ରାଜଧାନୀରେ ହନୁମାନ ଓ ପୁରୁଣା ମୁଦ୍ରା ରାକେଟ୍ ସକ୍ରିୟ, ଟଙ୍କା ମୂଲଚାଲ୍କୁ କେନ୍ଦ୍ରକରି ବଢ଼ୁଛି ଅପରାଧ

ଭୁବନେଶ୍ୱର: ରାଜଧାନୀ ତଥା ରାଜଧାନୀ ଉପକଣ୍ଠ ଅଞ୍ଚଳରେ ହନୁମାନ ଓ ପୁରୁଣା ମୁଦ୍ରା ରାକେଟ୍ ସକ୍ରିୟ ହେବା ସହ ଏହାକୁ କେନ୍ଦ୍ରକରି ଅପରାଧ ମଧ୍ୟ ବଢ଼଼ିବାରେ ଲାଗିଛି। ପୁରୁଣା ମୁଦ୍ରା ଯୋଗାଡ଼ ଓ ଟଙ୍କା ମୂଲଚାଲ୍କୁ କେନ୍ଦ୍ରକରି କେଉଁଠି ଅପହରଣ ତ ଆଉ କେଉଁଠି ହତ୍ୟା ଭଳି ସାଂଘାତିକ ଘଟଣା ସାମନାକୁ ଆସୁଛି। କିଛିଦିନ ତଳେ ତମାଣ୍ଡୋ ଥାନା, ସହିଦ ନଗର ଓ ଖଣ୍ଡଗିରି ଥାନା ଅଞ୍ଚଳରେ ହନୁମାନ ଟଙ୍କାକୁ କେନ୍ଦ୍ରକରି ଯୁବକଙ୍କୁ ଅପହରଣ ପରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ଏହି ଗୋଟିଏ ଘଟଣା ନୁହେଁ ବରଂ ରାଜଧାନୀରେ ଏବେ ହନୁମାନ ଓ ଅନ୍ୟ ଦେବଦେବୀଙ୍କ ନାମରେ ରହିଥିବା ପୁରୁଣା ଟଙ୍କା ରାକେଟ୍ ସକ୍ରିୟ ହୋଇଛନ୍ତି। ପୁଲିସର ସୂଚନା ଅନୁଯାୟୀ ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏଭଳି ମୁଦ୍ରା ପଶ୍ଚିମବଙ୍ଗ, ଛତିଶଗଡ଼ ଦିଲ୍ଲୀ, ମୁମ୍ବଇକୁ ଚାଲାଣ ହେଉଛି। ଏପରିକି ବିଦେଶକୁ ମଧ୍ୟ ହନୁମାନ ଟଙ୍କା କାରବାରର ଚେର ଲମ୍ବିଛି। ଚୀନ୍, ବାଂଲାଦେଶ, ମିଆଁମାର୍, ଜାପାନ ଭଳି ଦେଶକୁ ଚାଲାଣ କରାଯାଉଛି। ଏଥିସହିତ ୩ଲକ୍ଷ ଟଙ୍କାରେ ଏହି ପୁରୁଣା ଟଙ୍କା ମୂଲଚାଲ୍ ହେଉଛି।
କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ ଗଞ୍ଜାମ, ମାଲକାନଗିରି, କନ୍ଧମାଳ, ଭଦ୍ରକ, କଳାହାଣ୍ଡି, କଟକ ଭଳି ୧୦ ଜିଲ୍ଲାରେ ହନୁମାନ ଟଙ୍କାକୁ ନେଇ ଅନେକ ଅପରାଧ ଘଟଣା ଘଟିଛି। ବ୍ରହ୍ମପୁରରେ କିଛି ହନୁମାନ ଟଙ୍କାକୁ ୨ କୋଟି ଟଙ୍କାରେ ମୂଲଚାଲ୍ ବେଳେ କାବୁ କରିଥିଲା ପୁଲିସ। ସେପଟେ ରାତାରାତି କୋଟିପତି ହେବାର ଲୋଭରେ କିଛି ବ୍ୟକ୍ତି ଫସିଯାଉଛନ୍ତି। ବାରମ୍ୱାର ସଚେତନ ସତ୍ତ୍ବେ ଅଧିକ ଯୁବକି ଏଥିରେ କବଳିତ ହେଉଛନ୍ତି। ଟଙ୍କା ଲୋଭରେ ବଶବର୍ତ୍ତୀ ନ ହୋଇ ବୈଜ୍ଞାନିକ ପ୍ରମାଣକୁ ବିଶ୍ୱାସ କରନ୍ତୁ। ବିରଳ ମୁଦ୍ରା ଓ ପୁରୁଣା ଟଙ୍କା କାରବାର ଠାରୁ ଦୂରେଇ ରୁହନ୍ତୁ ବୋଲି ପରାମର୍ଶ ଦେଇଛି ପୁଲିସ। ଇଂରେଜ ଅମଳର ଟଙ୍କାକୁ ଏବେ ବି ଅନେକ ଲୋକ ନିଜ ଘରେ ସାଇତି ରଖିଛନ୍ତି। ସେଇ ବ୍ୟକ୍ତିଙ୍କୁ ଟଙ୍କାର ଲୋଭ ଦେଖାଇ କିଛି ଦଲାଲ୍ ନେଇଯାଉଥିବା ବେଳେ ଆଉ କିଛି ଅଭିଯୁକ୍ତ ପୁରୁଣା ମନ୍ଦିରରୁ ବିରଳ ମୁଦ୍ରା ଚୋରି କରୁଛନ୍ତି।
ଚାହିଦାରେ ‘୧୮୧୮’ ମୁଦ୍ରା
ହନୁମାନ ଟଙ୍କା ଚାହିଦା ବଢ଼଼ିବା ସହ ଦଲାଲ୍ ସକ୍ରିୟ ହୋଇଛନ୍ତି। ୧୮୧୮ ମସିହା ଲେଖାଥିବା ହନୁମାନ ଟଙ୍କାର ଚାହିଦା ଅଧିକ ରହିଥିବା ପ୍ରଚାର କରୁଛନ୍ତି ଦଲାଲ। ଏ ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି। ଏଣୁ କିଛି ଯୁବକ ହନୁମାନ ଟଙ୍କାରେ ୧୮୧୮ ମସିହାକୁ ନକଲି କରି ଦେଉଛନ୍ତି। ଉକ୍ତ ଟଙ୍କାକୁ ଅସଲ ହନୁମାନ ଟଙ୍କା କହି ଦଲାଲ୍ଙ୍କୁ ଦେଇ ଟଙ୍କା ନେଇ ଦୁର୍ବୃତ୍ତ ଛୁ ହୋଇଯାଉଛନ୍ତି। ଆଉ ଦଲାଲ ନକଲି ହନୁମାନ ଟଙ୍କା ଜାଣିବା ପରେ ହରଡ଼ଘଣାରେ ପଡ଼ି ନକଲି ଟଙ୍କା ଦେଇଥିବା ଯୁବକଙ୍କୁ ଖୋଜୁଛି। ନକଲି ଟଙ୍କା ଦେଇଥିବା ଯୁବକ ଦଲାଲଙ୍କ ହାବୁଡ଼ରେ ପଡ଼ିଲେ କେଉଁଠି ଅପହରଣ ପରେ ମୁଣ୍ଡଜାମିନ ରହୁ୍ଥିବା ମଧ୍ୟ ଜାଣିବାକୁ ମିଳୁଛି।
ପୁରୁଣା ଟଙ୍କାରେ ଚୁମ୍ବକୀୟ ଶକ୍ତି
ଦଲାଲ୍ ଖୋଜୁଥିବା ପୁରୁଣା ଟଙ୍କାଗୁଡ଼ିକର ଚାହିଦା ବିଦେଶରେ ଢେର୍ ରହିଛି। ବିଦେଶରେ ଏହି ଟଙ୍କାକୁ ଦେଇ ଦଲାଲ ହେଉଛନ୍ତି ମାଲାମାଲ୍। ପୁରୁଣା ଟଙ୍କାରେ ଅଲୌକିକ ଶକ୍ତି ରହିଛି। ଘରେ ଏଇ ଟଙ୍କା ରଖିଲେ ଧନ ସମ୍ପତ୍ତି ବଢ଼଼ିଥାଏ ବୋଲି ବିଶ୍ୱାସ ରହିଛି। ଏଣୁ ହନୁମାନ ଟଙ୍କା ଓ ପୁରୁଣା ଟଙ୍କା ସଂଗ୍ରହ କରି ଅଧିକ ଟଙ୍କା ଆଶାରେ ଆନ୍ତଃରାଜ୍ୟ ରାକେଟ୍ ସକ୍ରିୟ ହୋଇଛନ୍ତି। ମାତ୍ର ହନୁମାନ କିମ୍ବା ପୁରୁଣା ଟଙ୍କା ପଛରେ କୌଣସି ଅଦୃଶ୍ୟ ଶକ୍ତି ନ ଥାଏ ବୋଲି ମତ ରଖିଛନ୍ତି ବୈଜ୍ଞାନିକ। ସେହିପରି ପୁରୁଣା ଟଙ୍କାଗୁଡ଼ିକରେ ଅନେକ ମୂଲ୍ୟବାନ ଧାତୁ ଥିବାରୁ ଚୁମ୍ୱକୀୟ ଆକର୍ଷଣ ଯୋଗୁଁ ଅନେକ ସାମଗ୍ରୀକୁ ନିଜ ଆଡ଼କୁ ଆକର୍ଷିତ କରୁଥିଲା। ଏହାକୁ ଅନ୍ୟମାନେ ଅଲୌକିକ ଶକ୍ତି ଭାବି ଏହାର ଦାମ୍ ବୃଦ୍ଧି କରିବା ସହ ବିଦେଶକୁ ଚାଲାଣ କରାଯାଉଛି।