ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଦେଶକୁ ରପ୍ତାନି ହେଉଛି ହନୁମାନ ପଇସା, ୫ ଲକ୍ଷ ପର୍ଯ୍ୟନ୍ତ ମୂଲଚାଲ୍‍ ହେଉଛି ନକଲି ମୁଦ୍ରା

ଭୁବନେଶ୍ୱର : ହନୁମାନ ପଇସା କାରବାରକୁ ନେଇ ସାରାରାଜ୍ୟରେ ଅପରାଧ ବୃଦ୍ଧି ହେଉଛି। ଉପାନ୍ତ ଜିଲ୍ଲା ପରେ ଏବେ ରାଜଧାନୀରେ ହନୁମାନ ଓ ପୁରୁଣା ଟଙ୍କାକୁ ଆଳ କରି କିଛି ରାକେଟ୍‍ ସକ୍ରିୟ ହୋଇଛନ୍ତି। ହନୁମାନ ପଇସା ଦେବାକୁ କହି ଦୁର୍ବୃତ୍ତ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି। ଆଉ ଟଙ୍କା ନେବା ପରେ ଦଲାଲ ହନୁମାନ ଟଙ୍କା ନ ଦେଇ ଫେରାର୍‍ ହୋଇଯାଉଛି। ତେଣୁ ଏହାକୁ କେନ୍ଦ୍ରକରି କେଉଁଠି ଅପହରଣ ତ ଆଉ କେଉଁଠି ହତ୍ୟା ଭଳି ସାଂଘାତିକ ଘଟଣା ଘଟୁଛି। ଅଧିକାଂଶ କ୍ଷେତ୍ରରେ ହନୁମାନ ପଇସା ଆଳରେ ନକଲି ପଇସା ଦେଖାଇ ଲୁଟ୍‍ପାଟ କରୁଛନ୍ତି ଦୁର୍ବୃତ୍ତ।

ଗତ ସପ୍ତାହ ତଳେ ତମାଣ୍ଡୋ ଥାନା ଅଞ୍ଚଳରେ ହନୁମାନ ଟଙ୍କାକୁ କେନ୍ଦ୍ରକରି ଜଣେ ଯୁବକକୁ ଅପହରଣ କରିବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ଏହି ଘଟଣାରେ କମିସନରେଟ ପୁଲିସ ୪ଜଣଙ୍କୁ ଗିରଫ କରିବା ସହ ଏଥିରେ ସମ୍ପୃକ୍ତି ରହିଥିବା ଆଉ କିଛି ଅଭିଯୁକ୍ତଙ୍କୁ ଖୋଜୁଛି। କିନ୍ତୁ ଶେଷ ସମୟରେ ପୁଲିସ ଜାଣିବାକୁ ପାଇଥିଲା ସେ ପ୍ରକୃତ୍‍ରେ ହନୁମାନ ପଇସା କେହି ଦେଖିନାହାନ୍ତି। ବରଂ ହନୁମାନ ପଇସା ଆଳରେ ଠକେଇ ଓ ଅପହରଣ କରାଯାଇଥିଲା। ଅପରପକ୍ଷେ ରାଜଧାନୀରେ ଏବେ ହନୁମାନ ପଇସା ଆଳରେ କେତେକ ରାକେଟ୍‍ ସକ୍ରିୟ ରହିଥିବା ଅଭିଯୋଗ ହୋଇଛି। ସେହିପରି ରାଜଧାନୀରେ ପୂର୍ବରୁ ହନୁମାନ ଟଙ୍କାକୁ କେନ୍ଦ୍ରକରି ହତ୍ୟା ଘଟଣା ବି ରହିଛି। ସେଭଳି ହନୁମାନ ଓ ଅନ୍ୟ ଦେବାଦେବୀଙ୍କ ନାଁରେ ରହିଥିବା ପୁରୁଣା ପଇସା ରାକେଟ୍‍ ପର୍ଦ୍ଦାଫାସ କରିଥିଲା କମିସନରେଟ ପୁଲିସ। କିନ୍ତୁ କିଛିଦିନ ହେବା ଏଥିରେ ସମାନ୍ୟ ଶିଥଳତା ପଡ଼ିବା ପରେ ପୁଣି ଏହି ରାକେଟ୍‍ ସକ୍ରିୟ ହୋଇଛନ୍ତି।

ଓଡ଼ିଶାରୁ ବିଦେଶକୁ ଲମ୍ବିଛି ହନୁମାନ ଟଙ୍କା କାରବାରର ଚେର। ଏମିତିକି ଚୀନ୍‍, ବାଂଲାଦେଶ, ମିଆଁମାର୍‍, ଜାପାନ ଭଳି ଦେଶକୁ ରପ୍ତାନି କରାଯାଉଥିବା ଜଣାପଡ଼ିଛି। ସେହିପରି ପଶ୍ଚିମବଙ୍ଗ, ଛତିଶଗଡ଼ ଦିଲ୍ଲୀ, ମୁମ୍ବାଇ ସମେତ ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡିକୁ ଚାଲାଣ ହେଉଛି। ତେବେ ଗୋଟିଏ ଗୋଟିଏ ହନୁମାନ ପଇସାକୁ ୫ଲକ୍ଷରୁ ଅଧିକ ଟଙ୍କାରେ ମୂଲଚାଲ୍‍ ହେଉଛି। ଅନ୍ୟପଟେ ଗଞ୍ଜାମ, ମାଲକାନଗିରି, କନ୍ଧମାଳ, ଭଦ୍ରକ, କଳାହାଣ୍ଡି, ଦ୍ୱୈତନଗରୀ ଭଳି ୭ଟି ଜିଲ୍ଲାରେ ହନୁମାନ ପଇସାକୁ ନେଇ ଅନେକ ଅପରାଧ ଘଟିଛି। କିଛିଦିନ ତଳେ ବ୍ରହ୍ମପୁରରେ କିଛି ହନୁମାନ ପଇସାକୁ ୨ କୋଟି ଟଙ୍କାରେ ମୂଲଚାଲ ସମୟରେ ପୁଲିସ ମାଡ଼ି ବସିଥିଲା। ସେଭଳି ଭଦ୍ରକ ଓ ମାଲକାନଗିରି ବି ପୁଲିସ ହନୁମାନ ପଇସା ରାକେଟ୍‍କୁ କାବୁ କରିଥିଲା। ତେବେ ରାତାରାତି କୋଟିପତି ହେବାର ଲୋଭରେ ଅପାଠୁଆ ଯୁବପିଢି ଫସିଯାଉଛନ୍ତି। ଏପରିକି ବାରମ୍ୱାର ସଚେତନ ସତ୍ତ୍ବେ ବି ଯୁବପିଢ଼ି ଏଥିରେ କବଳିତ ହେଉଛନ୍ତି। ସେପଟେ ହନୁମାନ ପଇସା କାରବାର କରି ଟଙ୍କା ଲୋଭରେ ବଶବର୍ତ୍ତୀ ନ ହୋଇ ବୈଜ୍ଞାନିକ ପ୍ରମାଣକୁ ବିଶ୍ୱାସ କରିବାକୁ ପରାମର୍ଶ ଦେଇଛି ପୁଲିସ।

ପୁରୁଣା ଟଙ୍କାରେ ରହିଛି ଚୁମ୍ବକୀୟ ଶକ୍ତି

ପୁରୁଣା ହନୁମାନ ପଇସାରେ ଅଲୌକିକ ଘରେ ରଖିଲେ ଧନ ବଢ଼଼ିଥାଏ ବୋଲି ବିଦେଶରେ ପୁରୁଣା ଟଙ୍କା ଖୋଜୁଥିବା ବ୍ୟକ୍ତିଙ୍କ ବିଶ୍ୱାସ ରହିଛି। ତେଣୁ ହନୁମାନ ପଇସା ଓ ପୁରୁଣା ସଂଗ୍ରହ କରି ଅଧିକ ଟଙ୍କା ଆଶାରେ ଆନ୍ତଃରାଜ୍ୟ ରାକେଟ୍‍ ସକ୍ରିୟ ହୋଇଛନ୍ତି। କିନ୍ତୁ ଏଭଳି ହନୁମାନ କିମ୍ବା ପୁରୁଣା ମୁଦ୍ରା ପଛରେ କୌଣସି ଶକ୍ତି ନ ଥାଏ ବୋଲି ପୁଲିସ କହିଛି। ସେହିପରି ପୁରୁଣା ଟଙ୍କାଗୁଡ଼ିକରେ ଅନେକ ମୂଲ୍ୟବାନ ଧାତୁ ଥିବାରୁ ଚୁମ୍ୱକୀୟ ଆକର୍ଷଣ ଯୋଗୁଁ ଅନେକାଂଶରେ ଅନେକ ସାମଗ୍ରୀକୁ ନିଜ ଆଡ଼କୁ ଆକର୍ଷିତ କରୁଥିଲା। ତେଣୁ ଏହାକୁ ଅନ୍ୟମାନେ ଆଲୌକିକ ଶକ୍ତି ଭାବି ଏହାର ଦାମ ବୃଦ୍ଧି କରିବା ସହ ବିଦେଶକୁ ଚାଲାଣ କରୁଛନ୍ତି। ଟଙ୍କା ଲୋଭରେ ଯୁବପିଢି ଅନେକ ଅପରାଧରେ ସଂଶ୍ଲିଷ୍ଟ ରହୁଥିବା ଦେଖାଯାଉଛି।

ହନୁମାନ ପଇସାରେ ୧୮୧୮ ମସିହା ଲେଖାଥିବା ଚାହିଦା କହି ଠକେଇ

ହହନୁମାନ ପଇସା ଚାହିଦା ବଢ଼଼ିବା ସକ୍ରିୟ ହୋଇଛନ୍ତି ଦଲାଲ। ୧୮୧୮ ମସିହା ଲେଖା ହୋଇଥିବା ହନୁମାନ ପଇସାର ଚାହିଦା ଅଧିକ ରହିଥିବା ଦଲାଲ ପ୍ରଥମେ ଗୁଜବ କରୁଛନ୍ତି। ଏମିତିକି ସାମାଜିକ ଗଣମାଧ୍ୟମରେ ଏସମ୍ପର୍କିତ ଭିଡିଓ ଭାଇରାଲ୍‍ କରୁଛନ୍ତି। ତେଣୁ କିଛି ଯୁବକ ହନୁମାନ ଟଙ୍କାରେ ୧୮୧୮ ମସିହାକୁ ନକଲି କରିଦେଉଛନ୍ତି। ଏହାପରେ ଉକ୍ତ ଟଙ୍କାକୁ ଅସଲ ହନୁମାନଙ୍କ ପଇସା କହି ଦଲାଲଙ୍କୁ ଦେଖାଇ ଦେଉଛନ୍ତି। ଏପରି କରି ଲକ୍ଷ ଲକ୍ଷ ଟଙ୍କା ନେଇ ଫେରାର୍‍ ହୋଇଯାଉଛନ୍ତି ଦୁର୍ବୃତ୍ତ। ଫଳରେ ଦଲାଲ ନକଲି ହନୁମାନ ପଇସାକୁ ଧରି ବୁଲିବା ସହ ଦୁର୍ବୃତ୍ତଙ୍କୁ ଖୋଜୁଛି। ତେବେ ଦଲାଲଙ୍କ ହାବୁଡ଼ରେ ପଡ଼ିଲେ କେଉଁଠି ଅପହରଣ ପରେ ମୁଣ୍ଡଜାମିନ୍‍ ରହୁଛି ତ ଆଉ କେଉଁଠି ମୁଣ୍ଡ ଗଢ଼ୁଛି। ତେଣୁ ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ପୁଲିସ।

Leave A Reply

Your email address will not be published.