ହନୁମାନ ଚାଳିଶାକୁ ନେଇ ରାଜନୀତି: ବିଧାୟକ ରବି ରାଣା ଏବଂ ସାଂସଦ ପତ୍ନୀ ନବନୀତ୍ ରାଣାଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

ମୁମ୍ବାଇ: ହନୁମାନ ଚାଳିଶା ବିବାଦରେ ସାଂସଦ ନବନୀତ ରାଣା ଓ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ଗିରଫ କରିଛି ପୁଲିସ । ଉଭୟଙ୍କୁ ଖାର ଥାନାକୁ ନିଆଯାଇଥିବା ସୂଚନା ମିଳିଛି । କିଛି ସମୟ ପୂର୍ବରୁ ରାଣା ଦମ୍ପତିଙ୍କ ବାସଭବନରେ ପହଞ୍ଚିଥିଲା ମୁମ୍ବାଇ ପୁଲିସର ଏକ ଟିମ । ତେବେ କିଛି ସମୟର ପଚରାଉଚରା ପରେ ଉଭୟଙ୍କୁ ପୁଲିସ ଥାନାକୁ ନେଇଥିଲା। ଉଭୟଙ୍କୁ ଗିରଫ କରାଯିବା ସହ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ହନୁମାନ ଚାଳିଶାକୁ ନେଇ ମହାରାଷ୍ଟ୍ରରେ ଏବେ ରାଜନୀତି ସରଗରମ ହୋଇପଡିଛି । ରାଣା ଦମ୍ପତ୍ତି ମୁମ୍ୱାଇରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବା ପାଇଁ ଘୋଷଣା କରିଥିଲେ। ଏହାପରେ ଶିବସେନାର କିଛି କାର୍ଯ୍ୟକର୍ତ୍ତା ନବନୀତ ରାଣାଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପୁଲିସ କର୍ମୀଙ୍କ ସହ ମୁହାଁମୁହିଁ ମଧ୍ୟ ହୋଇଥିଲେ। ଏହାରି ଭିତରେ ଅମରାବତୀ ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ମୁମ୍ୱାଇ ପୁଲିସ ଗିରଫ କରିଛି ।

ସେପଟେ ନବନୀତ ଗିରଫ ସମୟର ଏକ ଭିଡିଓ ଜାରି କରି କହିଛନ୍ତି କି, ତାଙ୍କୁ ପୁଲିସ ଜୋର ଜବରଦସ୍ତ ଥାନାକୁ ନେଇ ଯାଇଛି । ଏହାସହ ସେ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଡନାଭିସ ଓ ନାରାୟଣ ରାଣେଙ୍କୁ ସହାୟତା ମାଗିଛନ୍ତି । ସେ କହିଛନ୍ତି କି ଲୋକତନ୍ତ୍ରକୁ ରକ୍ଷା କରିବାକୁ ତାଙ୍କୁ ସୁଯୋଗ ଦିଆଯାଉ । ମହାରାଷ୍ଟ୍ର ସରକାର ଲୋକଙ୍କୁ ସେମାନଙ୍କ ମତ ରଖିବାର ସୁଯୋଗ ଦେଉ ନଥିବା କଥା ସେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ରାଣା ଦମ୍ପତ୍ତିଙ୍କ ଅଭିଯୋଗ ଉପରେ ଶିବସେନା ନେତା ସଞ୍ଜୟ ରାୱତ କହିଛନ୍ତି, ତାଙ୍କ ଦଳ ସହ ଲାଗିବା ଏହି ଲୋକଙ୍କୁ ମହଙ୍ଗା ପଡିବ। ସାଂସଦ-ବିଧାୟକ ଦମ୍ପତ୍ତିଙ୍କ ନାଁ ନନେଇ ଏବଂ ସି-ଗ୍ରେଡ ଫିଲ୍ମର ଲୋକ ଶବ୍ଦ ବ୍ୟବହାର କରି ରାୱତ କହିଛନ୍ତି, ଶିବସେନାକୁ ହିନ୍ଦୁତ୍ୱ ଶିଖାଇବା ଦରକାର ନାହିଁ।

Leave a comment