଭୟ ଦେବୀ ଓ ନଦୀଭାବରେ ବର୍ଣ୍ଣିତା। ବ୍ରହ୍ମବୈବର୍ତ୍ତପୁରାଣ(ବ୍ରହ୍ମଖଣ୍ଡ-୩/୫୨-୬୩ର ଉଲ୍ଲେଖପ୍ରକାରେ ପରମାତ୍ମା ଶ୍ରୀକୃଷ୍ଣଙ୍କ ମୁଖରୁ ବୀଣାପୁସ୍ତକଧାରିଣୀ ଶୁକ୍ଲବର୍ଣ୍ଣା ବାଗ୍‌‌ଦେବୀ କବିଜନନୀ ସରସ୍ୱତୀଙ୍କ ସୃଷ୍ଟି ହୋଇଥିଲା। ଯଥା- ‘ଆବିର୍ବଭୂବ ତତ୍ପଶ୍ଚାନ୍ମୁଖତଃ ପରମାତ୍ମନଃ। ଏକା ଦେବୀ ଶୁକ୍ଲବର୍ଣ୍ଣା ବୀଣାପୁସ୍ତକଧାରିଣୀ।। ବାଗଧିଷ୍ଠାତୃଦେବୀ ସା କବୀନାମିଷ୍ଟଦେବତା। ଶୁଦ୍ଧ-ସତ୍ତ୍ୱ-ସ୍ୱରୂପା ଚ ଶାନ୍ତରୂପା ସରସ୍ୱତୀ।।’ ମତ୍ସ୍ୟପୁରାଣ(୩/୫-୮,୩୦-୩୨)ରେ ସରସ୍ୱତୀଙ୍କୁ ବ୍ରହ୍ମାଙ୍କ କନ୍ୟାଭାବରେ ବର୍ଣ୍ଣନା କରାଯାଇଛି। ଏଠାରେ ବ୍ରହ୍ମା ସାବିତ୍ରୀ-ନାମ୍ନୀ ସରସ୍ୱତୀଙ୍କୁ ଅର୍ଦ୍ଧାଙ୍ଗରୁ ଜାତ କରିଥିବାର ଉଲ୍ଲେଖ ରହିଛି। ତାଙ୍କର ଅନ୍ୟନାମ ସବୁ ହେଉଛି- ଶତରୂପା, ଗାୟତ୍ରୀ ଓ ବ୍ରହ୍ମାଣୀ। ବରାହ ପୁରାଣ ମତରେ ବ୍ରହ୍ମା-ବିଷ୍ଣୁ-ରୁଦ୍ରଙ୍କ ଦୃଷ୍ଟି-ଜ୍ୟୋତିରୁ ସରସ୍ୱତୀଙ୍କ ସୃଷ୍ଟି। ନାରଦ ପୁରାଣ ମତରେ ସରସ୍ୱତୀ ଧର୍ମଙ୍କ ମୁଖରୁ ଆବିର୍ଭୂତା। ତନ୍ତ୍ରଶାସ୍ତ୍ର ମତରେ ଆଦିଶକ୍ତିଙ୍କ ସତ୍ତ୍ୱଗୁଣରୁ ସରସ୍ୱତୀ, ରଜୋଗୁଣରୁ ଲକ୍ଷ୍ମୀ ଓ ତମୋଗୁଣରୁ କାଳୀଙ୍କ ପ୍ରକଟ ହୋଇଛି। ଏଠାରେ ସରସ୍ୱତୀଙ୍କ ବର୍ଣ୍ଣ ଶୁଭ୍ର ନ ହୋଇ ନୀଳ ଓ ସେ ନୀଳସରସ୍ୱତୀ ବା ତାରାଦେବୀ ଭାବରେ ପୂଜିତା। ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାନ୍ତର୍ଗତ-ଭୁଷଣ୍ଡପୁରସ୍ଥିତ ଉଗ୍ରତାରା ହେଉଛନ୍ତି ନୀଳସରସ୍ୱତୀ-ସ୍ୱରୂପା। ଶ୍ରୀଦୁର୍ଗାସପ୍ତଶତୀ-ଅନ୍ତର୍ଗତ ବୈକୃତିକ-ରହସ୍ୟରେ ମହାଲକ୍ଷ୍ମୀ-ମହାକାଳୀ-ମହାସରସ୍ୱତୀଙ୍କୁ ଅଭିନ୍ନ ବୋଲି କୁହାଯାଇଛି- ‘ମହାଲକ୍ଷ୍ମୀର୍ମହାକାଳୀ ସୈବ ପ୍ରୋକ୍ତା ସରସ୍ୱତୀ। ଈଶ୍ୱରୀ ପୁଣ୍ୟପାପାନାଂ ସର୍ବଲୋକମହେଶ୍ୱରୀ’।। ପୁନଶ୍ଚ ସପ୍ତଶତୀଗ୍ରନ୍ଥରେ ପ୍ରଥମ ଚରିତ୍ର-ମହାକାଳୀ, ମଧ୍ୟମ ଚରିତ୍ର-ମହାଲକ୍ଷ୍ମୀ ଓ ଉତ୍ତର ଚରିତ୍ର-ମହାସରସ୍ୱତୀ ବୋଲି ମଧ୍ୟ ବର୍ଣ୍ଣନା କରାଯାଇଛି।

ଶ୍ରୀସପ୍ତଶତୀଚଣ୍ଡୀ-ଅନ୍ତର୍ଗତ ପ୍ରାଧାନିକ-ରହସ୍ୟରେ ସରସ୍ୱତୀଙ୍କ ନାମ ଓ ରୂପର ବିଶଦ ଆଲେଖ୍ୟ ରହିଛି- ‘ଅକ୍ଷମାଳାଙ୍କୁଶଧରା ବୀଣାପୁସ୍ତକଧାରିଣୀ। ସା ବଭୂବ ବରା ନାରୀ ନାମାନ୍ୟସ୍ୟୈ ଚ ସା ଦଦୌ।। ମହାବିଦ୍ୟା ମହାବାଣୀ ଭାରତୀ ବାକ୍‌‌ ସରସ୍ୱତୀ। ଆର୍ଯ୍ୟା ବ୍ରାହ୍ମୀ କାମଧେନୁର୍ବେଦଗର୍ଭା ଚ ଧୀଶ୍ୱରୀ’।। ଏଥିରୁ ବୀଣା-ପୁସ୍ତକ-ଅକ୍ଷମାଳା ଯଥାକ୍ରମେ କଳା-ଶିକ୍ଷା-ଭକ୍ତିର ପ୍ରତୀକ ଭାବରେ ଏବଂ ଶୁଭ୍ରବର୍ଣ୍ଣ ସତ୍ତ୍ୱଗୁଣ-ଜ୍ଞାନାଲୋକ-ସଂସ୍କାରର ସଂକେତଭାବରେ ପ୍ରାୟତଃ ପ୍ରତି ସରସ୍ୱତୀ-ଧ୍ୟାନ-ଶ୍ଳୋକରେ ଦୃଶ୍ୟମାନ ହୁଅନ୍ତି। ବ୍ରହ୍ମବୈବର୍ତ୍ତ ପୁରାଣାନୁସାରେ (ପ୍ରକୃତିଖଣ୍ଡ-୪/୫୯-୯୧)- ମାଘ-ଶୁକ୍ଳ-ପଞ୍ଚମୀ-ଗୁରୁବାର-ପୂର୍ବାହ୍ଣରେ ସରସ୍ୱତୀଙ୍କ ଆବିର୍ଭାବ ଘଟିଥିବାରୁ ଏହି ତିଥିରେ (ଗୁରୁବାର ନ ଥିଲେ ସୁଦ୍ଧା) ତାଙ୍କର ସବିଧି-ପୂଜା କରଣୀୟ। ଯଥା- ‘ମାଘସ୍ୟ ଶୁକ୍ଳପଞ୍ଚମ୍ୟାଂ ବିଦ୍ୟାରମ୍ଭଦିନେଽପି ଚ। ପୂର୍ବାହ୍ନି ସଂଯମଂ କୃତ୍ୱା ତତ୍ରାହ୍ନି ସଂଯତଃ ଶୁଚିଃ’।। ସରସ୍ୱତୀଙ୍କର ବୀଣାର ନାମ କଚ୍ଛପୀ ହେବା ସହିତ ତାଙ୍କର ନଅଟି ଶକ୍ତି; ଯଥା- ‘ମେଧା ପ୍ରଜ୍ଞା ପ୍ରଭା ବିଦ୍ୟା ଧୀର୍ଧୃତିସ୍ତୁତିବୁଦ୍ଧୟଃ। ବିଦ୍ୟେଶ୍ୱରୀତି ସଂପ୍ରୋକ୍ତା ଭାରତ୍ୟା ନବଶକ୍ତୟଃ’।। ଅର୍ଥାତ୍‌‌ ମେଧା-ପ୍ରଜ୍ଞା-ପ୍ରଭା-ବିଦ୍ୟା-ଧୀ-ଧୃତି-ସ୍ତୁତି-ବୁଦ୍ଧି-ବିଦ୍ୟେଶ୍ୱରୀ-ଏହି ନଅଟି ହେଉଛନ୍ତି ସାରସ୍ୱତଶକ୍ତି।

ଓଡ଼ିଶାର ଝଙ୍କଡ଼ବାସିନୀ ସିଂହବାହିନୀ ଦେବୀ ଶାରଳା ଓ ଗଞ୍ଜାମର କୁଲାଡ଼ବାସିନୀ ବ୍ୟାଘ୍ରଦେବୀଙ୍କୁ ବାଗ୍‌‌ଦେବୀ ଭାବରେ ଉପାସନା କରାଯିବାର ପରମ୍ପରା ରହିଛି। ଆଦିକବି ସାରଳା ଦାସ ଓ କବିସମ୍ରାଟ୍‌‌ ଉପେନ୍ଦ୍ର ଭଞ୍ଜ ଯଥାକ୍ରମେ ଏହି ଦେବୀଦ୍ୱୟଙ୍କ କରୁଣାରୁ କବିତ୍ୱ-ପ୍ରାପ୍ତ ହୋଇଥିବା ଜନଶ୍ରୁତି ରହିଛି। ସେହିପରି କବିସୂର୍ଯ୍ୟ ବଳଦେବ ରଥଙ୍କ ଅଜା ପ୍ରସିଦ୍ଧ ତନ୍ତ୍ରବେତ୍ତା ପଣ୍ଡିତ ତ୍ରିପୁରାରି ଓତା ତାରାଦେବୀଙ୍କ ଉପାସନା କରୁଥିଲେ ଓ କବିସୂର୍ଯ୍ୟ ବଳଦେବ ସେହି ଦେବୀଙ୍କ କୃପା-ସ୍ରୁତ-ଦୁଗ୍ଧପାନ କରି ଅନନ୍ୟ କବିତ୍ୱଶକ୍ତିର ଅଧିକାରୀ ହୋଇଥିବା ଜଣାଯାଏ। ସଂସ୍କୃତ-ଅଷ୍ଟାପଦୀର ପ୍ରଣେତା କବିରାଜ ଜୟଦେବ ସ୍ୱରଚିତ ଗୀତଗୋବିନ୍ଦକୁ ‘ଜୟଦେବ-ସରସ୍ୱତୀ’ ବୋଲି କହିବା ସହିତ ନିଜକୁ ବାଗ୍‌‌ଦେବତା-ଚରିତ-ଚିତ୍ରିତ-ଚିତ୍ତ-ସଦ୍ମା ବୋଲି ଅଭିହିତ କରି ହରିକଥା ରଚନା କରିଥିବା ପ୍ରକାଶ କରିଛନ୍ତି। ଭଗବତୀ ଶାରଦାଙ୍କ କରୁଣାସାର-ସିକ୍ତ ମହାକବି କାଳିଦାସଙ୍କ ଭାଷାରେ-‘ସରସ୍ୱତୀ ଶ୍ରୁତିମହତୀ ମହୀୟତାମ୍‌‌’। ସେହି ବେଦପ୍ରତିଷ୍ଠିତା ତଥା ଅଜ୍ଞାନ-ଜଡ଼ତା-ରୂପକ-ଅନ୍ଧକାରର ବିନାଶିକା ଦେବୀ ସରସ୍ୱତୀଙ୍କ ଶ୍ରୀଚରଣରେ ଅଜସ୍ର ପ୍ରଣାମ। “ଶାରଦାମ୍ବୁଦଭା ଦେବୀ ଶାରଦାଽପାରସାରଦା। ପାରଦାମଳିନା ପାତୁ ବିଦାଂ ଜାଡ୍ୟାବ୍ଧିପାରଦା”।।

ଡାକ୍ତର କୃଷ୍ଣକେଶବ ଷଡ଼ଙ୍ଗୀ
ଭୁବନେଶ୍ୱର, ମୋ: ୯୪୩୭୫୬୬୩୨୪

Leave a comment