ସରିଲା ରମ୍ଜାନ୍ : ଆଜି ଇଦ୍-ଉଲ୍-ଫିତର୍ ପାଳୁଛନ୍ତି ମୁସଲିମ୍ ଭାଇ ଭଉଣୀ

ଭୁବନେଶ୍ୱର : ସରିଲା ଇସ୍ଲାମ୍ ଧର୍ମର ପବିତ୍ର ରମ୍ଜାନ୍ ମାସ। ଆଜି ଇସ୍ଲାମ୍ ସମ୍ପଦ୍ରାୟର ବଡ଼ ପର୍ବ ଇଦ୍-ଉଲ୍-ଫିତର। ୨ବର୍ଷର କରୋନା କଟକଣା ପରେ ଉତ୍ସାହ ଉଦ୍ଦୀପନାର ସହ ପାଳନ ହେଉଛି ଇଦ୍। ସାରା ରାଜ୍ୟରେ ମୁସଲମାନ ଧର୍ମାବଲମ୍ବୀମାନେ ପାଳନ କରୁଛନ୍ତି ଇଦ୍। ଗତକାଲି ସନ୍ଧ୍ୟା ୬ଟା ୧୩ ମିନିଟ୍ରେ ଚାନ୍ଦ (ଚନ୍ଦ୍ର) ଦେଖିବା ପରେ ଚାନ୍ଦ କମିଟି ଆଜି ଇଦ୍-ଉଲ୍-ଫିତର ପାଳନ ପାଇଁ ଘୋଷଣା କରିଥିଲା।
କରୋନା କଟକଣା କୋହଳ ହେବାରୁ ପ୍ରାୟ ୨ବର୍ଷ ପରେ ଏକାଠି ହୋଇଛନ୍ତି ମୁସଲିମ୍ ଭାଇ ଭଉଣୀମାନେ । ମସ୍ଜିଦ୍ ଯାଇ ନମାଜ ପାଠ କରିବା ସହିତ ଘରେ ପ୍ରସ୍ତୁତ କରୁଛନ୍ତି ସୁସ୍ୱାଦୁ ବ୍ୟଞ୍ଜନ । ରଙ୍ଗ ବେରଙ୍ଗର ପୋଷାକ ସହ ଗହଳିରେ ବାରି ହୋଇପଡ଼ୁଛି ଅତରର ବାସ୍ନା । ରାସ୍ତାଘାଟରେ ଦେଖିବାକୁ ମିଳୁଛି ମୁସଲିମ୍ ଭାଇଙ୍କ ଆଲିଙ୍ଗନର ଦୃଶ୍ୟ । କରୋନା କଟକଣା ହଟିବା ପରେ ଚମକିଛି ଇଦ୍ ପର୍ବ । ଗୋଟିଏ ମାସ ଯାଏ ରୋଜା (ଉପବାସ) ରଖିବା ପରେ ମସଜିଦ୍ରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଇଦ୍ ଗାହା ବା ଖୋଲା ପଡ଼ିଆକୁ ଯାଇ ସମୂହ ନମାଜ ପାଠ କରୁଛନ୍ତି।
ଆଜି ସକାଳ ୮ଟା ୪୫ମିନିଟ୍ରୁ ସାଢ଼େ ୯ଟା ଭିତରେ ସମସ୍ତ ମସ୍ଜିଦରେ ନମାଜ ପାଠ କରାଯାଇଛି। ଆଲୋକମାଳାରେ ସଜେଇ ହୋଇଛି ଭୁବନେଶ୍ୱରର ସମସ୍ତ ମସଜିଦ୍। ରାଜଧାନୀସ୍ଥିତ ୟୁନିଟ୍-୪ କ୍ୟାପିଟାଲ୍ ମସ୍ଜିଦ୍, ଜୁମା ମସ୍ଜିଦ୍, ସତ୍ୟନଗରସ୍ଥିତ ମସ୍ଜିଦ୍-ଇ ଫେମିଦା ଯଦୁପୁର, ୟୁନିଟ୍-୩, ସୈନିକ ସ୍କୁଲ ଏରିଆ, ସୁନ୍ଦରପଦା, ଜଟଣୀ ବଡ଼ି ମସଜିଦ୍, ଇଦ୍ଗାହ ପଡ଼ିଆ, ବେଣାପଞ୍ଜରୀ, ତରାବୋଇ ଓ ରଥିପୁର ଇଦ୍ଗାହ ପଡ଼ିଆରେ ଇଦ୍ ନମାଜ ୯ଟାରୁ ୧୦ ମଧ୍ୟରେ ପଢାଯାଇଛି।