ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଭ୍ୟାସଗତ ଆଇନ ଉଲ୍ଲଘଂନକାରୀ ଜୟନାରାୟଣଙ୍କୁ ସବୁ ମହଲରେ ନିନ୍ଦା..

ଭୁବନେଶ୍ୱର: ଓଡ଼ିଶା ରାଜନୀତିକୁ କଳଙ୍କିତ କରିବା ପାଇଁ ଭାରତୀୟ ଜନତା ପାର୍ଟିର ନେତା କାହାକୁ ବଳିଯିବେ ନାହିଁ। ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଗୋଟିଏ ପରେ ଗୋଟିଏ କୁତ୍ସିତ ଅଧ୍ୟାୟ ଆରମ୍ଭ କରୁଛନ୍ତି। ସମ୍ବଲପୁରରେ ଆନ୍ଦୋଳନ ନାମରେ ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେପରି ଭାବେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ ତଥା ଅସଦାଚରଣ କଲେ ତାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବିଶେଷକରି ଶ୍ରୀ ମିଶ୍ର ଯେପରି ଭାବେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି ତାହା ସମଗ୍ର ଓଡ଼ିଶାକୁ ଲଜ୍ଜିତ କରୁଛି ବୋଲି ମତପ୍ରକାଶ ପାଇଛି।

ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଅପରାଧିକ କାର୍ଯ୍ୟକଳାପର ତାଲିକା ବେଶ୍‌‌ ଲମ୍ବା। ପ୍ରତିବର୍ଷ ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ପୁଲିସ ନିର୍ଦ୍ଦେଶକୁ ବେଖାତିର କରି ମାରଣାସ୍ତ୍ର ଧରି ପ୍ରଦର୍ଶନ କରିବା ନେଇ ଶ୍ରୀ ମିଶ୍ର ଅନେକ ହଙ୍ଗାମା କରିଛନ୍ତି। ତେବେ ପୁଲିସ ଉପରେ ତାଙ୍କର ସତେ ଯେପରି ବଡ଼ ରାଗ ରହିଛି। ଖଣ୍ଡା ବୁଲାକୁ ବିରୋଧ କରିବାରୁ ଶ୍ରୀ ମିଶ୍ର ଜିଲ୍ଲା ଏସ୍‌‌ପିଙ୍କ ଉପରକୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଏ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେହିପରି ବରଗଡ଼ ଉପନିର୍ବାଚନ ସମୟରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଭାଇ ଏବଂ ତାଙ୍କ ସମର୍ଥକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ମାମଲାରେ ଶ୍ରୀ ମିଶ୍ର ଛନ୍ଦି ହୋଇଛନ୍ତି। ୨୦୨୦ ମସିହାରେ ଜୁଲାଇ ମାସରେ କୋଭିଡ୍‌‌ ନିୟମ ଭଙ୍ଗ କରି ଶୋଭାଯାତ୍ରା କରିବା ଅଭିଯୋଗରେ ଶ୍ରୀ ମିଶ୍ରଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ୨୦୧୬ ମସିହାରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ କାର୍‌‌କେଡ୍‌‌କୁ ପିଛା କରୁଥିବା ସମୟରେ ସୁରକ୍ଷା ଦୃଷ୍ଟିରୁ ଶ୍ରୀ ମିଶ୍ରଙ୍କ ଗାଡ଼ିକୁ ଅଟକାଇବାରୁ ସେ ହୀରାକୁଦ ଥାନା ଆଇଆଇସି ତୋଫାନ ବାଗ୍‌‌ଙ୍କୁ ଠେଲାପେଲା କରିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ୨୦୧୩ରେ ଜଣେ ଡିଏସ୍‌‌ପିଙ୍କୁ ଅସଦାଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ମଧ୍ୟ ଶ୍ରୀ ମିଶ୍ର ଏବଂ ତାଙ୍କ ସମର୍ଥକଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ଗତବର୍ଷ ଜଣେ ତହସିଲଦାରଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିବାରୁ ତାଙ୍କ ନାମରେ ମାମଲା ରହିଛି।

କେବଳ ବାହାରେ ନୁହେଁ; ବିଧାନସଭା ଭିତରେ ବି ଶ୍ରୀ ମିଶ୍ର ହଙ୍ଗାମା କରିବାର ଅନେକ ନଜିର ରହିଛି। ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଜଣେ ପୁଲିସ କର୍ମଚାରୀ ଅଭିଯୁକ୍ତ ହେବା ପରେ ଶ୍ରୀ ମିଶ୍ର ସମଗ୍ର ପୁଲିସ ବିଭାଗକୁ ନିନ୍ଦିତ କରିବା ସହ ନିଜ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ଫେରାଇ ଦେଇଥିଲେ। ସମଗ୍ର ପୁଲିସ ପ୍ରଶାସନ ପ୍ରତି ଏହା ଅପମାନ ହୋଇଥିବାରୁ ରାଜ୍ୟ ସିପାହୀ ସଂଘ ବିରୋଧୀ ଦଳ ନେତାଙ୍କୁ ତୀବ୍ର ଭର୍ତ୍ସନା କରିବା ସହିତ କ୍ଷମା ପ୍ରାର୍ଥନା ଦାବି କରିଥିଲା। ଏସବୁ ଘଟଣା ପୁଲିସ୍‌‌ ଓ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ତାଙ୍କର ଅସମ୍ମାନ ତଥା ଅସହିଷ୍ଣୁତାକୁ ସ୍ପଷ୍ଟ କରୁଛି ବୋଲି ମତ ପ୍ରକାଶ ପାଇଛି।

ପିନାକୀ ମିଶ୍ର, ଲୋକସଭା ସାଂସଦ

ହତ୍ୟା ମାମଲାରେ ଜେଲ୍‌‌ରୁ ମୁକୁଳିବା ପରେ ବିଜେପି ନେତା ଜୟନାରାୟଣ ମିଶ୍ର ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। କିନ୍ତୁ ଆଜି ଜଣେ କର୍ତ୍ତବ୍ୟରତ ମହିଳା ଅଧିକାରୀଙ୍କ ପ୍ରତି ଅତ୍ୟନ୍ତ ଅଭଦ୍ରୋଚିତ ଆଚରଣ ପ୍ରଦର୍ଶନ କରି ସେ ସବୁ ସୀମାକୁ ଟପି ଯାଇଛନ୍ତି। ଏପରି ଲଜ୍ଜାଜନକ କାର୍ଯ୍ୟ ପାଇଁ ଓଡ଼ିଶାବାସୀ ରାଜ୍ୟ ବିଜେପିକୁ କଦାପି କ୍ଷମା ଦେବେ ନାହିଁ।

ମାନସ ରଞ୍ଜନ ମଙ୍ଗରାଜ, ରାଜ୍ୟସଭା ସାଂସଦ, ବିଜେଡି ସାଧାରଣ ସମ୍ପାଦକ

ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଅମାନୁଷିକ ଭାବେ ଆକ୍ରମଣ କରିବା ଏବଂ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୁହେଁ। ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କର ଏପରି ଆଚରଣ ଗଣତନ୍ତ୍ର ତଥା ଓଡ଼ିଶା ପ୍ରତି ଘୋର ଅପମାନ। ଶାନ୍ତିପ୍ରିୟ ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କିରବେ ନାହିଁ। ଶ୍ରୀ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜୟନାରାୟଣଙ୍କ ଅପରାଧିକ ଘଟଣାରେ ସାଥ୍ ଦେଉନି ନିଜ ଦଳ । ରାଜ୍ୟବ୍ୟାପୀ ଆକ୍ରୋଶ ଏବଂ ଆନ୍ଦୋଳନ ପରେ ମୁହଁ ଖୋଲିଛନ୍ତି ବିଜେପି ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗଣତନ୍ତ୍ରରେ ଏପରି କାର୍ଯ୍ୟ ଶୋଭନୀୟ ନୁହେଁ । ମହିଳା ଆଇଆଇସିଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାକୁ ନେଇ ଧର୍ମେନ୍ଦ୍ର ନିନ୍ଦା କରିଛନ୍ତି । ଗଣତନ୍ତ୍ରରେ ହିଂସା କଦାପି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ପ୍ରଫୁଲ ଘଡେଇ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା

ଯିଏ ବିରୋଧ ଦଳ ନେତା ପଦରେ ଅଭିସିକ୍ତ ହେଉଛନ୍ତି । ସିଏ ପ୍ରଥମେ ନିଜ ପଦ ପର୍ଯ୍ୟାଦା ରଖନ୍ତୁ । ଜଣେ ମହିଳାଙ୍କୁ ଆକ୍ରମଣ କରିବା ଅତ୍ୟନ୍ତ ଘୃଣ୍ୟ । ଲୋକପ୍ରତିନିଧି ନିଜ ଆଚରଣ ଓ ଉଚ୍ଚାରଣକୁ ଧ୍ୟାନ ଦେବା ଉଚିତ । ପ୍ରଶାସନ କର୍ମକର୍ତ୍ତାଙ୍କ ସହ ଲୋକପ୍ରତିନିଧି କାର୍ଯ୍ୟ କରିବା ଦରକାର । ଯାହାଦ୍ୱାରା ଗଣତନ୍ତ୍ର ମଜଭୁତ ହୋଇଥାଏ । କିନ୍ତୁ ଜଣେ ବିରୋଧି ଦଳ ନେତା ଏଭଳି ଆଚରଣ କରିବା ସ୍ମୃହଣୀୟ ନୁହେଁ । ହିଂସାତ୍ମକ ପ୍ରଥା ଆପଣାଇବା, ଥାପଡ ମାରିବା, ଧମକ ଦେବା, ଅଭ୍ରଦ ଭାଷାରେ ଗାଳି କରିବା ଆଦି ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ ଘଡ଼େଇ ।

ଡକ୍ଟର ସସ୍ମିତ ପାତ୍ର, ରାଜ୍ୟସଭା ସାଂସଦ

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେପରି ଭାବେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କଲେ, ତାହା ସମଗ୍ର ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଓଡ଼ିଶା ବିଜେିପି ନେତାମାନଙ୍କର ମହିଳାଙ୍କ ପ୍ରତି କ’ଣ ଏହି ସମ୍ମାନ? ଅନ୍ତତଃ ଜଣେ ଜଣେ ରାଜନେତା ଭାବେ ମହିଳାମାନଙ୍କୁ ସମ୍ମାନ କରିବା ଶିଖନ୍ତୁ।

ଡକ୍ଟର ଅମର ପଟ୍ଟନାୟକ, ରାଜ୍ୟସଭା ସାଂସଦ

ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଯେଉଁ ଆଚରଣ ପ୍ରଦର୍ଶନ କଲେ ତାହା ମହିଳାମାନଙ୍କ ପ୍ରତି ରାଜ୍ୟ ବିଜେପି ନେତାଙ୍କ ମନୋଭାବକୁ ଉଜାଗର କରୁଛି। ଅନେକ ଅପରାଧରେ ଜଡ଼ିତ ଜୟନାରାୟଣଙ୍କ ଠାରୁ ରାଜ୍ୟବାସୀ ଆଉ ଅଧିକ କ’ଣ ଆଶା କରିବେ?

ଶିଶିର ଗମାଙ୍ଗ, ବିଆର୍‌‌ଏସ୍‌‌ ନେତା

ରାଜ୍ୟ ବିଜେପି ନାରୀଙ୍କୁ ସମ୍ମାନ ଦେବା ଶିଖିନାହିଁ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ଏଭଳି ଆଚରଣ ଅଶୋଭନୀୟ। ବିଜେପି ବେଟି ବଚାଓ, ବେଟି ପଢ଼଼ାଓ ନାରା ଦେଉଛି। ହେଲେ ବାସ୍ତବରେ ଏସବୁ କେବଳ ଅଭିନୟ। ଦଳର ଜଣେ ବରିଷ୍ଠ ଓ ଦାୟିତ୍ୱସମ୍ପନ୍ନ ନେତା ଏଭଳି ଆଚରଣ ଦଳର ବାସ୍ତବ ଅଭିମୁଖ୍ୟକୁ ସ୍ପଷ୍ଟ କରିଛି। ସେହିଭଳି ଏହି ପ୍ରସଙ୍ଗରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। କେନ୍ଦ୍ର ବିଜେପି ମଧ୍ୟ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ।

ତାରା ପ୍ରସାଦ ବାହିନୀପତି, ବିଧାୟକ, କଂଗ୍ରେସ

ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଜୟନାରାୟଣ ମିଶ୍ର ଜଣେ ବରିଷ୍ଠ ନେତା ଓ ରାଜ୍ୟର ବିରୋଧୀ ଦଳ ନେତା। ସେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବବ୍ୟହାର କରିବା ଆଦୌ ଗ୍ରହଣୀୟ ନୁହେଁ। ବିଜେପି ଦଳର ନେତାମାନେ ଅଭ୍ୟାସଗତ ଭାବେ ନାରୀଙ୍କୁ ଅସମ୍ମାନିତ କରିଥାଆନ୍ତି। ଏଭଳି ଘଟଣା ଗଣତନ୍ତ୍ରକୁ ଲଜ୍ଜିତ କରିଛି।

ନିଶିକାନ୍ତ ମହାପାତ୍ର, ଆପ୍‌‌ ନେତା

ଜୟନାରାୟଣ ମିଶ୍ରଙ୍କ ପାଇଁ ଏହି ଘଟଣା ନୁହେଁ। ଅସମ୍ମାନିତ କରିବା ଓ ହିଂସା ସପକ୍ଷରେ ମାହୋଲ ସୃଷ୍ଟି କରିବାରେ ସେ ସର୍ବଦା ଆଗରେ ରହିଥାଆନ୍ତି। କେବଳ ଜୟନାରାୟଣ ମିଶ୍ର ଏଭଳି କାର୍ଯ୍ୟକଳାପ ପାଇଁ ଦାୟୀ ନୁହଁନ୍ତି। ବିଜେପି ସର୍ବଦା ଆକ୍ରମଣ ମନୋଭାବ ନେଇ ରହୁଛି। ରାଜ୍ୟରେ ନିଜ ରାଜନୈତିକ ସ୍ଥିତି ସୁଧାରିବା ପାଇଁ ଆକ୍ରମଣ କରାଯାଉଛି। ତେବେ ଶ୍ରୀ ମିଶ୍ର ଏଭଳି ଦୁର୍ଭାଗ୍ୟଜନକ କାର୍ଯ୍ୟ ପାଇଁ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ।

ରବି ବେହେରା, ସଭାପତି, ସମାଜବାଦୀ ପାର୍ଟି

ଗଣତନ୍ତ୍ରରେ ଏହା ଏକ ଲଜ୍ଜାଜନକ ଘଟଣା। ଶ୍ରୀ ମିଶ୍ର ଜଣେ ବରିଷ୍ଠ ରାଜନେତା ହୋଇ ଅନ୍ୟମାନଙ୍କ ପାଇଁ ଭଲ ଉଦାହରଣ ସୃଷ୍ଟି କରିବା ଆବଶ୍ୟକ। କିନ୍ତୁ ସେ ଏହାର ବିପରୀତ କାର୍ଯ୍ୟ କରୁଛନ୍ତି।

ସୂର୍ଯ୍ୟମଣି ତ୍ରିପାଠୀ, ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ

ମୁଁ ମୋ ଜୀବନକାଳ ମଧ୍ୟରେ କୌଣସି ରାଜନେତାଙ୍କର ଏପରି ଆଚରଣ ଦେଖି ନାହିଁ। ଜଣେ ପୁଲିସ କର୍ମଚାରୀ ଆଇନ୍‌‌ଶୃଙ୍ଖଳା ରକ୍ଷା କରିବା ପାଇଁ ଘଟଣାସ୍ଥଳରେ ଛିଡ଼ା ହୋଇଥାଏ। କିନ୍ତୁ ଜଣେ ରାଜନେତା ହୋଇ ତାଙ୍କୁ ଆକ୍ରମଣ କରିବା, ଥାନା ପୋଡ଼ି ଧମକ ଦେବା, ଅଶାଳୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ।

Leave A Reply

Your email address will not be published.